ନବରଙ୍ଗପୁର: ବନ୍ୟା ପାଣି ଭିତରେ ପଶି ବିପନ୍ନଙ୍କୁ ରିଲିଫ୍ ବାଣ୍ଟିଲେ ମହିଳା ବିଡିଓ

ନବରଙ୍ଗପୁର (କେନ୍ୟୁଜ୍): ମହିଳା ବିଡିଓଙ୍କ ଦୁଃସାହସିକ ପଦକ୍ଷେପ । ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚିଲେ ବିଡିଓ । ବନ୍ୟା ପରିସ୍ଥିତିର ତ୍ୱରିତ ମୁକାବିଲା କରି, ସାହାସିକତାର ପରିଚୟ ଦେଇଛନ୍ତି ନବରଙ୍ଗପୁର କୋଷାଗୁମୁଡା ବ୍ଳକ୍‌ର ମହିଳା ବିଡିଓ ଶାନ୍ତିପ୍ରଭା ପ୍ରଧାନ । ତିନି ଦିନର ଲଗାଣ ବର୍ଷା ପରେ ଅଚାନକ ଉପର ମୁଣ୍ଡରୁ ପାଣି ମାଡି ଆସିଥିଲା ତଳମୁଣ୍ଡକୁ । ବ୍ଳକ୍‌ର ୯ଟି ଗାଁକୁ ଜଳବନ୍ଦୀ କରି ଦେଇଥିଲା । ସୃଷ୍ଟି ହୋଇଥିଲା ବନ୍ୟା ପରିସ୍ଥିତି । ଭୟଙ୍କର ସ୍ଥିତି ଦେଖି ବିଡିଓ ଶାନ୍ତିପ୍ରଭା ସଙ୍ଗେ ସଙ୍ଗେ ପ୍ରସ୍ତୁତ ହୋଇଥିଲେ । ୨ଟି ରବର ବୋଟ୍‌ରେ ଓଡ୍ରାଫ ଟିମ ସହିତ ରିଲିଫ ସାମଗ୍ରୀ ଧରି ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚିଥିଲେ । ପାଣି ଘେରରେ ଥିବା ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ ଯୋଗାଇ ଦେଇଥିଲେ । ପାଣି ପଶିବାର ମାତ୍ର ୩ ଘଣ୍ଟା ଭିତରେ ରିଲିଫ ସହ ବିପନ୍ନଙ୍କ ପାଖରେ ବିଡିଓ ପହଞ୍ଚି ଯାଇଥିଲେ । ନଦୀ ଭିତରେ ବୋଟ ଫସି ଯିବାରୁ ଫେରିବା ବେଳେ ନାକେଦମ ହୋଇଥିଲେ । କିନ୍ତୁ ସାହସରେ ସହ ପରିସ୍ଥିତିର ସାମ୍ନା କରିଥିଲେ ।

ବିଡିଓଙ୍କ ସାଙ୍ଗରେ ଥିଲେ କୋଡିଙ୍ଗା ତହସିଲଦାର ସବ୍ୟସାଚୀ ଜେନା, ଅନ୍ୟ କେତେକ ସରକାରୀ କର୍ମଚାରୀ ଏବଂ ପୋଲିସ କର୍ମଚାରୀ । ବିଡିଓଙ୍କର ଏଭଳି ସାହସିକତା ପାଇଁ ତାଙ୍କୁ ବିଭିନ୍ନ ମହଲରେ ସାବାସୀ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like