ରାଷ୍ଟ୍ରପତି ପୁରସ୍କାର ପାଇବା ପରେ ଜନ୍ମମାଟିକୁ ଫେରିଲେ ଇସ୍ରୋ ବୈଜ୍ଞାନିକ ଡ଼ଃ ଦିଗେନ୍ଦ୍ର ନାଥ ସ୍ୱାଇଁ

ବ୍ୟାଣ୍ଡ ବାଜା ଘଣ୍ଟ ଘଣ୍ଟାରେ ଫାଟି ପଡୁଛି ସମଗ୍ର ଅଞ୍ଚଳ । ଜମିଛି ଲୋକଙ୍କ ଗହଳି ଆଉ ଏହାରି ଭିତରେ ଚାଲିଛି ବିରାଟ ଶୋଭାଯାତ୍ରା । କେହି ପାଦ ଛୁଇଁ ଆଶୀର୍ବାଦ ନେଉଛନ୍ତି ତ ଆଉ କିଏ ଉତ୍ତରୀୟ ଏବଂ ଗିଫ୍ଟ ଦେଉଛନ୍ତି । ଆପଣ ନିଶ୍ଚୟ ଭାବୁଥିବେ କ’ଣ ଚାଲିଛି ଏଠାରେ । ତେବେ ଏ କେଉଁ ବିବାହ କିମ୍ବା ଉତ୍ସବ ନୁହେଁ ଏ ହେଉଛି ଗ୍ରାମବାସୀଙ୍କ ଭଲ ପାଇବା ଜଣେ ଇସ୍ରୋ ବୈଜ୍ଞାନିକଙ୍କ ପାଇଁ ଯିଏ ରାଷ୍ଟ୍ରପତି ପୁରସ୍କାର ପାଇବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମମାଟିକୁ ଫେରିଛନ୍ତି ।

ଯାହାପରେ ଫୁଲ ଚନ୍ଦନ ଦେଇ ଶୁଭ ମନାସୀ ପାଛୋଟି ନେଲେ ଗାଁ ଲୋକେ । କେମିତି ବା ନ କରିବ, ଗାଁର ସୁନା ପୁଅ ସାରା ଭାରତ ପାଇଁ ଆଣିଛି ଗୌରବ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ । ଏ ଦୃଶ୍ୟ ହେଉଛି ଇସ୍ରୋ ବୈଜ୍ଞାନିକ ଡ଼ଃ ଦିଗେନ୍ଦ୍ର ନାଥ ସ୍ୱାଇଁ ରାଷ୍ଟ୍ରପତି ପୁରସ୍କାର ପାଇବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମ ମାଟି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଗୌତମୀକୁ ଯିବା ସମୟର । ଯାହାକୁ ନେଇ ଜିଲ୍ଲାବାସୀ ତଥା ଗାଁ ଲୋକେ ବେଶ ଖୁସି ଅଛନ୍ତି ।

ରାଷ୍ଟ୍ରପତି ପୁରସ୍କାର ପାଇ ଦିଗେନ୍ଦ୍ର ଗାଁରେ ପହଞ୍ଚିବା ପରେ ତାଙ୍କୁ ଏଭଳି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ନିଜ ଘରେ ପହଞ୍ଚିବା ପୂର୍ବରୁ ଦୁଆର ମୁହଁରେ ଦୀପ, ଫୁଲ, ଚନ୍ଦନ, ହୁଳହୁଳି ଦେଇ ସ୍ୱାଗତ ଜଣାଇଥିଲେ ପରିବାର ଲୋକ । ଦୀର୍ଘ ଦିନ ପରେ ପରିବାରଲୋକ ତଥା ଭଉଣୀ, ଭାଇ, ଭାଉଜ ଏବଂ ପିଲାଙ୍କ ସହ ଦେଖା ହୋଇ ସେ ଖୁବ ଭାବ ବିହ୍ଵଳ ହୋଇଯାଇଥିଲେ । ଏ ଦୃଶ୍ୟ ଯେତିକି ସୁନ୍ଦର ଥିଲା ସେହି ପରିମାଣରେ ଭାବ ପୂର୍ଣ୍ଣ ମଧ୍ୟ ଥିଲା ।

ଭାବ, ବନ୍ଧନ, ସମ୍ମାନବୋଧ ଏବଂ ଭଲ ପାଇବାର ଏକ ଚମତ୍କାର ମିଶ୍ରଣ ସୃଷ୍ଟି କରିଥିଲା ଏହି ପରିବେଶ । କେବଳ ଏତିକିରେ ସରିନଥିଲା ଗାଁ ଲୋକଙ୍କ ସମ୍ବର୍ଦ୍ଧନା । ଏହାପରେ ପଞ୍ଚାୟତ ପକ୍ଷରୁ ଦିଗେନ୍ଦ୍ରଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭା ମଧ୍ୟ ଆୟୋଜିତ ହୋଇଥିଲା । ଏହି ସଭାରେ ବିଡ଼ିଓ, ବ୍ଲକ ଶିକ୍ଷା ଅଧିକାରୀ ଏବଂ ଗାଁର ଅନେକ ବୁଦ୍ଧିଜୀବୀ ମଧ୍ୟ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.