କ୍ରିପ୍‌ଟୋ କରେନ୍‌ସିରେ ନିବେଶ କରି ଆୟବର୍ହିଭୁତ ସମ୍ପତ୍ତି ବଢାଇଥିଲେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ, ପ୍ରମାଣ ନଷ୍ଟ କରିବାକୁ କରିଥିଲେ ଉଦ୍ୟମ

ଭୁବନେଶ୍ବର(କେନ୍ୟୁଜ୍):ଅତିରିକ୍ତଙ୍କ ମୁଖ୍ୟଯନ୍ତ୍ରୀଙ୍କ କ୍ରିପ୍‌ଟୋ କରେନ୍‌ସୀ ସଉକ। କ୍ରିପ୍‌ଟୋ କରେନ୍‌ସିରେ ନିବେଶ ହେଉଥିଲା ଆୟବର୍ହିଭୁତ ଟଙ୍କା। ଭୁବନେଶ୍ୱର ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଘରେ ଭିଜିଲାନ୍‌ସ ଚଢଉ ବେଳେ ଜବତ ହୋଇଛି କ୍ରିପ୍‌ଟୋ କରେନ୍‌ସୀରେ ନିବେଶର କାଗଜପତ୍ର। ତେବେ ଭିଜିଲାନ୍‌ସ ଚଢଉ ବେଳେ ଏହାର ପ୍ରମାଣ ନଷ୍ଟ କରିବାକୁ କିଛି କାଗଜପତ୍ର ଓ ମୋବାଇଲ ଫୋନକୁ ଝରକା ବାହାରକୁ ଫିଙ୍ଗି ଦେଇଥିଲେ। ତେବେ ପରେ ଏହାକୁ ଜବତ କରିଥିଲା ଭିଜିଲାନ୍‌ସ ଟିମ୍‌। କ୍ରିପ୍‌ଟୋରେ ଟଙ୍କା ନିବେଶ ନେଇ ୩୮ଟି ଡକୁମେଣ୍ଟ ମିଳିଛି। ଏହାକୁ ଯାଞ୍ଚ ପାଇଁ ଓଡ଼ିଶା ଭିଜିଲାନ୍‌ସର ଅର୍ଥନୈତିକ ୱିଙ୍ଗ ଓ କ୍ରିପ୍‌ଟୋ ଏକ୍ସପର୍ଟଙ୍କ ସହାୟତା ଲୋଡ଼ାଯାଇଛି। କେବଳ ଏଭଳି ଅଜବ ସଉକ ନୁହେଁ, ମିଳିଛି ପୁଳାପୁଳା ପୁରୁଣା ୫ଶହ ଟଙ୍କିଆ ନୋଟ।

ଅକ୍ଟୋବର ୩୧ରେ ଅବସର ନେଇଥାନ୍ତେ ନିହାର ରଞ୍ଜନ ଦାସ। କିନ୍ତୁ ରିଟାୟର୍ଡର ତିନିଦିନ ଆଗରୁ ଭିଜିଲାନ୍‌ସ ହାବୁଡ଼ରେ ପଡ଼ିଗଲେ ଭୁବନେଶ୍ୱର RWSS ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ। ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ଚଢଉ କରିଛି ଭିଜିଲାନ୍‌ସ। ଭୁବନେଶ୍ୱର ବାସଭନ ଓ ଅଫିସ ସମେତ ସମ୍ବଲପୁର, ଖୋର୍ଦ୍ଧା ଓ ବରଗଡ଼ରେ ଏକକାଳୀନ ୬ଟି ସ୍ଥାନରେ ରେଡ୍‌ କରିଛି। ଭିଜିଲାନ୍ସ। ନିହାର ରଞ୍ଜନ ଦାସଙ୍କର ବିଭିନ୍ନ ସ୍ଥାନରେ କୋଟି କୋଟି ଟଙ୍କାର ଏକାଧିକ ପ୍ଲଟ ଅଛି। ଭୁବନେଶ୍ୱର ଖାରବେଳନଗରରେ ରହିଛି 3BHK ଫ୍ଲାଟ୍‌। ସମ୍ବଲପୁର ସହରର ପ୍ରମୁଖ ସ୍ଥାନରେ ଠାବ ହୋଇଛି ୮ଟି ପ୍ଲଟ୍‌। ସମ୍ବଲପୁର ମୋଦିପଡ଼ାରେ ଦୁଇ ମହଲା କୋଠା ରହିଛି। ସଂପତ୍ତିର ମୂଲ୍ୟ ଆକଳନ କରୁଛି ଭିଜିଲାନ୍‌ସ ଟେକ୍‌ନିକାଲ ୱିଙ୍ଗ।

RWSS ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଘରୁ ଜବତ ହୋଇଛି ନଗଦ ଏକଲକ୍ଷ ସାତ ହଜାର ୭୮୫ ଟଙ୍କା। ଦୁଇଟି ଚାରିଚକିଆ ଗାଡ଼ି ଓ ୨ଟି ବାଇକ ରହିଛି। ଏହା ସହ ବ୍ୟାଙ୍କ ଜମା, ବୀମା ରାଶି ଓ ଜବତ ସୁନା ଅଳଙ୍କାରର ମୂଲ୍ୟ ନିର୍ଦ୍ଧାରଣ କରାଯାଉଛି। ରେଡ୍‌ ସରିବା ପରେ ଜଣାପଡିବ RWSS ସର୍କଲ ଅଫିସର ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କର କେତେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି। କେମିତି ଉପାର୍ଜନ କରିଥିଲେ ଏତେ ଟଙ୍କା? କେତେ ଟଙ୍କା ଥିଲା ଯେ ପୁରୁଣା ୫ଶହ ଟଙ୍କିଆ ନୋଟ ବଦଳାଇପାରିଲେନି? ପୁରା ଚଢଉ ପରେ ଆୟ ବର୍ହିଭୁତ ସଂପତ୍ତିର ମିଳିବ ହିସାବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.