ମୁଣ୍ଡ ଉପରେ ପରୀକ୍ଷା । କିନ୍ତୁ ପଢ଼ିବା ପାଇଁ ନାହିଁ ବହି । ବହୁ କଷ୍ଟରେ ମୋବାଇଲ ସାହାଯ୍ୟରେ ବିଷୟବସ୍ତୁ ବୁଝୁୁଛନ୍ତି ଆଦର୍ଶ ବିଦ୍ୟାଳୟ ସ୍କୁଲର ଛାତ୍ରଛାତ୍ରୀ । ସୁନ୍ଦର ଭାବେ ସ୍କୁଲ ନିର୍ମାଣ କରାଯାଇଛି କିନ୍ତୁ ପିଲାଙ୍କ ବସିବା ପାଇଁ ବେଞ୍ଚ ନାହିଁ । ସେହିପରି ମଧ୍ୟାନ୍ନ ଭୋଜନରେ ବି ନାନା ସମସ୍ୟା । ଓଡ଼ିଶାରେ ଓଡ଼ିଆ ପିଲାମାନେ ପାଠ ପଢିବା ପାଇଁ ନିର୍ମାଣ କରାଯାଇଛି ଓଡ଼ିଆ ଆର୍ଦଶ ବିଦ୍ୟାଳୟ । କିନ୍ତୁ ଦୀର୍ଘ ଦିନ ଧରି ଏହି ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଚାଲିଥିବାବଳେେ ଛାତ୍ରଛାତ୍ରୀମାନେ ଏବେ ପର୍ଯ୍ୟନ୍ତ ଏକ ସୁସ୍ଥ ବାତାବରଣ ପାଇ ପାରିନାହିଁନ୍ତି । ଶିକ୍ଷା ବର୍ଷ ଅଧାରେ ପହଞ୍ଚିଥିବା ବେଳେ ଏ ର୍ପଯ୍ୟନ୍ତ ସେମାନଙ୍କୁ ବହି ମିଳି ନାହିଁ । ଏହା ସହିତ ମଧ୍ୟାହ୍ନ ଭୋଜନକୁ ନେଇ ମଧ୍ୟ ତୀବ୍ର ଅସନ୍ତୋଷ ଦେଖା ଦେଇଛି ।
ସରକାରୀ ହାଇସ୍କୁଲ ତୁଳନାରେ ଅଧିକ ସୁବିଧା ସୁଯୋଗ ସାଙ୍ଗକୁ ଅତ୍ୟାଧୁନିକ ଶିକ୍ଷା ଦେବା ପାଇଁ ରାଜ୍ୟରେ ଗଢି ଉଠିଥିଲା ଓଡ଼ିଆ ଆର୍ଦଶ ବିଦ୍ୟାଳୟ । କେନ୍ଦ୍ରୀୟ ବିଦ୍ୟାଳୟ ଭଳି ଆର୍ଦଶ ବିଦ୍ୟାଳୟରେ ସମାନ ସୁବିଧା ସୁଯୋଗ ମିଳିବ ବୋଲି ଆଶା ରହିଥିଲା । କିନ୍ତୁ ଶିକ୍ଷା ମିଳିବା ତ ଦୂରର କଥା ପିଲାମାନେ ପାଠ ପଢିବା ପାଇଁ ଶ୍ରେଣୀ ଗୃହରେ ଟେବୁଲ କି ଚୌକି ନାହିଁ । ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀମାନେ ତଳେ ବସି ପାଠ ପଢୁଛନ୍ତି । ଏହା ସହିତ ଶିକ୍ଷା ବର୍ଷ ଅଧା ହୋଇଥିବା ବେଳେ ପଢିବା ପାଇଁ ବହି ମଧ୍ୟ ମିଳିପାରିନାହିଁ । ପାଠ ପଢିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ ।
ଆର୍ଦଶ ବିଦ୍ୟାଳୟଟି ଦୀର୍ଘ ତିନି ବର୍ଷ ଧରି ନିର୍ମାଣ ଚାଲିଥିବା ବେଳେ ଏହା ଏର୍ପଯ୍ୟନ୍ତ ଶେଷ ହୋଇ ପାରିନାହିଁ । ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ଏହାରି ମଧ୍ୟରେ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଛନ୍ତି । ତେବେ ବିଦ୍ୟାଳୟରେ ଅନେକ ଅସୁବିଧା ରହିଥିବାବେଳେ ଏ ସମ୍ପର୍କରେ ଅଭିଭାବକମାନେ ବିଡିଓଙ୍କ ଠାରୁ ଆରମ୍ଭ କରି ପୁରୀ ଉପଜିଲ୍ଲାପାଳ ର୍ପଯ୍ୟନ୍ତ ସମସ୍ତଙ୍କୁ ଭେଟି ଛାତ୍ରଛାତ୍ରୀମାନଙ୍କ ସମସ୍ୟା ସମ୍ପର୍କରେ ଜଣାଇଛନ୍ତି । ଏପର୍ଯ୍ୟନ୍ତ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଏ ସମ୍ପର୍କରେ ଅଭିଭାବକମାନେ ଡେଲାଙ୍ଗ ବ୍ଳକର ବିଡିଓଙ୍କୁ ଦାବୀ ପତ୍ର ଦେବା ସହିତ ସମସ୍ୟାର ସମାଧାନ ପାଇଁ କହିଥିଲେ । ଅନ୍ୟପଟେ ବିଡିଓ କହିଛନ୍ତି ଏହା ଉପରେ ଆମେ ପଦକ୍ଷେପ ନେବୁ । ତେବେ ଛାତ୍ରଛାତ୍ରୀମାନେ ତଳେ ବସି ଅବ୍ୟବସ୍ଥା ମଧ୍ୟରେ ଆଉ କେତେ ଦିନ ଶିକ୍ଷା ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା ।