ଦଶଘଣ୍ଟା ପରେ ମିଳିଲା ବଢିପାଣିରେ ଭାସିଯାଇଥିବା ମୋନାଲିସାଙ୍କ ମୃତଦେହ

ଭଞ୍ଜନଗର(କେନ୍ୟୁଜ୍): ଦଶଘଣ୍ଟା ଧରି ଖୋଜାଖୋଜି ପରେ , ବଢିପାଣିରେ ଭାସିଯାଇଥିବା ମହିଳାଙ୍କ ମୃତଦେହ ଠାବ କଲେ ସ୍ଥାନୀୟ ଲୋକେ । ଭାସିଯିବାର କିଛି ସମୟପରେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ ତାଙ୍କ ସ୍ବାମୀ । ଗଂଜାମ ଜିଲ୍ଲା ଗାଲେରୀ ଫାଣ୍ଡି ଅନ୍ତର୍ଗତ ନାରୀଗୋଛା ଗାଁ ନିକଟରେ ଥିବା ଚାକୁଣ୍ଡାନାଳରେ ଗତ ରାତିରେ ଭାସିଯାଇଥିଲେ ସ୍ବାମୀ ଓ ସ୍ତ୍ରୀ । ଭଞ୍ଜନଗରରୁ ବାଇକ୍ ଯୋଗେ ନିଜ ଗାଁ ପିଙ୍ଗୁଝୋଳାକୁ ଫେରୁଥିଲେ ।

ରାସ୍ତାରେ ଚାକୁଣ୍ଡା ନାଳର ବଢିପାଣି ଆସିଯିବାରୁ ରାସ୍ତା ଉପରେ ପ୍ରବାହିତ ହେଉଥିବା ପାଣି ସ୍ରୋତରେ , ବାଇକ୍ ସହ ଭାସିଯାଇଥିଲେ ଉଭୟେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସ୍ବାମୀ ରଞ୍ଜିତ ନାୟକଙ୍କୁ ଉଦ୍ଧାର କରି , ଭଂଜନଗର ମେଡିକାଲରେ ଭର୍ତି କରାଯାଇଥିଲା । ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିପଦମୁକ୍ତ ରହିଛି । ହେଲେ ସ୍ତ୍ରୀ ମୋନାଲିସାଙ୍କର କୈାଣସି ପତ୍ତା ମିଳିନଥିଲା ।

ସକାଳେ ବଢିପାଣି କମିବା ପରେ, ଏକ ଧାନ ବିଲରୁ ମୋନାଲିସାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ଗାଲେରୀ ଫାଣ୍ଡି ପୋଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଯାଇଛି । ୫ ବର୍ଷ ପୂର୍ବରୁ ଉଭୟଙ୍କ ବିବାହ ହୋଇଥିଲା । ତାଙ୍କର ଗୋଟିଏ ୩ ବର୍ଷର ପୁଅଟିଏ ଅଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.