ଲ୍ୟାଣ୍ଡଫଲ୍ ପୂର୍ବରୁ ଧାମରା ଓ ଭିତରକନିକାରେ ପ୍ରଭାବ, ଝିପିଝିପି ବର୍ଷା ସହ ପବନର ବେଗ ବଢ଼ୁଛି

ଭୁବନେଶ୍ୱର : ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ସମୁଦ୍ର ଭାଗରେ ଭୀଷଣ ବାତ୍ୟାର ରୂପ ନେଇସାରିଛି ‘ଦାନା’ । କେନ୍ଦ୍ରୀୟ ଓ ପାର୍ଶ୍ବବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆଗକୁ ବଢ଼ୁଛି । ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି । ଏବେ ପାରାଦୀପ ଠାରୁ ଦକ୍ଷିଣପୂର୍ବ ଦିଗରେ ୩୩୦ କିଲୋମିଟର ଦୂରରେ ରହିଛି ଦାନା। ଧାମରା ଠାରୁ ୩୬୦ କିଲୋମିଟର ଏବଂ ସାଗର ଆଇଲ୍ୟାଣ୍ଡ ଠାରୁ ୪୨୦ କିଲୋମିଟର ଦୂରରେ ରହିଛି । ଆଜି ମଧ୍ୟରାତ୍ରୀରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ ।
ବାତ୍ୟା ‘ଦାନା’ଲ୍ୟାଣ୍ଡଫଲ ପୂର୍ବରୁ ଭଦ୍ରକ ଧାମରା ଓ କେନ୍ଦ୍ରାପଡା ଭିତରକନିକାରେ ପ୍ରଭାବ ପକାଇଛି । ସେଠାରେ ଆରମ୍ଭ ହୋଇଗଲାଣି ବର୍ଷା, ପବନର ବେଗ ଧିରେ ଧିରେ ବଢ଼ୁଛି । ଏଥିପାଇଁ ଭିତରକନିକା ଅଞ୍ଚଳବାସୀ ଙ୍କ ମନରେ ଛନକା ପଶିଛି । ଆସନ୍ନ ବାତ୍ୟାକୁ ଦେଖି ଭିତରକନିକା ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି । ଭିତରକନିକାକୁ ତିନି ଦିନ ଅର୍ଥାତ୍ ଅକ୍ଟୋବର ୨୩, ୨୪ ଓ ୨୫ ପାଇଁ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ଘୋଷଣା କରିଛି । ସେହିପରି ଯେଉଁ ପର୍ଯ୍ୟଟକମାନେ ଏବେ ଭିତରକନିକା ଇକୋରିଟ୍ରିଟରେ ଅଛନ୍ତି ସେମାନଙ୍କୁ ତୁରନ୍ତ ସ୍ଥାନ ଛାଡିଯିବାକୁ କୁହାଯାଇଛି ।
ଅନ୍ୟପକ୍ଷରେ ଯଦି ବାତ୍ୟା ଭିତରକନିକାରେ ମାଡ଼ ହୁଏ, ତେବେ ଓଡ଼ିଶାରୁ ଅନେକ ବିପଦ ଟଳିବାର ସମ୍ଭାବନା ରହିଛି । ଭିତରକନିକା ପାଖରେ ଲ୍ୟାଣ୍ଡଫଳ ହେଲେ ଭଲ ବୋଲି କହିଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି । ଭିତରକନିକାରେ ୨ ଶହ ବର୍ଗ କିଲୋମିଟର ହେନ୍ତାଳ ବନ ରହିଛି । ହେନ୍ତାଳ ବନ ପବନ ସହ ସମୁଦ୍ର ଜୁଆରକୁ ରୋକିବ । ଫଳରେ ବାତ୍ୟାର ପ୍ରଭାବ କିଛି ମାତ୍ରାରେ କମିବ । ଯଦି ଗଛ ପଡି ରାସ୍ତା ବନ୍ଦ ହୁଏ ସେଥିପାଇଁ ୫ ଟିମ୍ ରହିଛି । ଯଦି କୁମ୍ଭୀର ଗାଁକୁ ପଶି ଯାଆନ୍ତି ୨ଟି ଟିମ୍ ଉଦ୍ଧାର କରିବେ ।
ଅନ୍ୟପଟେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଲ୍ୟାଣ୍ଡଫଲ୍ ବେଳେ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ରହିପାରେ ବୋଲି ଆକଳନ କରାଯାଇଛି। ତା’ସହ ସମୁଦ୍ରରେ ଉଚ୍ଚ ଜୁଆର ଆସିବା ସହ ଗଛ, ବିଦ୍ୟୁତ୍ ଖୁଣ୍ଟ ଓ କଚା ଘରକୁ ବାତ୍ୟା ବିପଦ ପହଞ୍ଚାଇବାର ଆଶଙ୍କା ରହିଛି। ବାତ୍ୟା ପ୍ରଭାବରେ ଗତକାଲିଠୁ ବିଭିନ୍ନ ସ୍ଥାନରେ ବର୍ଷା ଚାଲିଛି।