ବନ୍ୟା ପରେ ଏବେ ଦୁର୍ଗମ ଅଞ୍ଚଳରେ ବ୍ୟାପିଛି ଡାଇରିଆ, ଝାଡ଼ାବାନ୍ତିରେ ୬ ମୃତ ୩୨ରୁ ଅଧିକ ଆକ୍ରାନ୍ତ

ମାଲକାନଗିରି ବନ୍ୟା ପରିସ୍ଥିତିରେ ସୁଧାର ଆସିଛି ହେଲେ ଲୋକଙ୍କ ଦୁର୍ଦ୍ଦଶା କମିବାରେ ନାଁ ନେଉନି । ବନ୍ୟା ପରେ ଏବେ ଦୁର୍ଗମ ଅଞ୍ଚଳରେ ବ୍ୟାପିଛି ଡାଇରିଆ । ସପ୍ତାହକ ମଧ୍ୟରେ ୬ ମୃତ ୩୨ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆକ୍ରାନ୍ତ ଅଞ୍ଚଳରେ ୫ଟି ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି । କର୍ତନପାଲି ପଞ୍ଚାୟତ ଅନ୍ତର୍ଗତ ଲୁଲେର ଗାଁରେ ଗତକାଲି ଆକ୍ରାନ୍ତ ସୁବର୍ଣ୍ଣା ନାୟକଙ୍କ ମୃତ୍ୟୁ ହୋଇଛି । ସ୍ବାସ୍ଥ୍ୟ ବିଭାଗ ଭାଗ ପୂରା ଜୋର ଲଗାଇଥିଲେ ସୁଦ୍ଧା ପରିସ୍ଥିତି ନିୟନ୍ତ୍ରଣକୁ ଆସୁନି । ଗ୍ରାମାଞ୍ଚଳରେ ଡାଇରିଆର ପ୍ରକୋପ ସ୍ୱାସ୍ଥ୍ୟ ବିଭାଗର ନିଦ ହଜାଇ ଦେଇଛି ।

ଝାଡ଼ାବାନ୍ତି ପ୍ରଭାବିତ ଅଞ୍ଚଳ ଭାବେ ମାଥିଲି ବ୍ଲକର ଦୁର୍ଗମ ତୁଳସୀ ପାହାଡ଼, ଅଟାଳଗୁଡ଼ା ଏବଂ କୁଟନିପାଲି ଗାଁକୁ ଚିହ୍ନଟ କରାଯାଇଛି । ସପ୍ତାହକ ମଧ୍ୟରେ ତୁଳସୀ ଗାଁରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି କୁଟନିପାଲି ଗାଁରେ ୨ଜଣ, ଅଟାଳ ଟାଳଗୁଡା ଗାଁରେ ୩ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଏହି ବିଷୟରେ ସ୍ୱାସ୍ଥ୍ୟ ବିଭାଗ ନିକଟରେ ବି ସଠିକ୍ ତଥ୍ୟ ନାହିଁ । ତେଣୁ କୁଟନିପାଲି ଗାଁରେ ଅନ୍ୟ କାରଣ ଯୋଗୁ ୨ ଜଣ ମୃତ୍ୟୁବରଣ କରିଥିବା କୁହାଯାଇଛି । ତେବେ ଚିନ୍ତାର ବିଷୟ ହେଉଛି ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚିବାରେ ବିଳମ୍ବ ହେଉଥିବାରୁ ଲୋକେ ଅନ୍ଧବିଶ୍ଵାସର ସାହାରା ନେଇଛନ୍ତି ।

ଚିକିତ୍ସା ପାଇଁ ଗୁଣିଆ ଝଡା ଫୁଙ୍କା ଆଦରି ନେଇଛନ୍ତି । ଏଭଳି ପରିସ୍ଥିତି ମୁକାବିଲା କରିବାକୁ ସ୍ଵାସ୍ଥ୍ୟ ବିଭାଗ ନାକେଦମ ହୋଇସାରିଲାଣି । ସର୍ବାଧିକ ପ୍ରଭାବିତ ତୁଳସୀ ଗାଁରେ ଖବର ପାଇ ଗୋଟିଏ ଡାକ୍ତରୀ ଦଳ ପହଞ୍ଚିଥିଲା । କିନ୍ତୁ ରାସ୍ତା ନଥିବା ଯୋଗୁଁ ଏହି ଗାଁକୁ ଟ୍ରାକ୍ଟର ଯୋଗେ ଯିବା ପାଇଁ ଟିମ୍ ବାଧ୍ୟ ହୋଇଥିଲା । ତେବେ କାଦୁଅରେ ଟ୍ରାକ୍ଟର ଫସିଯିବାରୁ ସମସ୍ତେ ହଇରାଣ ହୋଇଥିଲେ । ଏପରିକି ଟିମକୁ ଗାଁରେ ପହଞ୍ଚିବା ପାଇଁ ପାହାଡ଼ ଚଢ଼ିବାକୁ ପଡ଼ିଛି । ଏହି ଗାଁ ବ୍ୟତୀତ ବହୁ ଦୁର୍ଗମ ଗାଁରେ ବି ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।

ବିଶେଷକରି କୁଟନିପାଲି ପଞ୍ଚାୟତର ବହୁ ଗାଁରେ ଝାଡ଼ାବାନ୍ତି ବ୍ୟାପିଥିବା ଜଣାପଡ଼ିଛି । ଲୁଲେର ଗାଁର ସୁବର୍ଣ୍ଣ ନାୟକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାପରେ ଗତକାଲି ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହୋଇଥିଲା । ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ତାଙ୍କର ମୃତ୍ୟୁ ହୋଇଛି । ମାଥିଲି ଉପଖଣ୍ଡ ଡାକ୍ତରଖାନାରେ ଏବେ ବି ୩୨ ରୁ ଅଧିକ ଝାଡ଼ାବାନ୍ତି ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ନିର୍ଦ୍ଦେଶ ପରେ ମାଲକାନଗିରିରୁ ଡାକ୍ତରୀ ଦଳ ମାଥିଲି ବ୍ଲକର ବିଭିନ୍ନ ଦୁର୍ଗମ ଗାଁକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଅନ୍ୟପଟେ ଲୋକଙ୍କୁ ଏନେଇ ସଚେତନ କରାଯାଉଛି ବୋଲି ଡାକ୍ତର କହିଛନ୍ତି ।

ତେବେ ଏପର୍ଯ୍ୟନ୍ତ ଡାଇରିଆ ବ୍ୟାପିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରୁନି । ଦୂଷିତ ପାଣି ଅଖାଦ୍ୟ ଖାଇବା ଫଳରେ ଲୋକେ ଆକ୍ରାନ୍ତ ହେଉଛନ୍ତି ବୋଲି କୁହାଯାଉଛି । ଏହି ଦୁର୍ଗମ ଅଞ୍ଚଳରେ ଲୋକେ ଅଖାଦ୍ୟ ଖାଦ୍ୟ ଯେପରିକି କରଡି ଏବଂ ଛତୁ ଆଦି ଖାଇବା ସହ ଅପରିଷ୍କାର ପାଣି ପିଇ ଏଭଳି ଡାଇରିଆରେ ଆକ୍ରାନ୍ତ ହେଉଛନ୍ତି । ସେପଟେ ଅନ୍ଧବିଶ୍ୱାସ ଯୋଗୁଁ ମେଡିକାଲ ଆସିବା ବଦଳରେ ଗୁଣିଆର ଝଡା ଫୁଙ୍କା ଅଦାରୀ ନେଉଛନ୍ତି । ବର୍ତ୍ତମାନ ଡାକ୍ତରୀ ଦଳ ପହଞ୍ଚିବା ପରେ ସ୍ଥିତିରେ ସୁଧାର ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like