କିନ୍ନରଙ୍କ ମୁହଁରେ ହସ ଫୁଟାଇଲେ ଅତିରିକ୍ତ ଜିଲ୍ଲାପାଳ, ସମସ୍ତଙ୍କୁ ମିଳିବ ଆର୍ଥିକ ସାହାଯ୍ୟ

ଆଜିର ସମାଜରେ କିନ୍ନର ଜୀବନ ଧାରଣ କରିବା ବହୁ ଯନ୍ତ୍ରଣା ଦାୟକ । ସଂଘର୍ଷମୟ ଭାବେ ଜୀବନ ବିତାଇଥାନ୍ତି କିନ୍ନର ସମାଜ । ଏମାନଙ୍କୁ ନା ନିଜ ପରିବାର ଗ୍ରହଣ କରେ ନା ସମାଜ । ବହୁ କଷ୍ଟରେ ଭିକ୍ଷାବୃତି କରି ପେଟ ପୋଷନ୍ତି ଏମାନେ । ସବୁବେଳେ ସାମାଜିକ ଭେଦଭାବର ଶିକାର ହୁଅନ୍ତି କିନ୍ନର ସମ୍ପ୍ରଦାୟ । ଶିକ୍ଷାନୁଷ୍ଠାନ ହେଉ ଅବା କର୍ମସ୍ଥଳ ପ୍ରତିକ୍ଷେତ୍ରରେ ସମାଜର କିଛି ଲୋକ ସେମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖନ୍ତି । ସବୁବେଳେ ନିର୍ଯାତନାର ଶିକାର ହୁଅନ୍ତି ଏମାନେ । କିନ୍ତୁ ସେମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ କିନ୍ନର ଦିବସ ପାଳନ କରାଯାଇଛି । ଖାଲି ଯେ କିନ୍ନର ଦିବସ ପାଳନ କରାଯାଇଛି ତା ନୁହେଁ ସେମାନଙ୍କ ରହିବା ସହ ଜୀବିକା ନିର୍ବାହ ପାଇଁ ସାହାଯ୍ୟ ମିଳିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।
କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରର ସଦଭାବନା ଗୃହରେ କିନ୍ନର ସଂଘ ପକ୍ଷରୁ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ କିନ୍ନର ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଯୋଗ ଦେଇଥିଲେ । କିନ୍ନରମାନଙ୍କୁ ସମସ୍ତ ସରକାରୀ ଯୋଜନାରେ ସାମିଲ କରାଯିବ । ସେମାନଙ୍କୁ ମୁଖ୍ୟସ୍ରୋତକୁ ଅଣାଯାଇ ସେମାନଙ୍କ ପାଇଁ ଘର, ଚାକିରି, ସ୍ବାବଲମ୍ବୀ ହେବା ପାଇଁ ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।
ଆଜିର ସମାଜରେ ଅନେକ ନିଜ ନିଜର ସ୍ବାର୍ଥ ପାଇଁ ଅର୍ଥ ରୋଜଗାର କରି ଅୟସ ଆରାମ କରୁଥିବା ବେଳେ କିନ୍ନରମାନେ ଭିକ୍ଷାବୃତି କରି ପେଟ ପୋଷୁନ୍ତି । ସବୁବେଳେ ଲୋକଙ୍କ ଟାହି ଟାପରା ଶୁଣି ଆଘାତ ପାଆନ୍ତି । ତେଣୁ ଏମାନଙ୍କୁ ଯେଉଁ ସାହାଯ୍ୟ ଯୋଗାଇ ଦିଆଯିବ ସେଥିରେ ଏମାନେ ଆତ୍ମନିର୍ଭରଶୀଳ ହୋଇ ପାରିବେ ନିଶ୍ଚିତ ।
Also Read: ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ଚିନୁ କିନ୍ନର, ଭିକ ମାଗି କରୁଛନ୍ତି ସମାଜ ସେବା