ପୁରା ଆକ୍ସନ୍ ମୋଡରେ ପ୍ରଶାସନ, କାଳବୈଶାଖୀରେ କ୍ଷତିଗ୍ରସ୍ତ ଲୋକଙ୍କୁ ମିଳିଲା ସହାୟତା

ଫୁଲ୍ ଆକ୍ସନ୍ ମୋଡରେ ପ୍ରଶାସନ । କାଳବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଳକର ଲୋକେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଶେଷ ଭାବେ ବାଙ୍ଗରିପୋଷି ଓ ବିଶୋଇ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ତେବେ ସମ୍ପୂର୍ଣ୍ଣ ଏକ୍ସନ୍ ମୋଡରେ ସହାୟତା ପ୍ରଦାନ ପାଇଁ ଲାଗି ପଡିଛନ୍ତି ଉଭୟ ପ୍ରଶାସନ ଓ ରାଜ୍ୟ ସରକାର । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗତ ୨୩ ତାରିଖ ଦିନିକିଆ ଜିଲ୍ଲା ଗସ୍ତରେ ଆସି ବାଙ୍ଗିରିପୋଷି ଓ ବିଶୋଇ ବ୍ଳକର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲେ ।
ଏଥିସହ ବିପନ୍ନ ପରିବାରକୁ ତ୍ବରିତ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ବୁଧବାର ସୁଦ୍ଧା ବାଙ୍ଗରିପୋଷି ଓ ବିଶୋଇ ବ୍ଳକର କ୍ଷତିଗ୍ରସ୍ତ ମାନଙ୍କୁ କ୍ଷୟକ୍ଷତି ବାବଦକୁ ଟଙ୍କା ପ୍ରଦାନ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସୂଚନା ଅନୁଯାୟୀ, ବାଙ୍ଗିରିପୋଷି ଓ ବିଶୋଇ ବ୍ଲକରେ କାଳବୈଶାଖୀ ତାଣ୍ଡବରେ ବିଶୋଇ ବ୍ଳକର ୨ଟି ଓ ବାଙ୍ଗରିପୋଷି ବ୍ଳକର ୧୨ଟି ଗ୍ରାମ ପଞ୍ଚାୟତକୁ ମିଶାଇ ମୋଟ ୧୪ଟି ପଞ୍ଚାୟତର ୫୨ଟି ଗ୍ରାମ ଅନ୍ତର୍ଗତ ୧୪,୩୨୬ ଲୋକ ପ୍ରଭାବିତ ହୋଇଛନ୍ତି ।
୨୪ଟି ରିଲିଫ କ୍ୟାମ୍ପରେ ୫ ଦିନ ଧରି ୨୪୩୫୩ ଲୋକଙ୍କୁ ଦୁଇଓଳି ରନ୍ଧା ଖାଦ୍ୟ ଓ ସକାଳେ ଚୂଡାଗୁଡ ପ୍ରଦାନ କରାଯାଇଛି । ସେହିପରି ଶିଶୁମାନଙ୍କ ପାଇଁ ବେବି ଫୁଡ୍ ପ୍ରଦାନ କରାଯାଉଥିବା ବେଳେ ୧୫ଟି ମେଡିକାଲ ଟିମ୍ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିୟୋଜିତ ରହିଛନ୍ତି । ପ୍ରଶାସନ ପକ୍ଷରୁ ମୋଟ ୧୧,୪୧୫ଟି ପଲିଥିନ ବଣ୍ଟନ କରାଯାଇଛି । ପ୍ରାଥମିକ ସର୍ଭେ ଅନୁଯାୟୀ ଉଭୟ ବ୍ଳକର ୧୩୬୦ କଚ୍ଚା ଘର ସମ୍ପୂର୍ଣ ଭାଙ୍ଗିଥିବା ବେଳେ, ୧୨ଟି ଅର୍ଦ୍ଧ ଭଗ୍ନ ଓ ୨୦,୧୭୨ଟି ଘର ଆଂଶିକ ଭାବେ ଭାଙ୍ଗିଥିବା ସୂଚନା ମିଳିଛି । ଏହା ବ୍ୟତୀତ ୫୫୨ଟି ଗୁହାଳ ଘର ମଧ୍ୟ ଭାଙ୍ଗିଛି ।
ସମ୍ପୂର୍ଣ ଭାବେ ନଷ୍ଟ ହୋଇଥିବା ଘର ପିଛା ୧ଲକ୍ଷ ୨୦ହଜାର ଓ ବାସନକୁସନ ଏବଂ ଲୁଗାପଟା ପାଇଁ ୨୫୦୦ଟଙ୍କା ଲେଖାଏଁ ମୋଟ ୫୦୦୦, ଅର୍ଦ୍ଧ ଭଗ୍ନ ୧୨ଟି ଘରକୁ ୧ଲକ୍ଷ ୨୦ହଜାର, ଆଂଶିକ ପକ୍କା ଘର ଭାଙ୍ଗିଥିବା ପରିବାରକୁ ୬୫୦୦ ଓ କଚ୍ଚା ଘରକୁ ୪୦୦୦, ଗୁହାଳ ଘରକୁ ୩୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି । ବୁଧବାର ରାତି ସୁଦ୍ଧା ବାଙ୍ଗରିପୋଷି ବ୍ଲକରେ ମୋଟ ୭୬୧ ଜଣଙ୍କୁ ୩୯ ଲକ୍ଷ ୯୦ ହଜାର ଟଙ୍କା ଓ ବିଶୋଇ ବ୍ଳକରେ ୯୫୦ ଜଣଙ୍କୁ ୧୨କୋଟି ୧୬ ଲକ୍ଷ ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି ।
ସେହିପରି ଦୁଇଟି ବ୍ଲକରେ ୩୩ ପ୍ରତିଶତରୁ ଊର୍ଦ୍ଧ୍ବ ୨୮୫ ହେକ୍ଟର ଫସଲ ନଷ୍ଟ ହୋଇଛି । ଫସଲ କ୍ଷୟକ୍ଷତି ନିମେନ୍ତେ ୯ ଲକ୍ଷ ୧ ହଜାର ଟଙ୍କା ପ୍ରଦାନ କରାଯାଇଛି । ଉଦ୍ୟାନ ବିଭାଗର କ୍ଷୟକ୍ଷତି ପାଇଁ ୨୬ ଲକ୍ଷ ୨୩ ହଜାର ୫୦୦ ଟଙ୍କା ପ୍ରଦାନ କରାଯାଇଛି । ତେବେ ସରକାରୀ ଜାଗାରେ ଘର କରିଥିବା ପରିବାରକୁ ସହାୟତା ଯୋଗାଇ ଦେବାରେ ବାଧା ଉପୁଜିଛି । ସ୍ଥାୟୀ ଠିକଣା କିମ୍ବା ଜମିପଟ୍ଟା ନ ଥିବାରୁ ପ୍ରଭାବିତ ପରିବାରକୁ ସରକାରୀ ସହାୟତା ଯୋଗାଇବାରେ ପ୍ରଶାସନ ଅଡ଼ୁଆରେ ପଡିଛି ।
ବିପନ୍ନ ପରିବାରକୁ ପୁନର୍ବାର ଥଇଥାନ ହେବା ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ରନ୍ଧା ଓ ଶୁଖୁଲା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଜିଲାପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ବିଭିନ୍ନ ତହସିଲର ରାଜସ୍ବ ନୀରିକ୍ଷକ, ଅମିନ ଓ କର୍ମଚାରୀମାନଙ୍କୁ ନେଇ ଟିମ ଗଠନ କରାଯାଇ କ୍ଷୟକ୍ଷତିର ଆକଳନ କରାଯାଉଛି । ଖୁବଶୀଘ୍ର ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ସମସ୍ତ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ମିଳିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ପ୍ରଶାସନର ଏଭଳି ପଦକ୍ଷେପ ସତରେ ବେଶ ପ୍ରଶଂସାଯୋଗ୍ୟ ।
Also read: ପୋଲିସ ବର୍ଦ୍ଦିରେ ହାତ ଦେଇଥିବା ଲୋକଙ୍କୁ ଛଡ଼ାଯିବନି: ଡିଜିପି