ନୀଳକନ୍ଦରକୁ ବିଜେ କରିଛନ୍ତି ନୀଳାଦ୍ରୀପତି, ଆଜିଠୁ ମିଳିବ ନୀଳାଚଳ ଅବଢା

ପୁରୀ: ନୀଳକନ୍ଦରକୁ ବିଜେ କରିଛନ୍ତି ନୀଳାଦ୍ରୀପତି । ବଡ ଭାଇ ବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ସରିଲା ମହାପ୍ରଭୁଙ୍କ ନବଦିନାତ୍ମକ ଲୀଳାଖେଳା । ବଡଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାବାହୁଙ୍କୁ ରଥବେଦୀରୁ ରତ୍ନବେଦୀକୁ ବାହୁଡି ଯିବାର ଦୃଶ୍ୟ ଦେଖି ଭାବବିହ୍ବଳ ହୋଇଥିଲେ । ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ ବେଳେ ଜଗତର ନାଥଙ୍କୁ ଅଟକାଇଥିଲେ ଅଭିମାନିନୀ ମହାଲକ୍ଷ୍ମୀ ସେଥିପାଇଁ ପ୍ରଭୁ ସାଙ୍ଗରେ ନେଇ ଆସିଥିବା ସ୍ଵାଦିଷ୍ଟ ରସଗୋଲା ଦେଇ ମା’ ଙ୍କର ମାନଭଞ୍ଜନ କରି ଶ୍ରୀମନ୍ଦିରକୁ ବିଜେ କରିଥିଲେ । ସେପଟେ ରତ୍ନବେଦୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲାଣି ଭକ୍ତଙ୍କ ଗହଳି ଚହଳି । ଘୋଷଯାତ୍ରାର ୧୨ ଦିନର ଲୀଳାଖେଳା ପରେ ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ରତ୍ନବେଦୀକୁ ଫେରିଛନ୍ତି । ରଥଯାତ୍ରା, ସୁନାବେଶ ଓ ଅଧରପଣା ସାରି ଗୋଟି ପହଣ୍ଡିରେ ବଡ଼ଦେଉଳକୁ ଫେରିଛନ୍ତି । ଭକ୍ତ ଓ ଭଗବାନ ପରସ୍ପରଙ୍କୁ ଛାଡି ଯିବାକୁ ଚାହୁଁନଥିଲେ। ଆଉ ଜଗନ୍ନାଥଙ୍କ ପହଣ୍ଡି ବେଳେ ପୁରୀରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା ।

ଶୁକ୍ରବାର ସନ୍ଧ୍ୟା ଧୂପ ପରେ ଚାରମାଳ ବନ୍ଧାଯାଇ ପହଣ୍ଡି ହୋଇଥିଲା । ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ ସବୁ କାମ ସରିଥିଲା । ଶୃଙ୍ଖଳିତ ଭାବେ ନୀଳାଦ୍ରିବିଜେ କରାଇବାକୁ ସଜାଗ ରହିଥିଲେ ଦଇତାପତି ଓ ଶ୍ରୀମନ୍ଦିରର ପ୍ରଶାସନ । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ଦେବୀ ସୁଭଦ୍ରା ଓ ଶ୍ରୀବଳଭଦ୍ରଙ୍କୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ନିଆଯାଇଥିଲା। ଶେଷରେ ରତ୍ନବେଦୀ ଅଭିମୁଖେ ବାହୁଡ଼ିଥିଲେ ଜଗତର ନାଥ ଜଗନ୍ନାଥ । ହେଲେ ସିଂହଦ୍ୱାର ନିକଟରେ ମହାପ୍ରଭୁଙ୍କ ବାଟ ଓଗାଳିଥିଲେ ମା’ ମହାଲକ୍ଷ୍ମୀ। ରଥଯାତ୍ରାରେ ମା’ଙ୍କୁ ସାଥୀରେ ନେଇ ଯାଇ ନଥିବାରୁ ଅଭିମାନରେ କାଳିଆ ସାଆନ୍ତେଙ୍କୁ ମନ୍ଦିରରେ ପୁରାଇ ଦେଇନଥିଳଲ। ଏହି ସମୟରେ ମା’ଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଥିଲେ ଶ୍ରୀଜଗନ୍ନାଥ । ଘୋଷଯାତ୍ରାର ଏହି ଅନ୍ତିମ ପର୍ବ ଦେଖିବାକୁ ପୁରୀ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ୨୭ ଦିନ ପରେ ଆଜି ରତ୍ନ ସିଂହାସନକୁ ଫେରିଛନ୍ତି ମହାପ୍ରଭୁ ।

ସେହିପରି ଆଜିଠାରୁ ଶ୍ରୀମନ୍ଦିରରେ ପ୍ରଭୁଙ୍କୁ ମହାପ୍ରସାଦ ଅର୍ପଣ କରାଯିବ। ଆଜି ଅପରାହ୍ନରେ ବାହାରିବ ନୀଳାଚଳ ଅବଢା । ଭକ୍ତମାନେ ୧୩ଦିନ ପରେ ଶ୍ରୀମନ୍ଦିର ଆନନ୍ଦ ବଜାରରେ ମହାପ୍ରସାଦ ବା ନୀଳାଚଳ ଅବଢ଼ାସେବନ କରିବାର ସୁଯୋଗ । ନୀଳାଦ୍ରି ବିଜେ ପରେ ରତ୍ନସିଂହାସନରେ ମହାପ୍ରଭୁଙ୍କୁ ଅର୍ପଣ କରାଯାଉଥିବା ଅନ୍ନବ୍ୟଞ୍ଜନ ନୀଳାଚଳ ଅବଢ଼ା ଭାବେ ପରିଚିତ ।

Also Read: ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ, ମେଘନାଦ ପାଚେରି ଡେଇଁ ମନ୍ଦିରରେ ପଶିଲେ ୪ ଯୁବକ