ଆଜି ହେଲା ଉଦଘାଟନ, କାଲିଠୁ ମିଳିବ ଆହାର ରାତ୍ରୀ ଭୋଜନ

ଭୁବନେଶ୍ବର (କେନ୍ୟୁଜ୍) : କାଲିଠୁ ଆହାର କେନ୍ଦ୍ରରେ ମିଳିବ ରାତ୍ରି ଭୋଜନ । ଆହାର ଯୋଜନାରେ ରାତ୍ରି ଭୋଜନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ ପରିସରରୁ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ ପରିସରରେ ନୂଆ ଆହାର କେନ୍ଦ୍ରକୁ ମଧ୍ୟ ଲୋକାର୍ପିତ କରାଯିବ । ଏଣିକି ରାଜ୍ୟର ୫୬ଟି ପ୍ରମୁଖ ଚିକିତ୍ସାଳୟ ପରିସରରେ ଥିବା ଆହାର କେନ୍ଦ୍ରରେ ମିଳିବ ରାତ୍ରି ଭୋଜନ । ପ୍ରତିଦିନ ରାତି ୭ଟାରୁ ୯ଟା ମଧ୍ୟରେ ୧୫ ହଜାର ଲୋକଙ୍କ ଏହି ସୁବିଧା ମିଳିବ । ଆହାର ଯୋଜନାର ଲୋକପ୍ରିୟତା ଓ ଡାକ୍ତରଖାନା ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ଆବଶ୍ୟକକୁ ଦୃଷ୍ଟିରେ ରଖି ରାତ୍ରି ଭୋଜନ ବ୍ୟବସ୍ଥା ନେଇ ପୂର୍ବରୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ରାଜ୍ୟର ୭୬ଟି ପୌରାଞ୍ଚଳରେ ଆହାର କେନ୍ଦ୍ର ରହିଛି । ଆହାର କେନ୍ଦ୍ରଗୁଡ଼ିକରେ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ଓ ପରିଚ୍ଛନତାର ନିୟମିତ ତଦାରଖ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।