ଏମଏସଏମଇ ବିଭାଗ ଓ ଏୟାର କାର୍ଗୋ ମଧ୍ୟରେ ବୈଠକ , ରପ୍ତାନୀ ବୃଦ୍ଧି ପାଇଁ ଉଦ୍ୟମ

ଭୁବନେଶ୍ୱର(କେନ୍ୟୁଜ୍) : ରପ୍ତାନୀ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ । ଲକ୍ଷ୍ୟ କୃଷିଜାତ ଦ୍ରବ୍ୟକୁ ବିଦେଶରେ ପହଞ୍ଚାଇବା । ଏନେଇ ଭୁବନେଶ୍ୱରରୁ ପରିଚାଳିତ ହେଉଥିବା ସମସ୍ତ ଏୟାର ସର୍ଭିସ କଂପାନୀ ସହ ରାଜ୍ୟ ସରକାର ଆଲୋଚନା କରିଛନ୍ତି । ଏମଏସଏମଇ ସଚିବ ଏଲଏନ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଏୟାର କାର୍ଗୋ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟର ଉତ୍ପାଦିତ ଫୁଲ, ଫଳ, ହସ୍ତଶିଳ୍ପ ସାମଗ୍ରୀ ବିଦେଶକୁ କିପରି ରପ୍ତାନୀ ହୋଇପାରିବ, ସେ ନେଇ ଆଲୋଚନା ହୋଇଥିଲା । ରପ୍ତାନୀକୁ ପ୍ରୋତ୍ସାହିତ କରିବାକୁ ଆବଶ୍ୟକ ଭିତ୍ତିଭୂମିକୁ ରାଜ୍ୟସରକାର ନିର୍ମାଣ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ୨୦୧୭-୧୮ ଆର୍ଥିକ ବର୍ଷରେ ୫୨ ହଜାର କୋଟି ଟଙ୍କାର ରପ୍ତାନୀ ହୋଇଥିଲା । ଏହି ପରିମାଣକୁ ବୃଦ୍ଧି କରିବାକୁ ବୈଠକରେ ଆଲୋଚନା ହୋଇଥିଲା । ଏଥିରେ ବିମାନବନ୍ଦର ନିର୍ଦ୍ଦେଶକଙ୍କ ସହ ବିମାନ ସେବା ପ୍ରଦାନକାରୀ କମ୍ପାନୀର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।