ଗୋଟିଏ ପରେ ଗୋଟିଏ ଯୋଜନା ଘୋଷଣା କରୁଛନ୍ତି ସରକାର : ଖର୍ଚ୍ଚ ମେଣ୍ଟାଇବାକୁ ଏଥର ମୌସୁମୀ ଅଧିବେଶନରେ ଆସୁଛି ଅତିରିକ୍ତ ବଜେଟ୍‌ 

ଭୁବନେଶ୍ବର : ଚଳିତ ଆର୍ଥିକ ବର୍ଷ ପାଇଁ ମୌସୁମୀ ଅଧିବେଶନରେ ଆସିବ ଅତିରିକ୍ତ ବଜେଟ। ସାଧାରଣତଃ ଶୀତ ଧିବେଶନରେ ଆଗତ ହୁଏ ଅତିରିକ୍ତ ବଜେଟ। ଏବେ ଆଗୁଆ ହେଉଛି। ଆଗକୁ ନିର୍ବାଚନ ରହିଛି। ତେଣୁ ସରକାର ଅନେକ ଜନ କଲ୍ୟାଣକାରୀ ଯୋଜନା ଘୋଷଣା କରିଛନ୍ତି । ସେହି ଯୋଜନାଗୁଡ଼ିକୁ କାର୍ୟ୍ୟକାରୀ କରିବାକୁ ଆବଶ୍ୟକ ଅଧିକ ଅର୍ଥ । ତେଣୁ ଆଗୁଆ ଅତିରିକ୍ତ ବଜେଟ ଆଗତ ହେଉଛି। ଅତିରିକ୍ତ ବଜେଟରେ ସାମାଜିକ ସୁରକ୍ଷା, କୃଷି, ଶିଳ୍ପର ପ୍ରଚାର ପ୍ରସାର ଓ ଭିତ୍ତିଭୂମି ବିକାଶ ଉପରେ ପ୍ରଧାନ୍ୟ ଦିଆଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।

ନିଜସ୍ୱ ଖାଦ୍ୟ ସୁରକ୍ଷା ହେଉ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଏପରି ଅନେକ ଯୋଜନା ଘୋଷଣା ହୋଇଛି। ଆଗକୁ ଆହୁରୀ ଯୋଜନା ଘୋଷଣା ସମ୍ଭାବନା ରହିଛି ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ବାବଦକୁ ୨୨୦ କୋଟି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ପାଖାପାଖି ୬ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ଆଶା କର୍ମୀଙ୍କ ପାଇଁ ସହାୟତା ରାଶି ଅଧିକ ୧୦ ହଜାର ଟଙ୍କା କରାଯାଇଛି। ଏଥି ପାଇଁ ପାଖାପାଖି ୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଅର୍ଥ ଅତିରିକ୍ତ ବଜେଟରେ ବ୍ୟୟବରାଦ ହେବ। ବିଶେଷଜ୍ଞଙ୍କ ମତରେ ଏଥର ଅତିରିକ୍ତ ବଜେଟର ଆକାର ୧୨ହଜାରରୁ ୧୫ ହଜାର କୋଟି ଟଙ୍କାକୁ ଛୁଇଁପାରେ। ୨୦୧୭-୧୮ରେ ଅତିରିକ୍ତ ବଜେଟର ଆକାର ଥିଲା ପାଖାପାଖି ୧୦ ହଜାର କୋଟି ଟଙ୍କା। ୨୦୧୬-୧୭ରେ ଏହା ଥିଲା ପ୍ରାୟ ୬ହଜାର କୋଟି ଟଙ୍କା।

ସେପ୍ଟେମ୍ବର ୪ରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ। ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ଖର୍ଚ୍ଚ ଦାବି ଦାଖଲ କରିବା ପାଇଁ ସମସ୍ତ ବିଭାଗକୁ ଅର୍ଥ ସଚିବ ଚିଠି ଲଖିଥିଲେ। ସମସ୍ତ ବିଭାଗ ବିଭିନ୍ନ ଯୋଜନାର ଖର୍ଚ୍ଚ ଦାବି ଦାଖଲ କରିସାରିଥିବା ଜଣାପଡିଛି।