ଧରାପଡିଲା ତୀରବିଦ୍ଧ ଦନ୍ତାହାତୀ, ଦୀର୍ଘ ସମୟ ପରେ ଟ୍ରାଙ୍କୁଲାଇଜି କଲା ବନବିଭାଗ

ନରସିଂହପୁର : ଧରାପଡିଲା ତୀରବିଦ୍ଧ ଦନ୍ତାହାତୀ । ଦୀର୍ଘ ସମୟ ପରେ ଟ୍ରାଙ୍କୁଲାଇଜି କରି ତୀର କାଢ଼ିଲେ ବନବିଭାଗର ସ୍ବତନ୍ତ୍ର ଟିମ୍ । ହାତୀକୁ କାବୁ କରିବା ପାଇଁ ଢେଙ୍କାନାଳ ଏବଂ ନନ୍ଦକାନନରୁ ଆସିଥିଲା ସ୍ବତନ୍ତ୍ର ଟିମ୍ । ହାତୀର ୪ଟି ଜାଗାରେ ତୀର ମାର ହୋଇଥିବା ସୂଚନା ମିଳିଛି । ନରସିଂହପୁରର ପୂର୍ବ ବନାଞ୍ଚଳ ଅଧିନରେ ଥିବା ଜଙ୍ଗଲରେ ହାତୀକୁ ତୀରମାଡ଼ ହୋଇଛି। ରଘୁପାଣି ବନ୍ଧ ନିକଟରେ ଆହତ ଅବସ୍ଥାରେ ହାତୀ ବୁଲୁଥିଲା ।

ସୂଚନା ଅନୁସାରେ ଆଠଗଡ଼ ବନଖଣ୍ଡ ନରସିଂହପୁର ପୂର୍ବାଞ୍ଚଳ ରେଞ୍ଜ ସେରମୁଣ୍ଡା ବିଟ୍‌ ରଘୁପାଣି ବନ୍ଧ ନିକଟରେ ଆହତ ଅବସ୍ଥାରେ ପଡିରହି ଥିଲା ହାତୀ । ଜଙ୍ଗଲରେ ହାତୀଟିକୁ ଅସୁସ୍ଥ ଅବସ୍ଥାରେ ବୁଲୁଥିବାର ଖବର ପାଇଥିଲା ବନବିଭାଗ । ଏହାପରେ ପାଟ୍ରୋଲିଂ କରି ପୂର୍ବାଞ୍ଚଳ ରେଞ୍ଜ ସଂରକ୍ଷିତ ଜଙ୍ଗଲରୁ ହାତୀକୁ ଠାବ କରିଥିଲା ବନବିଭାଗ । ହେଲେ ହାତୀକୁ କାବୁ କରିବାରେ ବିଫଳ ହୋଇଥିଲା ବନବିଭାଗ । ଆଉ ଏଥି ପାଇଁ ଢେଙ୍କାନାଲ, ନନ୍ଦନକାନନ ଏବଂ ବନବିଭାଗରର ଏକ ଟିମ୍‌ ଆସି ହାତୀକୁ ଟ୍ରାଙ୍କୁଲାଇଜ୍‌ କରି ତୀର କାଢ଼ିଛି ।

You might also like