ରାଜନୀତି ରେ ବିରଳ ଅଟନ୍ତି ସ୍ଵର୍ଗତ ନବ ଦାସ, ଜଣେ ନିର୍ଭୀକ ଓ ବିଚକ୍ଷଣ ନେତାଙ୍କୁ ହରାଇଲା ରାଜ୍ୟ

ନବ କିଶୋର ଦାସ, ଜଣେ ନିର୍ଭୀକ ରାଜ ନେତା ଥିଲେ। ତାଙ୍କ ଭଳି ନେତା ଓଡ଼ିଶା ରାଜନୀତି ରେ ବିରଳ ଅଟନ୍ତି। ଜନ୍ମ ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ଅନ୍ତର୍ଗତ ମିରଗାମୁଣ୍ଡା ଗ୍ରାମରେ। ବାପା ନରସିଂହ ଚନ୍ଦ୍ର ଦାସ, ଜଣେ ଜଙ୍ଗଲ ଜାତ ଦ୍ରବ୍ୟ ବିଶେଷ କରି ବାଉଁଶ ଠିକାଦାର। ନିଜର କାର୍ଯ୍ୟଯୋଗୁଁ ସେ ପରିବାର ସହ ଆସି ସମ୍ବଲପୁର ସହର ର ମୋଦି ପଡ଼ା ରେ ବସବାସ କରିଥିଲେ। ସ୍ବର୍ଗତ ନବ କିଶୋର ଦାସ ନରସିଂହ ଚନ୍ଦ୍ର ଦାସ ଓ ବିଷ୍ଣୁପ୍ରିୟା ଦାସ ଙ୍କ ଦ୍ଵିତୀୟ ପୁତ୍ର ଅଟନ୍ତି।

ବଡ ପୁଅ ରାଜ ନେତା ରାଜ କିଶୋର ଦାସ, ମଧ୍ୟମ ସ୍ଵର୍ଗତ ଦାସ, ତୃତୀୟ ରେ ବିଶିଷ୍ଟ ସ୍ପେଶିଆଲ କ୍ଲାସ ଠିକାଦାର ବ୍ରଜ କିଶୋର ଦାସ, ସାନ ପୁଅ ବିଶିଷ୍ଟ ବ୍ୟବସାୟୀ ଯୁଗଳ କିଶୋର ଦାସ ଓ ଏକ ମାତ୍ର ଭଉଣୀ ପୁର୍ବତନ ସମ୍ବଲପୁର ପୌର ପରିଷଦ ଅଧ୍ୟକ୍ଷ ଆନନ୍ଦ ଜେନା ଙ୍କ ଧର୍ମପତ୍ନୀ ଅଟନ୍ତି।ସ୍ଵର୍ଗତ ଦାସ ମୋଦି ପଡା ଉପ୍ରା ବିଦ୍ୟାଳୟ ରୁ ନିଜର ଶିକ୍ଷା ଜୀବନ ଆରମ୍ଭ କରି ମାମୁଁ ଘର ଭୋଜପୁର ଉଚ୍ଚ ବିଦ୍ୟାଳୟ ରୁ ମାଟ୍ରିକ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ। ପରବର୍ତ୍ତୀ ସମୟରେ ସମ୍ବଲପୁର ଗଙ୍ଗାଧର ମେହେର ମହାବିଦ୍ୟାଳୟ ରୁ କଲେଜ ଜୀବନ ଆରମ୍ଭ କରିଥିଲେ। ପ୍ରାଥମିକ ସ୍ତରରେ ସେ କମ୍ୟୁନିଷ୍ଟ ଦଳର ଛାତ୍ର ସଂଗଠନ ଏ ଆଇ ଏସ ଏଫ୍ ର ଜଣେ ସକ୍ରିୟ ଯୁବ ନେତା ଥିଲେ।ପରବର୍ତ୍ତୀ ସମୟରେ ଛାତ୍ର କଂଗ୍ରେସ ର ନେତୃତ୍ୱ ନେଇଥିଲେ।

୧୯୮୦ ମସିହା ରେ ଗଙ୍ଗାଧର ମେହେର ମହାବିଦ୍ୟାଳୟ ରେ ଛାତ୍ର ଅଶାନ୍ତି ମୁଣ୍ଡ ଟେକିଥିଲା। ତାରି ନେତୃତ୍ବ ନେଇ ସ୍ଵର୍ଗତ ଦାସ ତତ୍କାଳୀନ କଂଗ୍ରେସ ବରିଷ୍ଠ ନେତା ପୁର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ନିକଟତର ହୋଇପାରିଥିଲେ।ସେ ସମୟରେ ସ୍ଵର୍ଗତ ଦାସ ଙ୍କୁ କଂଗ୍ରେସ ର ବରିଷ୍ଠ ନେତୃ ମଣ୍ଡଳୀ ସ୍ଵର୍ଗତ କୃପାସିନ୍ଧୁ ଭୋଇ, ସ୍ଵର୍ଗତ ଶ୍ରୀବଲ୍ଲଭ ପାଣିଗ୍ରାହୀ , ସ୍ଵର୍ଗତ ବନମାଳୀ ବାବୁ ଙ୍କ ମଧ୍ୟ ରୁ କେବଳ ସ୍ଵର୍ଗତ ବାବୁ ତାଙ୍କୁ ସମର୍ଥନ ଜଣାଇଥିଲେ, ଅନ୍ୟ ସମସ୍ତେ ତାଙ୍କ ବିରୋଧ ରେ ଥିଲେ। ଏହି ବିଷୟ ହିଁ ସ୍ଵର୍ଗତ ଦାସ ଙ୍କୁ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ସହ ଘନିଷ୍ଠତା ବଢ଼ାଇବାରେ ସହଯୋଗ କରିଥିଲା।

କାରଣ ସେତେବେଳେ ସ୍ଵର୍ଗତ ପଟ୍ଟନାୟକ ଙ୍କୁ ପଶ୍ଚିମ ଓଡ଼ିଶା ରେ ଜଣେ ଟାଣୁଆ ଯୁବ ନେତା ର ଅନ୍ୱେଷଣ ଥିଲା। ଏହାର ସୁଯୋଗ ମିଳିଥିଲା ସ୍ଵର୍ଗତ ଦାସ ଙ୍କୁ। ଛାତ୍ର ରାଜନୀତି ରେ ସେ ପଶ୍ଚିମ ଓଡ଼ିଶା ରେ ଜାନକୀ ଙ୍କ ଗୋଷ୍ଠୀ କୁ ପରିଚଳନା କରୁଥିବା ବେଳେ ଉପକୂଳ ଓଡ଼ିଶାରେ ସ୍ଵର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ସମ୍ଭାଳିଥିଲେ ବୋଲି ସେ ସମୟରେ ଚର୍ଚ୍ଚା ହେଉଥିଲା। ୧୯୮୩ ମସିହା ରେ ସ୍ଵର୍ଗତ ଦାସ ବିକମ ପଢୁଥିବା ବେଳେ ଗଙ୍ଗାଧର ମେହେର ମହାବିଦ୍ୟାଳୟ ର ଛାତ୍ର ସଂସଦ ନିର୍ବାଚନ ରେ ସାଧାରଣ ସମ୍ପାଦକ ପଦବୀ ପାଇଁ ନିର୍ବାଚନ ଲଢ଼ି ତାଙ୍କର ପ୍ରତିପକ୍ଷ ପ୍ରତିଦ୍ବନ୍ଦୀ ଓଁକାର ତ୍ରିପାଠୀ ଙ୍କ ଠାରୁ ନିର୍ବାଚନ ହାରି ଯାଇଥିଲେ।

ଛାତ୍ର ଜୀବନ ରୁ ସାଲିସ ବିହୀନ ରାଜନୀତି କରି କରି ସେ ନିଜକୁ ଜଣେ ସଂଘର୍ଷଶୀଳ ନେତା ଭାବରେ ପ୍ରତିପାଦିତ କରିପାରିଥିଲେ। ନିଜ ଦଳ ଭାରତୀୟ କଂଗ୍ରେସ ଦଳ ରେ ଅବିଭକ୍ତ ସମ୍ବଲପୁର ଜିଲ୍ଲା ର ତତ୍କାଳୀନ ସମସ୍ତ ବରିଷ୍ଠ ନେତା ଙ୍କ ବିରୁଦ୍ଧରେ ନିଜକୁ ପ୍ରତିଷ୍ଠିତ କରାଇ ସେ ନିଜକୁ ଜଣେ ସାଲିସ ବିହୀନ , ସଂଘର୍ଷଶୀଳ ନେତାର ପରିଚୟ ଦେଇଥିଲା। ଜଣେ ପ୍ରୋ ଆକ୍ଟିଭ ରାଜନେତା ଭାବରେ ତାଙ୍କର ପରିଚୟ ତାଙ୍କୁ ଯୁବ ପୀଢ଼ି ଙ୍କ ମଧ୍ୟରେ ବେଶ୍ ଆଦୃତ କରିପାରିଥିଲା। ସେ ନିଜେ ମହାବିଦ୍ୟାଳୟ ନିର୍ବାଚନ ଜିତି ନ ଥିଲେ ମଧ୍ୟ ତାର ପରବର୍ତ୍ତୀ ସମୟରେ ଗଙ୍ଗାଧର ମହାବିଦ୍ୟାଳୟ ରେ ତାଙ୍କ ଗୋଷ୍ଠୀ ରୁ ହେଉ କି ତାଙ୍କ ଗୋଷ୍ଠୀ ବିରୁଦ୍ଧରେ ଛିଡ଼ା ହୋଇ ବିଜୟୀ ହୋଇଥିବା ପ୍ରାୟ ସଭାପତି ପ୍ରାୟ ତାଙ୍କ ପକ୍ଷରେ ସାମିଲ ହେଉଥିଲେ।

ଧିରେ ଧିରେ ତାଙ୍କ ନେତୃତ୍ବ କ୍ଷମତା ବଢିବା ସହ ତାଙ୍କର ଲୋକ ପ୍ରୀୟତା ରେ ବୃଦ୍ଧି ଘଟିଥିଲା। ସେ ପ୍ରଥମେ ନବେ ଦଶକ ରେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ପ୍ରାର୍ଥୀ ହେବା କୁ ଚେଷ୍ଟା କରି ସେଥିରେ ବିଫଳ ହେବା ପରେ ଏବଂ ସମ୍ବଲପୁର ରେ ପୂର୍ବ ନେତୃତ୍ଵ ଥିବାରୁ, ସେ ଦେବଗଡ଼ ବିଧାନ ସଭା ପ୍ରାର୍ଥୀ ହେବା ସକାଶେ ସେଠାରେ ରହି ସେଠାକାର ଲୋକଙ୍କ ସହ ମିଳାମିଶା କରିବା ଆରମ୍ଭ କରିଥିଲେ। ହେଲେ ଦଳ ସେଠାରେ ମଧ୍ୟ ତାଙ୍କୁ ନିରାଶ କରିଥିଲା। ତେଣୁକରି ସେ ପରବର୍ତ୍ତୀ ସମୟରେ ରେଢ଼ାଖୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀ ରୁ ଭାଗ୍ୟ ଆପଣେଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦଳ ତାଙ୍କୁ ସେଠାରୁ ଟିକେଟ ଦେବ କହି ଶେଷ ମୁହୂର୍ତ୍ତ ରେ ନିରାଶ କରିଥିଲା।

ଠିକ୍ ନିର୍ବାଚନ ସମୟର ଏହି ସବୁ ହେଉଥିବା ଦେଖି ତତ୍କାଳୀନ କଂଗ୍ରେସ ର ସବୁଠୁ ସହଜ ସିଟ ଭାବରେ ପରିଗଣିତ ହେଉଥିବା ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ରେ ନିଜକୁ ପ୍ରତିଷ୍ଠିତ କରିବାକୁ ଆରମ୍ଭ କରିଥିଲେ । ପୂର୍ବରୁ ନିଜର ଅତ୍ୟନ୍ତ ଘନିଷ୍ଟ ଥିବା କଂଗ୍ରେସ ର ବରିଷ୍ଠ ନେତା ବିରେନ୍ଦ୍ର ପାଣ୍ଡେ ଯାହାଙ୍କ ସହ ସ୍ଵର୍ଗତ ଦାସ ଙ୍କ ଉତ୍ତମ ସମ୍ପର୍କ ଥିଲା ତାଙ୍କ ପାଇଁ କଣ୍ଟା ହେବାକୁ ବସିଲେ। ୨୦୦୦ ମସିହା ରେ ଚେଷ୍ଟା କରି ଝାରସୁଗୁଡ଼ା ରୁ ଟିକେଟ ପାଉ ପାଉ ତତ୍କାଳୀନ କଂଗ୍ରେସ ବରିଷ୍ଠ ନେତା ହେମାନନ୍ଦ ବିଶ୍ଵାଳ ଙ୍କ ବିରୋଧ ର ସମ୍ମୁଖୀନ ହୋଇ ଶେଷ ମୁହୂର୍ତ୍ତରେ ଦଳୀୟ ଟିକେଟ ରୁ ବଞ୍ଚିତ ହୋଇଥିଲେ।

ହେଲେ ଯେହେତୁ ଝାରସୁଗୁଡ଼ା ଅଣ ଓଡ଼ିଆ ବେଲ୍ଟ ଅଟେ ,ନବ ଙ୍କ ରାଜନୀତି କରିବା ଷ୍ଟାଇଲ ସେଠାକାର ଲୋକଙ୍କୁ ଭଲ ଲାଗିଲା। ସେ ସେଠାକାର ଜଣେ ସୁଦୃଢ଼ ନେତା ଭାବରେ ନିଜକୁ ପ୍ରତିଷ୍ଠିତ କରିବାରେ ସଫଳ ହୋଇଥିଲେ। ୨୦୦୯ ରେ କଂଗେସ ଦଳ ତାଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରିଥିଲା ଏବଂ ସେ ମଧ୍ୟ ନିଜର ବ୍ୟକ୍ତିଗତ ସଙ୍ଗଠନ, ଦଳୀୟ ଭୋଟ ମାଧ୍ୟମରେ ନିର୍ବାଚନରେ ବିଜୟ ଲାଭ କରିପାରିଥିଲେ ।

ରାଜ୍ୟ କଂଗ୍ରେସ ର ଜଣେ ଟାଣୁଆ ନେତା ଥିଲେ । ଅବିଭକ୍ତ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ର ବହୁ ପଦ ପଦବୀ ରେ ରହିବା ପରେ ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ତଥା ଅଖିଳ ଭାରତୀୟ କଂଗ୍ରେସ କମିଟି ସଦସ୍ୟ, ପରେ ରାଜ୍ୟ କଂଗ୍ରେସ ଉପ ସଭାପତି,କାର୍ଯ୍ୟକାରୀ ସଭାପତି ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.