ସରିଲା ରଥଯାତ୍ରାର ଅଧରପଣା ନୀତି, ଆସନ୍ତାକାଲି ମହାପ୍ରଭୁ ନବଦିନ ଯାତ୍ରା ସାରି ରତ୍ନସିଂହାସନକୁ ବାହୁଡ଼ିବେ

ସରିଲା ରଥଯାତ୍ରାର ଅଧରପଣା ନୀତି। ରଥାରୂଢ଼ ତିନି ଠାକୁରଙ୍କ ପାଖରେ ଯଥାରୀତି ଅଧରପଣା ନୀତି ସମ୍ପନ୍ନ କରିଛନ୍ତି ସେବାୟତ। ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ପାଖରେ ଲାଗି ହୋଇଥିଲା ଅଧରପଣା। ରଥ ଉପରେ ପୂଜାର୍ଚ୍ଚନା ପରେ ସେବାୟତମାନେ ପଣା ଥିବା ତୁମ୍ବକୁ ଭାଙ୍ଗି ଦେଇଥିଲେ। ଏହାପରେ ଦେବୀ ସୁଭଦ୍ରାଙ୍କ ପାଖରେ ଅଧରପଣା ନୀତି ସମ୍ପନ୍ନ ହୋଇଥିଲା । ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଲାଗି ହୋଇଥିଲା ଅଧରପଣା।

ବିଶ୍ବାସ ରହିଛି, ରଥଯାତ୍ରା ବେଳେ ୩୩ କୋଟି ଦେବାଦେବୀଙ୍କ ସମେତ ଚଣ୍ଡି ଚାମୁଣ୍ଡା ଓ ଅଶରୀରୀମାନେ ଯାତ୍ରା କରିଥାନ୍ତି। ଏମାନଙ୍କୁ ତୃପ୍ତ କରିବାକୁ ତିନି ଠାକୁରଙ୍କ ପାଖରେ ଏହି ନୀତି ସମ୍ପନ୍ନ ହୋଇଥାଏ । ଅଧର ହାଣ୍ଡି ରଥ ଉପରେ ଭଙ୍ଗାଯିବା ପରେ ଏହି ପଣାକୁ ପାନ କରି ଏମାନେ ତୃପ୍ତ ହୋଇଥାନ୍ତି । ମହାପ୍ରଭୁଙ୍କ ଏହି ନୀତି ଦେଖିବାକୁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।

ଆସନ୍ତା କାଲି ମହାପ୍ରଭୁ ନବଦିନ ଯାତ୍ରା ସାରି ରତ୍ନସିଂହାସନକୁ ବାହୁଡ଼ିବେ | ଆଜି ସକାଳେ ତିନି ରଥ ଉପରେ ମହାପ୍ରଭୁଙ୍କ ମଙ୍ଗଳଆଳତି ବଢିବା ପରେ ଅନ୍ୟାନ୍ୟ ନୀତି ହୋଇଥିଲା | ତିନି ରଥରେ ଠାକୁର ମାନଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ମଧ୍ୟ ସକାଳୁ ରାତ୍ର ପର୍ଯ୍ୟନ୍ତ ଭିଡ଼ ଲଗାଇଛନ୍ତି। ଆଜି ରାତ୍ର ୯ ଟାରେ ତିନି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଛି | ତିନିରଥକୁ ସ୍ୱତନ୍ତ୍ର ଉପଚାରରେ ପୂଜା କରାଯାଇ ପ୍ରସ୍ତୁତ କରାଯାଇଥିବା ସମୟରେ ରଥରେ ବହୁ ଦେବା ଦେବୀ ବିରାଜମାନ କରିଥାନ୍ତି |

ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପର୍ଣ ପରେ ସମସ୍ତ ପାର୍ଶ୍ୱ ଦେବଦେବୀ ଓ ଅନ୍ୟାନ୍ୟ ଚଣ୍ଡୀ ଚାମୁଣ୍ଡା ମାନଙ୍କୁ ଶାନ୍ତି କରିବା ପାଇଁ ଅଧରପଣା କରାଯାଇ ଅଧର ହାଣ୍ଡିକୁ ରଥଉପରେ ଭଙ୍ଗା ଯିବାର ବିଧି ରହିଛି | ସ୍ୱତନ୍ତ୍ର ଭାବେ ଏହି ପଣାକୁ ଶ୍ରୀବିଗ୍ରହ ମାନଙ୍କର ଅଧର ପର୍ଯ୍ୟନ୍ତ ନିର୍ମିତ ତିନି ତିନଟି ତୁମ୍ଭାକାର ହାଣ୍ଡିରେ ପ୍ରସ୍ତୁତ କରାଯାଇଥାଏ | ତିନିରଥରେ ନିର୍ମାଣ ପରେ ସ୍ୱତନ୍ତ୍ର ଭାବେ ପାର୍ଶ୍ୱଦେବାଦେବୀ ମାନେ ବିଜେ କରି ନବଦିନ ଯାତ୍ରାରେ ମହାପ୍ରଭୁଙ୍କ ସହ ଯାଇଥିଲେ | ବିଶ୍ୱାସ ରହିଛି ଯଜ୍ଞ ପୂଜା ଦ୍ୱାରା ରଥଯାତ୍ରା ସମୟରେ ଶ୍ରୀଜିଉମାନଙ୍କ ସହିତ ବହୁ ଦେବାଦେବୀ ,ଚଣ୍ଡୀ,ଚାମୁଣ୍ଡା ମଧ୍ୟ ଯାତ୍ରା କରିଥାନ୍ତି |

ତେବେ ସେମାନଙ୍କ ସନ୍ତୁଷ୍ଟି ପାଇଁ ସ୍ୱତନ୍ତ୍ର ଭାବେ ବଡଓଡ଼ିଆ ମଠ, ରାଘବଦାସ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଛେନା ,ଛାଚି , କ୍ଷୀର ,ସର,ଗୋଲମରିଚ ,କର୍ପୁର ,ଜାଇଫଳ,କଦଳୀ ଆଦିକୁ ମିଶ୍ରଣ କରାଯାଇ ପଣା ପ୍ରସ୍ତୁତ କରାଯିବା ସହ ଏହାକୁ ରଥ ଉପରେ ଭଙ୍ଗାଯାଇଥିଲା।ତୁମ୍ଭକାର ଆକାରରେ ନିର୍ମିତ ମାଟିହାଣ୍ଡି ରେ ଏହି ଦୁର୍ଲଭ ପଣା ପ୍ରସ୍ତୁତ ହୋଇଥିଲା। ସିଂହଦ୍ୱାର ସମ୍ମୁଖ ଛାଉଣୀମଠର କୂଅରୁ ପାଣିଆ ଆପଟ ସେବକ ମାନେ ପଣା ପାଇଁ ପାଣି ଯୋଗାଇଥିଲେ |

ପରେ ପତ୍ରିବଡୁ ,ସୁଆର ବଡ଼ୁ,ଗରାବଡୁ ସେବକ ତିନିରଥରେ ପଣା ପ୍ରସ୍ତୁତ କରିବା ସହ ପୂଜାପଣ୍ଡା ମାନେ ପଞ୍ଚ ଉପଚାର ରେ ପୂଜା କରି ରଥ ଉପରେ ଅଧର ହାଣ୍ଡିକୁ ଭାଙ୍ଗିଵା ପରେ ପାର୍ଶ ଦେବା ଦେବୀ, ଚଣ୍ଡୀ ଚା ମଣ୍ଡା, ଓ ଅଶରିରି ମାନେ ଏହି ପଣାକୁ ପାଇଁ ଆତ୍ମ ତୃପ୍ତି ଲାଭ କରିଛନ୍ତି | ମଧ୍ୟାହ୍ନ ଧୂପ ପରେ ଅଧର ପଣା ନୀତି ଅନୁଷ୍ଠିତ ହୋଇଛି।

You might also like