ଚାକିରି ହରାଇ ଶେଷରେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କଲେ ଯୁବକ

ଢେଙ୍କାନାଳ: ଚାକିରି ହରାଇ ଶେଷରେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କଲେ ଯୁବକ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ତୁମୁସିଙ୍ଗା ଥାନା ଅନ୍ତର୍ଗତ ସୋଗରପସି ଗାଁର ରୁଦ୍ର ନାରାୟଣ ଦାସ ୨୦୧୮ରେ O.S.A.P. କନେଷ୍ଟବଳ ଭାବେ ଚାକିରୀ ପାଇଥିଲେ । ଟ୍ରେନିଙ୍ଗ ସମୟରେ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଆରାମ ନେବା ପାଇଁ ପଠାଇ ଦିଆଯାଇଥିଲା । କିନ୍ତୁ ସେ ସୁସ୍ଥ ହୋଇ ଫେରିଲା ପରେ ତାଙ୍କୁ ଚାକିରିରୁ ବହିସ୍କୃତ କରି ଦିଆ ଯାଉଛି । ଯାହାପରେ ଜୀବନରୁ ନିରାଶ ହୋଇ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି ରୁଦ୍ର ।
ତେବେ ଏମିତି ନୁହେଁ ଯେ ରୁଦ୍ର ନିଜ ଚାକିରୀ ପାଇଁ କୌଣସି ଚେଷ୍ଟା କରିନାହାନ୍ତି । ପୁନଶ୍ଚ ଚାକିରି ଖଣ୍ଡେ ପାଇବା ପାଇଁ ବିଭାଗୀୟ ଅଧିକାରୀ, ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳଙ୍କୁ ଭେଟି ନିରାସ ହୋଇଛନ୍ତି । ଏନେଇ ଆଇନର ଆଶ୍ରୟ ନେଇ ଥିବା ବେଳେ ଅର୍ଥ ଅଭାବରୁ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ସବୁଠାରୁ ନ୍ୟାୟ ପାଇଁ ବିଫଳ ହେବା ପରେ ଗତକାଲି ଦ୍ୱିତୀୟ ଥର ମୁଖ୍ୟ ମନ୍ତ୍ରୀଙ୍କୁ ଢେଙ୍କାନାଳରୁ ଚାଲି ଚାଲି ଯାତ୍ରା କରିଥିଲେ । ସବୁଠାରୁ ଦୁଃଖର କଥା ରୁଦ୍ର ଏକ ଗରିବ ପରିବାରର ପିଲା ।
ସେ ବାପା ମାଆଙ୍କର ଏକ ମାତ୍ର ଶିକ୍ଷିତ ପୁଅ ହୋଇଥିବା ବେଳେ ରୋଗଗ୍ରସ୍ତ ବାପା ମାଆଙ୍କୁ ଔଷଧ ଦେବାରେ ସମର୍ଥ ନୁହଁନ୍ତି । ଶେଷରେ ଚରମ ପଦକ୍ଷେପ ଗ୍ରହଣ କରି ନିଜର ଇଛା ମୃତ୍ୟୁ ପାଇଁ ରାଷ୍ଟ୍ରପତି, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜିଲା ପ୍ରଶାସନଙ୍କୁ ଲିଖିତ ଅନୁମତି ଟ୍ୱିଟ୍ କରି ମାଗିଛନ୍ତି । ପୂର୍ବରୁ ରୁଦ୍ର ଓ ତାଙ୍କ ଗରିବ ଓ ରୋଗାଗ୍ରସ୍ତ ବାପା ମାଆ ଓ ସମ୍ପର୍କୀୟ ଢେଙ୍କାନାଳରେ ଥିବା ବାଟାଲିୟନ ଦୁର୍ଗପତିଙ୍କୁ ଭେଟି ଗୁହାରୀ ଜଣାଇଥିଲେ । ହେଲେ କେହି ଶୁଣି ନାହାନ୍ତି ଏମାନଙ୍କ ଦୁଃଖ ।
ରୁଦ୍ରନାରାୟଣ ଦାସ ୨୦୧୮ ମସିହାରେ O.S.A.P 1st battalion କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିଲେ । ସେ ବାଟାଲିୟନ ପକ୍ଷରୁ ଟ୍ରେନିଙ୍ଗ ନେଉଥିବା ବେଳେ ହଠାତ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ପରେ ସୁସ୍ଥ ହୋଇ ରାଉଲକେଲା ଠାରେ ବାଟାଲିୟନ ପକ୍ଷରୁ ହେଉଥିବା ଦ୍ଵିତୀୟ ଟ୍ରେନିଙ୍ଗକୁ ଯାଇଥିବା ବେଳ ରୁଦ୍ରଙ୍କ ଦେହ ଖରାପ ଥିବା କହି ବାହାର କରିଦେଇଥିଲେ । ପରେ ଅନଫିଟ୍ ଦେଖାଇ ତାଙ୍କୁ ଚାକିରିରୁ ବହିଷ୍କୃତ କରିଥିବା ଜଣାପଡ଼ିଛି ।
ଏନେଇ ରୁଦ୍ରଙ୍କ ପରିବାର ପୁଅର ସମ୍ପୂର୍ଣ୍ଣ ସୁସ୍ଥ ଥିବା ସାର୍ଟିଫିକେଟ ସହ ଫାଷ୍ଟ ବାଟାଲିୟନ ଦୁର୍ଗପତିଙ୍କୁ ଦେଖା କରି ଗୁହାରୀ କରିଛନ୍ତି । ଅନ୍ୟପଟେ ରୁଦ୍ର ସୁସ୍ଥ ହେବା ପରେ ମଧ୍ୟ କାର୍ଯ୍ୟରେ ଯୋଗଦାନ କରିପାରୁ ନଥିବାରୁ ପୁରା ଭାଙ୍ଗିପଡିଛନ୍ତି । ରୁଦ୍ର ତାଙ୍କ ଘରେ ଏକ ମାତ୍ର ରୋଜଗାରିଆ ପୁଅ ହୋଇଥିବା ବେଳେ ବାପା ମାଆ ଅନେକ ରୋଗରେ ପିଡିତ ଅଛନ୍ତି । ଏପଟେ ଚାକିରୀ ନଥିବାରୁ ବାପା ମାଆଙ୍କୁ ଔଷଧ ବି ଦେଇପାରୁନାହାନ୍ତି ରୁଦ୍ର । ତେଣୁ ଶେଷରେ ନିଜର ଇଚ୍ଛାମୃତ୍ୟୁ ପାଇଁ ସମସ୍ତଙ୍କୁ ଗୁହାରୀ କରିଛନ୍ତି ରୁଦ୍ରନାରାୟଣ ।
Also read: ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ନିକଟକୁ ଧାଇଁ ଆସିଲେ ୮୫ ବର୍ଷୀୟା ବୃଦ୍ଧା, ମୁଣ୍ଡିଆ ମାରି କଲେ କ୍ଷୋଭ…