ଚିଲିକାରେ ଗଡ଼ିଲା ଶୀତତାପ ନିୟନ୍ତ୍ରିତ କ୍ରୁଜ, ଆରାମଦାୟକ ଯାତ୍ରା କରିବେ ପର୍ଯ୍ୟଟକ

ପର୍ଯ୍ୟଟକଙ୍କ ବୁଲିବା ପାଇଁ ମରାଳ ମାଳିନୀ ନୀଳାମ୍ବୁ ଚିଲିକାରେ ଲେକ୍ କୁଇନ ଏବଂ ଡାଇମଣ୍ଡ ପ୍ରିନ୍ସସେସ୍ ନାମକ ୨ଟି ଶୀତତାପ ନିୟନ୍ତ୍ରିତ କ୍ରୁଜ୍ ବୋଟର ଶୁଭ ଉଦଘାଟନ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲାର ବଡ଼କୁଳ ପାନ୍ଥନିବାସ ଠାରେ OTDC ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏହି କ୍ରୁଜର ଉଦଘାଟନ ଉତ୍ସବରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା, ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଯୋଗଦେଇ ଉଦଘାଟନ କରିଛନ୍ତି ।
ଭାରତ ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନାରେ ବଡକୂଳ ପାନ୍ଥନିବାସରେ ପର୍ଯ୍ୟଟନ ଭିଭାଗ ଓଟିଡିସି ପକ୍ଷରୁ ଚିଲିକାରେ ଲେକ କୁଇନ୍ ଓ ଡାଇମଣ୍ଡ ପ୍ରିନ୍ସେସ୍ ନାମକ ଦୁଇଟି ବିଳାସପୂର୍ଣ କ୍ରୁଜ୍ ବୋଟ ଚିଲିକାରେ ଚାଲିଲା । ୪୦ ସିଟ୍ ବିଶିଷ୍ଟ ଏହି ବିଳାସପୂର୍ଣ କ୍ରୁଜରେ ପର୍ଯ୍ୟଟକଙ୍କ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଏଥିରେ ବାତାନୁକୂଳିତ କ୍ୟାବିନ ଠାରୁ ଆରମ୍ଭ କରି ଅନ୍- ବୋର୍ଡ ଫୁଡ୍ ସର୍ଭିସ ଭଳି ସୁବିଧା ରଖାଯାଇଛି । ବଡକୂଳ ପାନ୍ଥନିବାସରୁ କାଳିଜାଇ ଯିବା ପାଇଁ ୫୦୦ ଟଙ୍କା ଓ ୩୫୦ ଟଙ୍କା ଦର ଧାର୍ଯ୍ୟ କରାଯାଇଛି । କ୍ରୁଜ୍ ରେ ଯାତ୍ରା କରିବା ସମୟରେ ପର୍ଯ୍ୟଟକମାନେ ମା’ କାଳିଜାଈ ମନ୍ଦିର, ନଳବଣ ପକ୍ଷୀ ଅଭୟାରଣ୍ୟ ସହିତ ଚିଲିକାର ମନୋରମ ଦୃଶ୍ୟକୁ କିପରି ଉପଭୋଗ କରିପାରିବେ ସେଥିପ୍ରତି ସମସ୍ତ ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକ ବୃଦ୍ଧି ପାଇଲେ ବାଲୁଗାଁ ଅଞ୍ଚଳରେ ଆର୍ଥିକ ସ୍ଥିତି ବୃଦ୍ଧି ପାଇବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏପଟେ ଏଠାକୁ କିଭଳି ଅଧିକ ପର୍ଯ୍ୟଟକ ଆସିବେ ସେ ଦିଗରେ ଯୋଜନା କରାଯାଉଛି ଆଉ ପାନ୍ଥନିବାସର ଉନ୍ନତିକରଣ ଉପରେ ପଦକ୍ଷେପ ନିଆଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ଚିଲିକାର ଜଳ ରାଶିରେ ଏହି ବୋଟରେ କିଛି ବାଟ ଭ୍ରମଣକରି ମଜା ନେଇଥିଲେ ଅତିଥି ମାନେ । ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଓ ଚିଲିକାର ଜଳରାଶିରେ ଭ୍ରମଣ ଉପଭୋଗ କରିବାପାଇଁ ସରକାରଙ୍କ ତରଫରୁ ଏଭଳି ବ୍ୟବସ୍ଥା କରାଯାଇଛି । ବିଶ୍ବସ୍ତରରେ ପର୍ଯ୍ୟଟନର ଚାହିଦା ବୃଦ୍ଧି ପାଉଥିବାବେଳେ ଓଡିଶାରେ ଏହି ସ୍ଥାନର ଚାହିଦା ଯଥେଷ୍ଟ ରହିଛି । ତେଣୁ ଏଠାକାର ସୁବିଧା ପାଇଁ ସମସ୍ତେ ଚେଷ୍ଟା କରୁଛନ୍ତି ।