ପୁଣି ଏକ ଘର ପରିବାର ଉଜାଡ଼ି ଦେଲା କରୋନା, ସ୍ୱାମୀ ମୃତ୍ୟୁ ପରେ ସ୍ତ୍ରୀ’ର ଆତ୍ମହତ୍ୟା, ଦୁଇ ପିଲା କରିବେ କଣ ?

ବାଲେଶ୍ୱର (କେନ୍ୟୁଜ୍‌) : ଅନେକ ସମ୍ପର୍କକୁ ଭାଙ୍ଗି ଦେଇଛି ମହାମାରୀ କରୋନା । କେଉଁଠି ସ୍ତ୍ରୀ ପାଖରୁ ସ୍ୱାମୀକୁ ତ କେଉଁଠି ଛୁଆଙ୍କ ପାଖରୁ ବାପା ମାଆଙ୍କୁ ଅଲଗା କରି ଦେଇଛି । ବାଲେଶ୍ୱରରେ ମଧ୍ୟ ଏଭଳି ଏକ ହୃଦୟ ବିଦାରକ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି । କରୋନା ସମୟରେ ଚିକିତ୍ସା କରୁ କରୁ ଆକ୍ରାନ୍ତ ହୋଇ ଆଖି ବୁଜିଲେ କରୋନା ଯୋଦ୍ଧା ଜଣେ ଡାକ୍ତର । ସ୍ୱାମୀ ଚାଲିଯିବା ଦୁଃଖରେ ଆତ୍ମହତ୍ୟା କରିଦେଲେ ସ୍ତ୍ରୀ । ରହିଗଲେ ଦୁଇ ଛୁଆ । ନାତି ଓ ନାତୁଣୀଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ, ବୁଢ଼ା ଜେଜେ ବାପା ଓ ଜେଜେ ମାଆ।

କୋଭିଡ୍‌ ରୋଗୀଙ୍କ ଚିକିତ୍ସା କରୁ କରୁ ନିଜେ ସେଥିରେ ଆକ୍ରାନ୍ତ ହେଲେ । ଆଉ ଜୀବନ ହରାଇଲେ ଏହି କୋଭିଡ୍‌ ଯୋଦ୍ଧା ଡାକ୍ତର ରାଜେଶ ସିଂ। ଗତ ମେ’ରେ ପ୍ରାଣ ହରାଇଥିଲେ ବାଲେଶ୍ୱର ମାଣିଖମ୍ବ ଅଞ୍ଚଳର ରାଜେଶ । ସ୍ୱାମୀଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଲେ ସ୍ତ୍ରୀ । ମନସ୍ତାପରେ ରହିବା ପରେ କିଛି ଦିନ ଅନ୍ତରରେ ଆତ୍ମହତ୍ୟା କଲେ ସ୍ତ୍ରୀ ଜୁଲି ସିଂ । ଆଗ ପଛ ହୋଇ ଚାଲିଗଲେ ବାପା ମାଆ । ଆଉ ପଛରେ ଛାଡିଗଲେ ଦୁଇ କଅଁଳ ଶିଶୁଙ୍କୁ । ଦିନେ ହସ ଖୁସିରେ ଫାଟି ପଡୁଥିବା ପରିବାର ଆଜି ଦୁଃଖର ଅନ୍ଧକାର ଭିତରେ ହଜି ଯାଇଛି । ଦୁନିଆ କଣ ଜାଣିନଥିବା ନିଷ୍ପାପ ଶିଶୁ ଦୁଇ ଜଣ ଏବେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ । ଘରର ସମସ୍ତେ ବୟସ୍କ । ବୟସ ବଢିବା ସହ ରୋଗାଗ୍ରସ୍ତ ହେଲେଣି । ପୁଅ ବୋହୂଙ୍କୁ ହରାଇ ଆଖିରୁ ଲୁହ ଶୁଖି ନଥିବା ବେଳେ ଏବେ ଦୁଇ ଛୋଟ ଛୁଆଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ରାଜେଶଙ୍କ ବାପା ଓ ମାଆ ।

ଅନ୍ୟପଟେ ଏହି ପରିବାର ପ୍ରତି ସହାୟତାର ହାତ ବଢାଇଛନ୍ତି ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ । ପଠାପଢା ଖର୍ଚ୍ଚ ସହ ଦୁଇ ଶିଶୁଙ୍କୁ ପୋଷ୍ୟ ରୂପେ ଗ୍ରହଣ କରିଛନ୍ତି । ଏହାସହ ରାଜ୍ୟ ସରକାରଙ୍କ ତରଫରୁ ଯାହା ସହାୟତା ରହିଛି ଅବିଳମ୍ବେ ଏହି ପରିବାରକୁ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ବାପା ଓ ମାଆଙ୍କ ମୃତ୍ୟୁ ପରେ ଏବେ ଦୁଇ ଶିଶୁଙ୍କ ସାହା ଭରସା କେବଳ ବୃଦ୍ଧ ଜେଜେ ବାପା ଓ ମାଆ । କେମିତି ଜୀବନ ଆଗକୁ ବଢ଼ିବ ସେ ନେଇ ଚିନ୍ତାରେ ଏମାନେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.