ଦେଢ଼ ବର୍ଷରେ ତୃତୀୟ ନିର୍ବାଚନ ଦେଖିବ ବିଜେପୁର, ପୁଣି ବିଜେଡି-ବିଜେପି ଲଢେଇ

ଦେଢ଼ ବର୍ଷ ଭିତରେ ତୃତୀୟ ଥର ନିର୍ବାଚନ ଦେଖିବ ବିଜେପୁର। ଏହି ସିଟ୍କୁ ପୁଣି ହାତେଇବା ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହେବ। ପଶ୍ଚିମ ଓଡ଼ିଶାରେ ବିଜେଡିର ସପୋର୍ଟ ବେସ୍ ବଢ଼ାଇବାକୁ ବିଜେପୁରରୁ ଲଢିବାକୁ ନବୀନ ଘୋଷଣା କରିଥିଲେ। ନିର୍ବାଚନ ଲଢି ବିଜୟୀ ହେଲେ। ଏବେ ସେ ବିଜେପୁର ସିଟ୍ ଛାଡିବା ପରେ ପୁଣି ଥରେ ଏହି ଆସନ ପାଇଁ ମୁହାଁମୁହିଁ ହେବେ ବିଜେଡି ଓ ବିଜେପି।

ଏହା ଥିଲା ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ଲଢିବା ପାଇଁ ଘୋଷଣା। ବିଜେପୁର ଲଢି, ବିଜୟୀ ହେଲେ। ମିଳିଥିଲା ୧ ଲକ୍ଷ ୧୦ ହଜାର ୬୦୪ ଭୋଟ୍। ପାଇଥିଲେ ୫୯.୭୮ ଅର୍ଥାତ ପ୍ରାୟ ୬୦ ପ୍ରତିଶତ ଭୋଟ୍। ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୨୮.୯୧ ପ୍ରତିଶତ ଭୋଟ୍ ସହ ମିଳିଥିଲା ୫୩ ହଜାର ୪୮୨ ଭୋଟ୍। ପ୍ରାୟ ୫୭ ହଜାର ଭୋଟରେ ଜିତିଥିଲେ ନବୀନ। ସେପଟେ ମାତ୍ର ୭. ୭୫ ପ୍ରତିଶତ ସହ ୧୪ ହଜାର ୩୪୪ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ ରୀପୁନାଥ ସେଠ୍। ୨୦୧୮ ବିଜେପୁର ଉପନିର୍ବାଚନ ତୁଳନାରେ ବିଜେଡିର ଭୋଟ ହାର ବଢିଥିଲା।

bijepur 2

ଉପନିର୍ବାଚନରେ ବିଜେଡିର ରୀତା ସାହୁ ୫୬.୧୬ ପ୍ରତିଶତ ଭୋଟ ସହ ପାଇଥିଲେ ୧ ଲକ୍ଷ ୨ ହଜାର ୮୭୧ ଭୋଟ୍। ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ପାଇଥିଲେ ୬୦ ହଜାର ୯୩୮ ଭୋଟ୍। ଭୋଟ୍ ହାର ଥିଲା ୩୩.୫୩ ପ୍ରତିଶତ। ପ୍ରାୟ ୪୨ ହଜାର ଭୋଟରେ ଜିତିଥିଲେ ବିଜେଡି ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ପାଇଥିଲେ ମାତ୍ର ୧୦ ହଜାର ୨୭୪ ଖଣ୍ଡ ଭୋଟ୍। ଭୋଟ ହାର ଥିଲା ମାତ୍ର ୭. ୭୫ ପ୍ରତିଶତ। ଅର୍ଥାତ ବିଜେପୁର ଉପ ନିର୍ବାଚନ ପରେ ୨୦୧୯ରେ ବିଜେଡିର ଭୋଟ ହାର ବଢିଛି ଓ ବିଜେପିର କମିଛି। ଏବେ ନବୀନ ବିଜେପୁର ଆସନ ଛାଡିବା ପରେ, ବିଜେଡି ପୁଣି ଫୁଲ ଦମ୍ରେ ଲାଗିବ ଏହି ଆସନ ହାତେଇବାକୁ।

ଏଥର ବିଜେପୁରରୁ କିଏ ହେବ ବିଜେଡି ପ୍ରାର୍ଥୀ। ନବୀନ ଆସନ ଛାଡିବା ପରେ ଚର୍ଚ୍ଚା ଆରମ୍ଭ ହୋଇଛି। ଉପ ନିର୍ବାଚନରେ ବିଜୟୀ ହୋଇଥିବା ରୀତା ସାହୁଙ୍କ ନାଁ ଚର୍ଚ୍ଚା ହେଉଛି । କିନ୍ତୁ ବିଜେଡି ସୁପ୍ରିମୋଙ୍କ ଉପରେ ନିର୍ଭର କରୁଛି ଚୂଡ଼ାନ୍ତ ନିଷ୍ପତ୍ତି।

bijepur 1

୨୦୧୪ ନିର୍ବାଚନ ଯାଏ ବିଜେପୁରରେ ବିଜେଡି-କଂଗ୍ରେସ ଲଢେଇ ହେଉଥିଲା। ୨୦୧୪ରେ ବିଜୟୀ ହୋଇଥିଲେ କଂଗ୍ରେସର ସୁବଳ ସାହୁ। ୩୨.୧୫ ପ୍ରତିଶତ ଭୋଟ ସହ ତାଙ୍କୁ ମିଳିଥିଲା ୫୩ ହଜାର ୨୯୦ ଭୋଟ୍। ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର‌୍ୟ୍ୟ ୩୧.୮୮ ପ୍ରତିଶତ ସହ ପାଇଥିଲେ ୫୨ ହଜାର ୮୩୨ ଭୋଟ୍। ବିଜେପିର ଜୟଶଙ୍କର ପଟ୍ଟନାୟକଙ୍କୁ ମିଳିଥିଲା ୩୦ ହଜାର ୧ ଭୋଟ୍। ଭୋଟ ହାର ଥିଲା ୧୮.୦୧ ପ୍ରତିଶତ। ଏବେ କିନ୍ତୁ ପରିସ୍ଥିତି ଭିନ୍ନ। ବିଜେଡି ପ୍ରାୟ ୬୦ ପ୍ରତିଶତ ଭୋଟ ପାଉଛି। ବିଜେପି ୩୦ ପ୍ରତିଶତ ଡେଇଁଲାଣି ଓ କଂଗ୍ରେସ ୧୦ ପ୍ରତିଶତ ପାଖାପାଖି ରହୁଛି।

ବିଜେପିର ମିଶନ ବିଜେପୁର । ହିଞ୍ଜିଳି ଆସନ ରଖି ବିଜେପୁର ଆସନକୁ ମୁଖ୍ୟମନ୍ତ୍ରୀ ଛାଡୁ ଛାଡୁ ବିଜେପି ପ୍ରସ୍ତୁତ କଲାଣି ରଣନୀତି । ବିଜେପି କହିଛି, ନବୀନ ଏହି ଆସନ ଛାଡ଼ିି ପଶ୍ଚିମ ଓଡ଼ିଶାବାସୀଙ୍କୁ ଅପମାନିତ କରିଛନ୍ତି । ଏଥର ବିଜେପୁର ଉପନିର୍ବାଚନରେ ଦଳ ପୂରା ଦମ ଲଗାଇ ଲଢିବ ବୋଲି କହିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.