ଆଡ଼ପ ପହଣ୍ଡି ଅଘଟଣ, ଅଶୁଭ ସଙ୍କେତ ବୋଲି କହିଲେ ପ୍ରଭୁ ବଳଭଦ୍ରଙ୍କ ମୁଖ୍ୟ ବାଡଗ୍ରାହୀ

ପୁରୀ: ଆଡ଼ପ ପହଣ୍ଡି ବେଳେ ଚାରମାଳ ଉପରେ ପ୍ରଭୁ ବଳଭଦ୍ର ହାମୁଡେଇ ପଡିଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବଳଭଦ୍ରଙ୍କ ମୁଖ୍ୟ ବାଡଗ୍ରାହୀ ହଳଧର ଦାସ ମହାପାତ୍ର । ସେ କହିଛନ୍ତି ଏଭଳି ଘଟଣା ତାଙ୍କ ଜୀବନକାଳ ଭିତରେ କେବେ ଘଟିନଥିଲା । ବାହୁଡା଼ ଯାତ୍ରାରେ ରଥ ଉପରେ ଆବଶ୍ୟକତା ଠାରୁ ଅଧିକ ସେବାୟତ ରହିଲେ ପହଣ୍ଡିରେ ବିଭ୍ରାଟ ହେବ ବୋଲି ସେ ଚେତାବନୀ ଦେଇଛନ୍ତି । ମହାପ୍ରଭୁଙ୍କ ନୀତି କାନ୍ତିରେ ବିଭ୍ରାଟ, ରଥ ଉପରେ ମାଳ ମାଳ ସେବାୟତ ଏବଂ ଶ୍ରୀମନ୍ଦିର , ପ୍ରଶାସନର କୋହଳ ମନୋଭାବ ଯୋଗୁ ଆଡପ ପହଣ୍ଡି ସମୟରେ ଏତେ ବଡ ଅଘଟଣ ଘଟିଗଲା ବୋଲି ସେ କହିଛନ୍ତି ।
ପ୍ରଭୁ ବଳଭଦ୍ରଙ୍କ ରଥ ଉପରେ ଅନଧିକୃତ ବା ପାଳି ନଥିବା ସେବାୟତ ମାନେ ରଥ ଉପରେ ରହିଥିଲେ । ପହଣ୍ଡି ସମୟରେ ଯେତିକି ସଂଖ୍ୟକ ସେବାୟତଙ୍କ ଆବଶ୍ୟକତା ରହିଛି ତା ଠାରୁ ଅଧିକ ସେବାୟତ ରହିବା ଦ୍ବାରା ପହଣ୍ଡିରେ ଏତେ ବଡ ଅଘଟଣ ଘଟିଗଲା । ପ୍ରଭୁ ବଳଭଦ୍ର ଚାରମାଳ ଉପରେ ହାମୁଡେଇ ପଡିଯିବା ଏକ ପ୍ରକାର ଅଶୁଭ ସଙ୍କେତ ବୋଲି ବାଡଗ୍ରାହୀ ହଳଧର ଦାସ ମହାପାତ୍ର କହିଛନ୍ତି । ବାହୁଡ଼ା ଯାତ୍ରା ବେଳେ ଶ୍ରୀମନ୍ଦିର ପ୍ରଶାସନ ଏ ସବୁ ଦିଗରେ ବିଶେଷ ଧ୍ୟାନ ଦେବାର ନିହାତି ଆବଶ୍ୟକ ବୋଲି କହିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ।