ପାଞ୍ଚ ଦିନର ସାଥି ହୋଇ କନ୍ୟାର ହାତ ଛାଡି ଆଖି ବୁଜିଲା ବର

ଆଳି (କେନ୍ୟୁଜ) : କନ୍ୟା ହାତରୁ ଛାଡିନି ମେହେନ୍ଦୀ ପାଦରୁ ଲିଭିନି ଅଳତା, ସ୍ୱାମୀ ଲଗାଇଥିବା ମଥାର ସିନ୍ଦୁର ବି ସତେଜ୍‌ ଅଛି, କିନ୍ତୁ ମାତ୍ର ପାଞ୍ଚ ଦିନର ସାଥି ହୋଇ ସବୁଦିନ ପାଇଁ ଛାଡି ଚାଲିଗଲେ ସାତ ଜନ୍ମ ପାଇଁ ସାଥି ହୋଇଥିବା ବର। କେତେ ଧୁମଧାମରେ ହୋଇଥିଲା ବାହାଘର, ମନରେ ଅନେକ ଆଶା ଆକାଂକ୍ଷା ରଖି ଜୀବନକୁ ନୂଆ କରି ଆରମ୍ଭ କରିବାକୁ ସ୍ୱପ୍ନ ଦେଖୁଥିଲେ ଏହି ଦୁଇ ବରକନ୍ୟା କିନ୍ତୁ କିଏ ଜାଣିଥିଲା ଏମାନଙ୍କ ସାଥ୍‌ କେବଳ ୫ ଦିନର।

ବିଶ୍ୱାସ କରନ୍ତୁ ଏ ଘଟଣା ଶୁଣିଲେ ଆପଣ ନିଜକୁ ସମ୍ଭାଳିପାରିବେନି ମନ ବ୍ୟଥିତ ହୋଇଯିବ ନିଶ୍ଚୟ। ଏଭଳି ଛାତିଥରା ଖବର ଆସିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ଦୁର୍ଗାଦେବୀପଡା ଗାଁରୁ। ଏହି ଗାଁର ସଞ୍ଜୟ ନାୟକ ନିଜ ବଡ ଭାଇଙ୍କ ସହ ଵେଙ୍ଗାଲୁରରେ ରହି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସଞ୍ଜୟଙ୍କ ବାହାଘର ରାଜକନିକାର ଓଳାଭର ଅଞ୍ଚଳର ଏକ ଗାଁରେ ସ୍ଥିର ହୋଇଥିଲା । ବାହାଘର ଠିକ୍ ହେବା ପରେ ସେ ଗତ ୧ ତାରିଖରେ ବଡ ଭାଇଙ୍କ ସହ ଗାଁକୁ ଫେରିଥିଲେ। ଆଉ ୯ ତାରିଖ ଦିନ ବିବାହ ଅନୁଷ୍ଠିତ ହୋଇଥିଲା।

ହେଲେ ବେଙ୍ଗାଲୁରୁରୁ ଫେରିବା ପରେ ଅସୁସ୍ଥ ଅନୁଭବ କରୁଥିଲେ ସଞ୍ଜୟ। ଥଣ୍ଡା, ଜ୍ୱର ହେବା ସହ କାଶ ମଧ୍ୟ ଲାଗି ରହିଥିଲା। ମେଡିସିନ ଖାଇବା ପରେ ମଧ୍ୟ ଜ୍ୱର କମିନଥିଲା। ଅସୁସ୍ଥତା ସତ୍ତ୍ବେ ମଧ୍ୟ ବିବାହ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଚତୁର୍ଥୀ ରାତିରେ ହିଁ ସଞ୍ଜୟଙ୍କ ଦେହ କ୍ରମଶଃ ଅସୁସ୍ଥତା ଦେଖା ଦେବାରୁ ତାପର ଦିନ ଅର୍ଥାତ ଚତୁର୍ଥୀ ବାସି ଦିନ ହିଁ ପରିବାର ଲୋକେ ତାଙ୍କୁ ଯାଜପୁର ମେଡିକାଲକୁ ନେଇ ଚିକିତ୍ସା ଆରମ୍ଭ କରିଥିଲେ ହେଲେ ସ୍ବାସ୍ଥ୍ୟବସ୍ଥାରେ କିଛି ସୁଧାର ନ ଆସିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଗଲା। କିନ୍ତୁ ବୋଧହୁଏ ସଞ୍ଜୟଙ୍କ ଶରୀରକୁ ଏହି ଅଦୃଶ୍ୟ ରୋଗ କରୋନା ପୂରା କାବୁ କରିନେଇଥିଲା। ଯେଉଁଥିପାଇଁ ଏତେ ଚେଷ୍ଟା ପରେ ବି ନିଜ ନିଶ୍ୱାସକୁ ଅଟକାଇ ପାରିଲେନି ସଞ୍ଜୟ। ଚିକିତ୍ସାଧୀନ ଅବସ୍ଥାରେ ହିଁ ହସପିଟାଲ ବେଡରେ ହିଁ ଆଖି ବୁଜିଦେଲେ। ଆଉ ଛାଡି ଚାଲିଗଲେ ନିଜ ପରିବାରକୁ ଆଉ ମାତ୍ର ପାଞ୍ଚ ଦିନର ସାଥି ହୋଇଥିବା ନବବିବାହିତା ପତ୍ନୀକୁ।

ସତରେ କେତେ ଦୁଃଖ ସହିଲେ ଏ ପରିବାର। ଭଗବାନଙ୍କୁ ଏମାନଙ୍କୁ ଏତେ ବଡ ଦୁଃଖକୁ ସହିବାକୁ ଧର୍ଯ୍ୟ ଦିଅନ୍ତୁ। ଆଉ କାହାକୁ ବି ଏମିତି ଦିନ ନଦେଖାନ୍ତୁ ଭଗବାନ। ସମସ୍ତଙ୍କୁ ଅନୁରୋଧ କରୋନାକୁ ଗମ୍ଭୀର ସହ ନିଅନ୍ତୁ। ଯଦି ଆପଣଙ୍କର ଲକ୍ଷଣ ଅଛି ତାହେଲେ ଏମିତି ଭାବେ ଦାୟିତ୍ୱହୀନ ନ ହୋଇ ଉପଯୁକ୍ତ ଚିକିତ୍ସାରେ ରୁହନ୍ତୁ। ନଚେତ କରୋନା ଦେଖେନା ସମ୍ପର୍କ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.