୩୦ ବର୍ଷ ଧରି ଦେଶ ମାତୃକାର ସେବା ପରେ ନିଜ ଭିଟାମାଟିକୁ ଫେରିଲେ ଗାଁ ପୁଅ ବିଜୟ

କାର୍ଗିଲ୍ ଯୁଦ୍ଧ ଠାରୁ ଆରମ୍ଭ କରି ବିଭିନ୍ନ ପରିସ୍ଥିତିରେ ଦେଶପାଇଁ, ଶତ୍ରୁପକ୍ଷ ସୈନ୍ୟ ସହ ବୀରତ୍ୱର ସହ ଲଢେ଼ଇ କରିଥିଲେ । ଏବେ ୩୦ ବର୍ଷ ପରେ ସୀମାନ୍ତରୁ ନିଜ ଭିଟାମାଟିକୁ ଫେରିଲେ ଗାଁ ପୁଅ । ସେଥିପାଇଁ ସମସ୍ତେ, ଗାଁ ରାସ୍ତାରୁ ଘଣ୍ଟ-ମୃଦଙ୍ଗ ବଜାଇ ପାଛୋଟି ନେଲେ । ଏଭଳି ଏକ ନିଆରା ସ୍ବାଗତ ସମ୍ବର୍ଦ୍ଧନା ଆୟୋଜିତ ହୋଇଥିଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବଙ୍କା ଗ୍ରାମରେ ।
୧୯୯୫ ମସିହାରେ ସେନା ବିଭାଗରେ ଜଣେ ସାଧାରଣ ସୈନ୍ୟଭାବେ ଯୋଗ ଦେଇ କର୍ମମୟ ଜୀବନ ଆରମ୍ଭ କରିଥିଲେ ବଙ୍କା ଗାଁର ବିଜୟ କୁମାର ମହାନ୍ତି । ଗରିବ ପରିବାରରୁ ଯାଇ ଦେଶ ସେବାରେ ନିଜର ନିଷ୍ଠାପର ଏବଂ କର୍ତ୍ତବ୍ୟନିଷ୍ଠତା ପାଇଁ ସେନା ବିଭାଗର ଗୁରୁ ଦାୟିତ୍ବ ତୁଲାଇଥିଲେ । ଏପରିକି କାର୍ଗିଲ୍ ଯୁଦ୍ଧରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ଶେଷରେ ନିଜର କର୍ତ୍ତବ୍ୟ ପାଳନର ଦକ୍ଷତା ଆଧାରରେ ସୁବେଦାର୍ ମେଜର୍ ଭଳି ଗୁରତ୍ୱପୂର୍ଣ୍ଣ ଦାୟିତ୍ବ ନେଇ ଅବସର ନେଲେ ।
ସବୁ ପରେ ବି ନିଜ ଜନ୍ମମାଟିରେ କିଛି ଭଲ କାମ କରିବାର ଇଛା ନେଇ ସହରୀ ଭୋଗବିଳାସ ଠାରୁ ଦୂରରେ ରହି ନିଜ ଗାଁକୁ ଫେରିଲେ ବିଜୟ । ଗାଁ ଲୋକଙ୍କ ଠାରୁ ଆରମ୍ଭ କରି ପିଲା, ବୟସ୍କ, ମହିଳା, ପରିବାର ଓ ସମ୍ପର୍କୀୟମାନେ ଏକାଠି ହୋଇ ବିଜୟଙ୍କ ଫେରିବା ବାଟକୁ ଅପେକ୍ଷା କରିଥିଲେ । ଯାହାକୁ ନେଇ ଗାଁରେ ଦେଖାଦେଇଥିଲା ଏକ ଅଦିନିଆ ଉତ୍ସବ । ବିଜୟଙ୍କୁ ଦିଆଯାଇଥିବା ଏଭଳି ସମ୍ମାନ ଏବଂ ସମ୍ବର୍ଦ୍ଧନା ଅନ୍ୟ ଯୁବପିଢିଙ୍କୁ ପ୍ରେରଣା ଦେଇଥିଲା ।
ଦେଶ ମାତୃକା ପାଇଁ ନିଜର କର୍ତ୍ତବ୍ୟ କରିବା ଏବଂ ସଫଳତାର ସହ ନିଜ ଭିଟାମାଟି, ପରିବାର ଓ ସାଙ୍ଗସାଥୀଙ୍କ ପାଖକୁ ଫେରିବା ସତରେ ଜଣେ ସେନା କର୍ମଚାରୀଙ୍କ ପାଇଁ ବଡ ଗୌରବର ବିଷୟ ନିଶ୍ଚୟ । ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।
Also read: ଭୁବନେଶ୍ବରରେ ରହି ଦୁଇ ବର୍ଷ ହେଲା ବିଜୁଳିରୁ ବଞ୍ଚିତ ଗୋଟିଏ ଦୁଃଖୀ ପରିବାର