ଗଜପତି: ଟସର ଚାଷର ଉନ୍ନତି ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ, ପଡ଼ିଆ ପଡ଼ିଥିବା ଜମିରେ ହେଉଛି ସୁନାର ଫସଲ
ଗଜପତି(କେନ୍ୟୁଜ): ଟସର ଚାଷର ଉନ୍ନତି ପାଇଁ ଅଣ୍ଟା ଭିଡ଼ିଛି ଗଜପତି ଜିଲ୍ଲା ପ୍ରଶାସନ । ଏମିତି ଜଣେ ସରକାରୀ ଅଧିକାରୀ ଅଛନ୍ତି ଯିଏକି ପଡ଼ିଆ ପଡିଥିବା ଜମିରେ ସୁନାର ଫସଲ କରାଇ ପାରୁଛନ୍ତି । ଚାଷୀ ଓ ଶ୍ରମିକଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ବହୁମାତ୍ରାରେ ସଫଳ ମଧ୍ୟ ହୋଇଛନ୍ତି । ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଗଜପତି ଜିଲ୍ଲାରେ କାର୍ୟ୍ୟରତ ଜିଲ୍ଲା ଗ୍ରାମୀଣ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଯୁବ ଆଇଏଏସ୍ ଚଞ୍ଚଳ ରାଣା ।
ଗଜପତି ଜିଲ୍ଲା କାଶୀନଗର ବ୍ଳକ ଅନ୍ତର୍ଗତ ସିଆଳି ଗାଁ । ଏଠାକାର ପଡ଼ିଆ ପଡ଼ିଥିବା ଜମି ଗୁଡ଼ିକରେ ଟସର ଚାଷ କରାଯାଉଛି । ଟସର ଚାଷ ପାଇଁ କୃଷି ପ୍ରଣାଳୀ, ପ୍ରଶିକ୍ଷଣ, ଚାରା ରୋପଣ, ଫସଲର ପରିଚାଳନା ଆଦି ଟସର ବିଭାଗ ଯୋଗାଇ ଦେଉଛି । ଆବଶ୍ୟକ ହେଉଥିବା ଶ୍ରମିକ ଓ ଅର୍ଥ, ମନରେଗା ମାଧ୍ୟମରେ ଜିଲ୍ଲା ପିଡି ଡିଆରଡିଏ ଯୋଗାଇ ଦେଉଛନ୍ତି । ଟସର ଉତ୍ପାଦନ କିପରି ବୃଦ୍ଧି ହେବ, ତାର ସମୀକ୍ଷା କରିଛନ୍ତି ସେରିକ୍ଳଚର ଆସିଷ୍ଟାଣ୍ଡ ଡାଇରେକ୍ଟର ଓ ପିଡି ଡିଆରଡିଏ । ପ୍ଳାଣ୍ଟେସନ ସହ ଗଛରେ ହୋଇଥିବା ଖୋସା ଗୁଡିକ କିପରି ସଂଗ୍ରହ କରାଯାଉଛି ତାହା ବୁଲି ଦେଖିଥିଲେ ।
ଚାରା ରୋପଣରୁ ଗଛରେ ଖୋସା ହେବା ଯାଏ ୩ବର୍ଷ ସମୟ ଲାଗିଥାଏ । ଦିନ ଥିଲା ଜିଲ୍ଲାର ସବୁଠାରୁ ଅଧିକ ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିଲେ । ଏବେ କିନ୍ତୁ ଟସର ଚାଷ ଯୋଗୁ ସେମାନଙ୍କ ମୁହଁରେ ହସ ଫୁଟି ପାରିଛି । ଲୋକଙ୍କୁ ବୁଝାଇ ପଡ଼ିଆ ପଡ଼ିଥିବା ଜମିରେ ଚାଷ କରାଇଛନ୍ତି ନିଜେ ପିଡି ଡିଆରଡିଏ ଚଞ୍ଚଳ ରାଣା । ଯୁବ ଆଇଏଏସଙ୍କ ଏଭଳି ପଦକ୍ଷେପ ଜିଲ୍ଳାର ଟସର ଚାଷୀଙ୍କୁ ସ୍ୱାବଲମ୍ବୀ କରି ପାରିିଛି ।