ଭୁବନେଶ୍ବର : ଦିନକ ପରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ଭୁବନେଶ୍ବର ଜନତା ମୈଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଜନତା ମଇଦାନରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଛି । ଗୃହ ସଚିବ ସତ୍ୟବ୍ରତ ସାହୁଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ, ପୋଲିସ କମିଶନର ପ୍ରସ୍ତୁତି କାର୍ଯ୍ୟ ବୁଲି ଦେଖିଛନ୍ତି । ଏସପିଜି ଅଧିକାରୀ ମଧ୍ୟ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ସୁରକ୍ଷା ବ୍ୟବସ୍ଥା କିଭଳି ରହିଛି, ସେ ନେଇ ଡିଜିପି ଓ ପୋଲିସ କମିଶନରଙ୍କ ସହ ଆଲୋଚନା କରିଥିଲେ ଏସପିଜି ଟିମ୍ । ସୁରକ୍ଷା ପାଇ ୫୦ ପ୍ଳାଟୁନ ପୋଲିସ ଫୋର୍ସ, ଦେଢ଼ ଶହରୁ ଅଧିକ ଅଫିସର ନିଯୁକ୍ତ ହେବେ ।
ଆଜି କାରକେଡ୍ ରିହରସାଲ କରାଯିବ । ମୋଦିଙ୍କ ପାଇଁ ଆସନ୍ତାକାଲି ମଧ୍ୟରେ ବିମାନରେ ୪ଟି କାର୍ ଆସିବ । ଏହି କାର୍ ଗୁଡ଼ିକ ବୁଲେଟ୍ ଓ ବୋମା ନିରୋଧି । ୧୭ ତାରିଖରେ ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରେ ପହଞ୍ଚିବା ପୂର୍ବରୁ ଏ ସବୁ ଗାଡ଼ି ପହଞ୍ଚିବ । ଆଲୋକୀକରଣ ଠାରୁ ଆରମ୍ଭ କରି ସୁରକ୍ଷା କଡ଼ାକଡ଼ି କରାଯାଇଛି । ସଭାସ୍ଥଳ ଠାରୁ ବିମାନ ବନ୍ଦର ପର୍ଯ୍ୟନ୍ତ ବାରିକେଡ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ଲାଗିଲାଣି ବିଶାଳ ହୋର୍ଡିଂ।