ବାର୍ଡ ଫ୍ଲୁ ସଂକ୍ରମଣ ଭୟ ପରେ ଆକ୍ସନ ମୋଡରେ ପ୍ରଶାସନ, ତୃତୀୟ ଦିନରେ ଚାଲିଛି କୁକୁଡ଼ା ମରା ଅଭିଯାନ

ପିପିଲି : ବାର୍ଡ ଫ୍ଲୁ ସଂକ୍ରମଣ ଭୟ ପରେ ଆକ୍ସନ ମୋଡରେ ପ୍ରଶାସନ । ତୃତୀୟ ଦିନରେ ଚାଲିଛି କୁକୁଡ଼ା ମରା ଅଭିଯାନ । ପୁରୀ ଜିଲ୍ଲା ସାରଙ୍ଗଯୋଡ଼ି ପଂଚାୟତି ଧ୍ୱଜାମୁଣ୍ଡାଇ ଓ ପିପିଲି ତେଇଶପୁର ପଂଚାୟତର ବିଭିନ୍ନ ଗାଁ ଓ ଏହାର ଏକ କିଲୋମିଟର ମଧ୍ୟରେ ଥିବା କୁକୁଡ଼ା ଫାର୍ମରେ ଥିବା କୁକୁଡ଼ାକୁ ମରାଯାଇଛି । ଜନବସତି ଠାରୁ ଦୂରକୁ ନେଇ ଗାତ ଖୋଳି ପୋତା ଯାଉଛି । ପିପିଲିରେ ୧୧ ହଜାର ୭୩୬ ଓ ସତ୍ୟବାଦୀରେ ୧୪ହଜାର ୬୩୫ କୁକୁଡ଼ାଙ୍କୁ ମରାଯାଇଛି । କୁକୁଡ଼ା ମରାଯାଇଥିବା ଫାର୍ମର ସାନିଟାଇଜ ହୋଇଛି ।
ଫାର୍ମରେ ଥିବା ବର୍ଯ୍ୟବସ୍ତୁକୁ ନଷ୍ଟ କରାଯାଉଛି । ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଉଭୟ ବ୍ଳକରେ କୁକୁଡ଼ା ମରା ଅଭିଯାନ ଶେଷ ପର୍ଯ୍ୟାୟରେ ପହଂଚିଛି । କୁକୁଡ଼ା ଚାଷୀଙ୍କୁ କ୍ଷତି ପୂରଣ ମିଳିବା ବ୍ୟବସ୍ଥା ରହିଛି । କିନ୍ତୁ ଯେତିକି ଖର୍ଚ୍ଚ କରିଥିଲେ ସେତିକି ଅର୍ଥ ପାଇ ପାରିବେ ନାହିଁ ଏବଂ ଆସନ୍ତା ୬ ମାସ ପାଇଁ ଆଉ କୁକୁଡ଼ା ଚାଷ କରାଯାଇ ପାରିବ ନାହିଁ ।
ଯାହାକୁ ନେଇ କୁକୁଡ଼ା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେପଟେ ପଶ୍ଚିମବଙ୍ଗକୁ କୁକୁଡ଼ା ରପ୍ତାନି ବନ୍ଦ ପାଇଁ ସେଠାକାର ପଲ୍ୟୁଟି ଫେଡ଼େରେସନ ପକ୍ଷରୁ ମନା କରି ଦେଇଥିବାବେଳେ ଏହାକୁ ନେଇ ଚାଷୀଙ୍କ ମନରେ ତୀବ୍ର ଅସନ୍ତାଷ ପ୍ରକାଶ ପାଇଛି। ପିପିଲିକୁ ୧୧ଟି ପ୍ରବେଶ ପଥ ରହିଥିବା ବେଳେ ସମସ୍ତ ପ୍ରବେଶ ପଥକୁ ସିଲ୍ କରିବା ପାଇଁ କଟକ ସ୍ଥିତ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଜ଼ିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି ।