ମୋ ସରକାରରେ କୃଷି ବିଭାଗ, ଚାଷୀଙ୍କ ସହ ସିଧା କଥା ହେବେ ସରକାର

ଭୁବନେଶ୍ବର (କେନ୍ୟୁଜ୍) : ମୋ ସରକାରରେ ସାମିଲ ହେଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ। ଏଣିକି ଚାଷୀଙ୍କ ସହ ସିଧା କଥା ହେବେ ସରକାର। ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବ୍ୟକ୍ତିଗତ ଭାବେ ସେ କୃଷକମାନଙ୍କୁ ଫୋନ କରି ସେମାନେ ପାଉଥିବା ସେବା ସଂପର୍କରେ ପଚାରି ବୁଝିବେ। ସରକାରୀ ସେବା ସଂପର୍କରେ ଚାଷୀଙ୍କ ପ୍ରତିକ୍ରିୟା ଭଲ ରହିଲେ କର୍ମଚାରୀଙ୍କୁ ପ୍ରଶଂସା ପତ୍ର ସହ ପ୍ରୋତ୍ସାହନ ଦିଆଯିବ । ନକାରାତ୍ମକ ପ୍ରତିକ୍ରିୟା ମିଳିଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ।
ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, କୃଷି ବିଭାଗ ମୋ ସରକାରରେ ସାମିଲ ହେବା ପରେ ଚାଷୀମାନଙ୍କର ସଶକ୍ତିକରଣ ହୋଇପାରିବ । ଦୁଇ ଗୁଣା ହେବ କୃଷକଙ୍କ ଆୟ । ଏହାସହ ଆଜି କଲ ସେଣ୍ଟର, ଫିଡବ୍ୟାକ ସେବା ଓ କାଳିଆ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ଉଦବୋଧନରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ରାଜ୍ୟର କୃଷି ସ୍ଥିତିରେ ଆସିଛି ପରିବର୍ତ୍ତନ। ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଶସ୍ୟ ଯୋଗାଣରେ ସାରା ଦେଶରେ ତୃତୀୟ ସ୍ଥାନ ହାସଲ କରିଛି। ଏହି ଶ୍ରେୟ ସେ ଚାଷୀମାନଙ୍କୁ ଦେଇଛନ୍ତି। କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ଚାଷୀଙ୍କ ମତାମତ ନିଆଯାଇ ସକରାତ୍ମକ ଦିଗ ଉପରେ ଆଲୋଚନା କରାଯିବ।