ଟିଟିଲାଗଡ଼ : ପ୍ରେମ ବିବାହ କରିବା ପରେ ସ୍ତ୍ରୀକୁ ବିକ୍ରି କରିଦେଲେ । ଏବେ ନିଜ ନାବାଳିକା ଝିଅକୁ, ଅନ୍ୟ ଜଣଙ୍କ ହାତରେ ଟେକିଦେବାକୁ ବସିଥିଲେ । ଟିଟିଲାଗଡ଼ ଥାନାରେ ହୋଇଛି ଅଭିଯୋଗ । ଟିଟିଲାଗଡ଼ ବ୍ଲକ ଜଗୁଆ ଗାଁର ଲବ ବିଶି ଥାନାରେ ଅଭିଯୋଗ କରିଛନ୍ତି, ଵୁରାବନ୍ଧ ଗାଁର ପ୍ରେମା ମହାନନ୍ଦ, ତାଙ୍କ ଝିଅଙ୍କୁ ପ୍ରେମ ବିବାହ କରିଥିଲେ। ବୈଦିକ ରୀତିରେ ହୋଇଥିଲା ବିବାହ ।
ସେମାନଙ୍କର ତିନିଟି ଝିଅ ମଧ୍ୟ ଅଛନ୍ତି। ୭ ବର୍ଷ ତଳେ ପ୍ରେମା ତାଙ୍କ ପତ୍ନୀଙ୍କୁ ଧରି ଦାଦନ ଖଟି ଯାଇଥିଲା ମୁମ୍ବାଇ। ସେଠାରେ ପ୍ରେମା ତାର ପତ୍ନୀଙ୍କୁ ବିକ୍ରି କରି ପଳାଇ ଆସିଥିଲେ । ମୁମ୍ବାଇର ସେହି ବ୍ୟକ୍ତି ଜଣକ, ପ୍ରେମାଙ୍କ ପତ୍ନୀଙ୍କୁ ଦୁବାଇ ନେଇଯାଇଥିଲେ । ଇତି ମଧ୍ୟରେ ପ୍ରେମା ମହାନନ୍ଦ ଦ୍ଵିତୀୟ ବିବାହ କରିଥିବା କୁହାଯାଉଛି । ବର୍ତ୍ତମାନ ଲବ ବିଶି କହୁଛନ୍ତି, ଦୁବାଇରୁ ତାଙ୍କ ଝିଅ ପରିବାର ପାଖକୁ ଫେରିବାକୁ ଚାହୁଁଛି ।
ତେଣୁ ଏ ବିଷୟରେ ଲବ ପ୍ରଶାସନକୁ ଜଣାଇବା ସହ ତୁରନ୍ତ ଉଦ୍ଧାର କରିବାକୁ ଗୁହାରି କରୁଛନ୍ତି । ସେପଟେ ପ୍ରେମା ମହାନନ୍ଦ ନିଜର ୧୭ ବର୍ଷର ନାବାଳିକା ଝିଅକୁ ଜଣେ ୪୫ ବର୍ଷ ବୃଦ୍ଧା ସହ ବିବାହ ପାଇଁ ପ୍ରସ୍ତୁତି କରୁଥିଲେ । ଏହା ଜଣାପଡ଼ିବା ପରେ ଟିଟିଲାଗଡ଼ ମଦର ଟେରେସା ଫାଉଣ୍ଡେସନର ରଞ୍ଜୁ ରାଇମାନ, ଝିଅକୁ ଉଦ୍ଧାର କରି ପୋଲିସ ଓ ପ୍ରଶାସନ କୁ ଜଣାଇଛନ୍ତି । ପୂର୍ବରୁ ୨୦୨୨ ମସିହାରେ ମଧ୍ୟ ଲବ ବିଶି ଝିଅ ବିଷୟରେ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ କୌଣସି ସୁଫଳ ମିଳି ନଥିଲା ।