କାର୍ଯ୍ୟକ୍ଷମ ହୋଇପାରୁ ନାହିଁ ୮୬ ଲକ୍ଷ ଟଙ୍କାରେ ନିର୍ମିତ ଅତ୍ୟାଧୁନିକ ମୃତଦେହ ସତ୍କାର ଗୃହ

ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ପଦ୍ମପୁର ସଦରମହକୁମା ପାଟାଣାଗଡ ରାସ୍ତା ରାଜଘାଟ ପାଖରେ ନିର୍ମିତ ନୂତନ ଅତ୍ୟାଧୁନିକ ଦାହ ସଂସ୍କାର ଗୃହ । ତେବେ ସହର ବଢିବା ସାଙ୍ଗକୁ ଜନ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ହେଲେ ସହରରେ ଗୋଟିଏ ମାତ୍ର ମୃତଦେହ ସତ୍କାର ସ୍ଥଳ ଗଡଭାଟି ରାସ୍ତାରେ ଥିବା ବେଳେ ସେତିକି ବାଟ ଯିବା ପାଇଁ ଲୋକେ ହଇରାଣ ହେଉଥିବାରୁ ପ୍ରଶାସନ ଜରିଆରେ ସରକାରଙ୍କୁ ଏକ ଅତ୍ୟାଧୁନିକ ମୃତଦେହ ସତ୍କାର ଗୃହ ପାଇଁ ଦାବି ଜଣାଇଥିଲେ ବିଭିନ୍ନ ସାମାଜିକ ସଙ୍ଗଠନ ।
ତେବେ ମୃତଦେହ ସତ୍କାର ଗୃହ ନିର୍ମାଣ ପାଇଁ ୭୫ଲକ୍ଷ ଟଙ୍କାର ପାଣ୍ଠି ଦେଇଥିଲେ ରାଜ୍ୟ ସରକାର । କିନ୍ତୁ ସମ୍ପୂର୍ଣ୍ଣ ବିଲ ହୋଇ ସାରିଥିଲେ ସୁଦ୍ଧା ଏ ଯାଏଁ କାମ ସରିନଥିବା ବେଳେ ଦୀର୍ଘ ଦିନ ହେବ ପରିତ୍ୟକ୍ତ ଭାବରେ ଉକ୍ତ ସ୍ଥାନକୁ ଛାଡି ଦେଇଛି ଠିକା ସଂସ୍ଥା । ତେବେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବାରୁ କିନ୍ତୁ ଏହି ଶବ ଦାହ ଗୃହର ବିଭିନ୍ନ ଉପକରଣ ଚୋରି କରି ନେଉଛନ୍ତି ଦୁର୍ବୃତ୍ତ । ଅନ୍ୟ ପଟେ ଦିର୍ଘ ଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଯୋଗୁଁ ରକ୍ଷଣା ବେକ୍ଷଣ ଅଭାବରୁ ଲାଗିଥିବା କବାଟ ଝରକା ଆଦି ଭାଙ୍ଗିବାକୁ ବସିଥିବା ବେଳେ କୋଉଠି କାନ୍ଥରେ ଉଇ ଲାଗିଲେଣି ତ ଆଉ କୋଉଠି ଘର ଉପରେ ଗଛ ମାଡିଗଲାଣି ।
କାନ୍ଥ ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟବହୃତ ଟାଇଲ ମଧ୍ୟ ଭାଙ୍ଗି ଚୁରମାର ହୋଇ ପଡିଛି । ତେବେ ଏ ନେଇ ଅଭିଯୋଗ ପରେ ମୁକ୍ତା ଯୋଜନା ଅନ୍ତର୍ଗତ ଆହୁରି ୧୧ ଲକ୍ଷ ଟଙ୍କା ଖର୍ଚ୍ଚରେ ଏକ ପାଚେରି ଏବଂ ଗେଟ ନିର୍ମାଣ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କରାଯାଇଛି କିନ୍ତୁ ଗେଟରେ ତାଲା ପଡୁନାହିଁ ଯେଉଁଥିପାଇଁ ପାଇ ସଟ୍ଟା ଖେଳାଲି ଏବଂ ଅସାଧୁ ଓ ନିଶାଶକ୍ତ ବ୍ୟକ୍ତିଙ୍କ ପାଇଁ ଆଡ୍ଡା ସ୍ଥଳି ପାଲଟିଛି ଏହି ସ୍ଥାନ । ତେବେ ଏ ନେଇ ବିଭିନ୍ନ ସଙ୍ଗଠନ ଏବଂ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ପ୍ରଥମେ ୭୫ ଲକ୍ଷ ପରେ ପୁଣି ମୁକ୍ତା ଅନ୍ତର୍ଗତ ୧୧ ଲକ୍ଷ ମୋଟ ୮୬ ଲକ୍ଷ ଖର୍ଚ୍ଚ ପରେ ବି କାହା ଉଦ୍ଦେଶ୍ୟରେ ଠିକା ସଂସ୍ଥା ଏ ଯାଏଁ କାର୍ଯ୍ୟ ସମାପ୍ତ କରୁ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଜନତା ।
ତେବେ ଖୁବ ଶୀଘ୍ର କାମ ସମ୍ପୂର୍ଣ୍ଣ ହେବ ଏବଂ ଏକ ସୁରକ୍ଷା କର୍ମି ନିୟୋଜିତ କରାଯିବ ବୋଲି କହିଛନ୍ତି ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହି ଅଧିକାରୀ । ତେବେ ବର୍ତ୍ତମାନ ଦେଖିବା ବାକି ରହିଲା କେବେ ସୁଦ୍ଧା ଏହି ମୃତଦେହ ସତ୍କାର ଗୃହ ସମ୍ପୂର୍ଣ୍ଣ ହେଉଛି ।