ସାମୁଦ୍ରିକ ଝଡ ଦାନା ବାତ୍ୟା ରୂପରେ ଉପକୂଳ ଓଡିଶାରେ ତାଣ୍ଡବ ରଚିବା ପରେ ଫେରି ଯାଇଛି । କିନ୍ତୁ ଏହାର ପ୍ରଭାବରେ ଅସ୍ତରଙ୍ଗ ଏବଂ କାକଟପୁର ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିଥିଲା । ଏହି ସାମୁଦ୍ରିକ ଝଡ ଛାଡି ଚାଲିଗଲା ପରେ ଏହାର ପ୍ରଭାବରେ ଅସ୍ତରଙ୍ଗ ଏବଂ କାକଟପୁର ଅଞ୍ଚଳର ଅଧିକାଂଶ ଲୋକମାନେ ଜ୍ଵର ରୋଗରେ ପୀଡିତ ରହିଥିବା ଦେଖିବାକୁ ମିଳିଛି । ସାଧାରଣ ଭାବରେ ଜ୍ଵର ସାଙ୍ଗକୁ କାସ, କଫ, ଶରୀରରେ ପୀଡା, କାନ ଯନ୍ତ୍ରଣା, ମୁଣ୍ଡ ବିନ୍ଧା ଆଦି ସମସ୍ୟା ଦେଖିବାକୁ ମିଳୁଛି । ଯାହାଫଳରେ ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ରୋଗୀଙ୍କ ସଂଖ୍ୟା ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି । ଏହି ଜ୍ଵର ରୋଗରେ ପୀଡିତ ରୋଗୀ ମାନେ ନିୟମିତ ଔଷଧ ଖାଉଥିବା ବେଳେ ସେମାନଙ୍କ ଶରୀରରୁ ଜ୍ଵର ଭଲ ହେଉନଥିବା କହିଛନ୍ତି ଅନେକ ରୋଗୀ ।
ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କୁ ଚିକିତ୍ସା କରାଯାଉଥିବା ବେଳେ ରୋଗୀମାନଙ୍କ ରକ୍ତ ନମୁନା ମଧ୍ୟ ପରୀକ୍ଷା କରାଯାଉଛି । ଅସ୍ତରଙ୍ଗ, କାକଟପୁର ଅଞ୍ଚଳରେ ରହିଥିବା ବିଭିନ୍ନ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରମାନଙ୍କରେ ରହୁଥିବା ଡାକ୍ତରମାନେ ରୋଗୀମାନଙ୍କୁ ଚିକିତ୍ସା କରୁଥିବା ବେଳେ ସରକାରୀ ନିରାମୟ ଔଷଧ ରୋଗୀମାନଙ୍କୁ ଦିଆଯାଉଥିବା କହିଛନ୍ତି ଅସ୍ତରଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ।
ଅନ୍ୟପଟେ ରୋଗୀମାନେ ଚିକିତ୍ସିତ ହୋଇ ଔଷଧ ଖାଇଲେ ମଧ୍ୟ ଜ୍ଵର ରୋଗ ଛାଡୁନଥିବା କହିଛନ୍ତି କେତେକ ଜ୍ଵରରେ ଆକ୍ରାନ୍ତ ହୋଇଥିବା ରୋଗୀ । ବାତ୍ୟା ପୂର୍ବରୁ ଜଳବାଯୁ ଉତ୍ତପ୍ତ ରହିଥିଲା ଏହି ସମୟରେ ବାତ୍ୟାର ପ୍ରଭାବ ଆରମ୍ଭ ହେବା ଯୋଗୁଁ ଜଳବାୟୁରେ ପରିବର୍ତ୍ତନ ଆସିଲା । ଏହାପରେ ବର୍ତ୍ତମାନ ଋତୁର ପରିବର୍ତ୍ତନ ହେବାକୁ ଯାଉଛି ଯାହା ରୋଗ ସୃଷ୍ଟି କରୁଥିବା ଜୀବାଣୁ ଏବଂ କୀଟାଣୁମାନଙ୍କ ବଢିବାରେ ସହାୟକ ହେଉଛି । ଏନେଇ ବାୟୁଜନିତ ସଂକ୍ରମଣ ଯୋଗୁଁ ଏଭଳି ରୋଗ ବଢ଼ୁଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି ।