ଏଣିକି ରାଜ୍ୟର ସମସ୍ତ ଆମ୍ବୁଲାନ୍ସ ଗୋଟିଏ କଣ୍ଟ୍ରୋଲ ରୁମରୁ ହେବେ ପରିଚାଳିତ, ଏଥିପାଇଁ ରାଜ୍ୟ ସରକାର ତିଆରି କରିବେ ଏସ.ଓ.ପି

ଭୁବନେଶ୍ବର(କେନ୍ୟୁଜ୍):  ସମସ୍ତ ଆମ୍ବୁଲାନସ ପାଇଁ ରହିବ ଗୋଟିଏ ନମ୍ବର । ଗୋଟିଏ ଟୋଲ ଫ୍ରି ନମ୍ବରରେ ପରିଚାଳିତ ହେବେ ସମସ୍ତ ଘରୋଇ ଓ ସରକାରୀ ଆମ୍ବୁଲାନ୍ସ । ଦୁର୍ଘଟଣାରେ ଆହତ ପ୍ରଥମ ୪୮ ଘଣ୍ଟା ଭିତରେ ଜୀବନ ରକ୍ଷା ପାଇଁ ମିଳିବ ଚିକିତ୍ସା । ଏହି ସମୟରେ ସମସ୍ତ ଘରୋଇ ଓ ସରକାରୀ ହସପିଟାଲ ଉତ୍କଷ୍ଟ ସେବା ଯୋଗାଇବାକୁ ବାଧ୍ୟ । ଏଭଳି ନିର୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର । ଏହାସହ ସମସ୍ତ ଘରୋଇ ଓ ସରକାରୀ ଆମ୍ବୁଲାନ୍ସ ଗୋଟିଏ କଲ ସେଣ୍ଟରରୁ ପରିଚାଳିତ ହେବେ । ଏନେଇ ଖୁବଶୀଘ୍ର ଜାରି ହେବ ଏସଓପି । ରୋଗୀଙ୍କୁ ସହଜରେ ଆମ୍ବୁଲାନ୍ସ ସେବା ଯୋଗାଇବାକୁ ଲୋକସେବା ଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଏବେ ରାଜ୍ୟରେ ୫୧୨ଟି ୧୦୮ ଆମ୍ବୁଲାନ୍ସ, ୧୯ଟି ଫାୟାର ଷ୍ଟେସନ ଆମ୍ବୁଲାନ୍ସ ଜରୁରୀକାଳୀନ ସେବା ଯୋଗାଉଛନ୍ତି । ଏହାସହ ଜାତୀୟ ରାଜପଥ, ଘରୋଇ ହସପିଟାଲ, ଚାରିଟେବୁଲ ଟ୍ରଷ୍ଟ ଓ କର୍ପୋରେଟ ସେକ୍ଟର ଆମ୍ବୁଲାନ୍ସ ସେବା ଯୋଗାଉଛନ୍ତି । ମୋଟ ୧୫୬୨ ଆମ୍ବୁଲାନ୍ସ ରାଜ୍ୟରେ ଜରୁରୀ ସେବା ଯୋଗାଉଛନ୍ତି । ସମସ୍ତ ଆମ୍ବୁଲାନସ ଏଣିକି ଗୋଟିଏ କଣ୍ଟ୍ରୋଲ ରୁମରୁ ପରିଚାଳିତ ହେବେ । ଜାତୀୟ ଆମ୍ବୁଲାନ୍ସ କୋଡ ମୁତାବକ ଆବଶ୍ୟକୀୟ କର୍ମଚାରୀ, ଉପକରଣ ଓ ମେଡିସିନ ରହିବ ।

ଏହାସହ ପଢନ୍ତୁ: ଜାଣନ୍ତୁ ଏମିତି ଏକ ବିରଳ ବିବାହ, ଯାହା ବିନା ଯୌତୁକ, ଜାତି, ଜାତକ,କର୍ମକାଣ୍ଡରେ ହେଲା ସମାପନ

ଏହାଛଡ଼ା ସମସ୍ତ ଆମ୍ବୁଲାନସରେ ଜିପିଏସ ଟ୍ରାକିଂ ସିଷ୍ଟମ୍‌ ଲଗାଇବାକୁ ନିର୍ଦେଶ ଦିଆଯାଇଛି । ଫଳରେ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ପାଖରେ ଖୁବ କମ ସମୟରେ ପହଁଚିପାରିବ ଆମ୍ବୁଲାନ୍ସ । ବିଶେଷକରି ସହରାଞ୍ଚଳରେ ହସପିଟାଲରୁ ଦୁର୍ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଁଚିବାକୁ ଅନେକ ସମୟ ଲାଗିଥାଏ । କେତେବେଳେ ଟ୍ରାଫିକ ତ କେତେବେଳେ ଲୋକ ଗହଳି ଭିତରେ ଫସିରହେ ଆମ୍ବୁଲାନସ । ରୋଗୀ ପାଖରେ ଆମ୍ବୁଲାନ୍ସ ପହଁଚିବା ବେଳକୁ ଡେରି ହୋଇଯାଇଥାଏ । ଏଭଳି ସମୟରେ ଦୁର୍ଘଟଣା ଅଞ୍ଚଳ ପାଖାପାଖି ଥିବା ଯେକୌଣସି ଆମ୍ବୁଲାନସ ରୋଗୀ ପାଖରେ ପହଁଚିପାରିବ । ଏହାସହ ଅନେକ ସମୟରେ ଡାକ୍ତରଖାନାରେ ରୋଗୀ ହଟହଟା ହେବାକୁ ପଡିଥାଏ । ଏହି ନିର୍ଦେଶ ପରେ ରୋଗୀଙ୍କୁ ଅଗ୍ରାଧିକାର ଭାବେ ଚିକିତ୍ସା କରିବେ ଡାକ୍ତର ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.