ଅନାଥ ଝିଅକୁ ଦେଖି ନିଜକୁ ରୋକି ପାରିଲେନି ଯୁବ ନେତା ଅଜିତ, ଦେଲେ ଆର୍ଥିକ ସହାୟତା
ପ୍ରଥମେ ମା’ ଛାଡ଼ି ଚାଲିଗଲା । ଆଉ ତା ପରେ ପରେ ବାପା । ଏବେ ଅନାଥ ହୋଇଯାଇଛି କୁନି ଝିଅ । ବାସହରା ହୋଇ ନିଜ ବଡ଼ ବାପାଙ୍କ ଘରେ ରହୁଛି । ଗରିବ ପରିବାର ଏମାନେ । ନିଜ ପାଇଁ ଖାଇବାକୁ ଦି ଓଳି ଦି ମୁଠା ମିଳିବା ବଡ଼ କଷ୍ଟ । ଆଉ ଏଇ ଝିଅର ଦାୟିତ୍ବ ସେମାନେ ନେବେ ବା କେମିତି ? ତାର ଏଭଳି ପରିସ୍ଥିତିକୁ ଦେଖି ନିଜକୁ ରୋକି ପାରିଲେନି ଜଣେ ଯୁବ ନେତା । ଝିଅର ବାପା ମା’ ନଥିବା ବେଳେ କଣ ଖାଉଛି କେମିତି ରହୁଛି ସେ କଥା ବୁଝିବା ପାଇଁ ଯୁବ ନେତା ଝିଅ ଘରେ ପହଞ୍ଚିଲେ । ଆଉ ସାଙ୍ଗରେ ନେଇ ଯାଇଥିଲେ ଚାଉଳ, ଡାଲି, ଚାହା, ଚିନି ଭଳି ଶୁଖିଲା ଖାଦ୍ୟ ।
ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଧ ପଞ୍ଚାୟତ ଛତ୍ରଙ୍ଗ ଗାଁ ପହରିଆ ପଡାର ଘଟଣା । ଅନାଥ ଝିଅ ପୁଷ୍ପା ପହରିଆଙ୍କ ଘରେ ପହଁଚିଛନ୍ତି ଯୁବ ନେତା ଅଜିତ ଯୋଶୀ । କିଛି ଆର୍ଥିକ ସାହାଯ୍ୟ ସହ ଶୀତ ବସ୍ତ୍ର ଓ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରି ଅଜିତ ଦେଖାଇଛନ୍ତି ମହାନତା । କୁନି ଝିଅକୁ ସାହାଯ୍ୟ କରିଛନ୍ତି । ପହରିଆ ପଡ଼ାର ପୁଷ୍ପା ଜୁରାବନ୍ଧ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ନ୍ତି । ତେବେ ଗତ ଅଗଷ୍ଟ ମାସରେ ନିଜ ବାପାଙ୍କୁ ହରାଇ ଅନାଥ ହୋଇଯାଇଛି ପୁଷ୍ପା । ୪-୫ ବର୍ଷ ପୂର୍ବରୁ ତାର ମାଆଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଏବେ ବାପାଙ୍କ ମୃତ୍ୟୁ ପରେ ବଡ଼ବାପାଙ୍କ ଘରେ ଆଶ୍ରୟ ନେଉଛି ପୁଷ୍ପା । ବାପା ମାଆଙ୍କ ଦେହାନ୍ତ ପରେ ଅନାଥ ଝିଅ ଅସୁବିଧାରେ ରହୁଥିବା ଖବର ପାଇ ଅଜିତ ଯୋଶୀ ସେହି ଗାଁରେ ପହଁଚିଥିଲେ । ଝିଅର ଭଲ ମନ୍ଦ ପଚାରିବା ସହ ତାର ପ୍ରତିପୋଷଣ ଏବଂ ପାଠ ପଢାର ସମସ୍ତ ଦାୟିତ୍ୱ ନେଇଛନ୍ତି ଅଜିତ । ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରିବା ସହ ଆଗାମୀ ଦିନରେ ମଧ୍ୟ ଯଥା ସମ୍ଭବ ସାହାଯ୍ୟ କରିବେ ବୋଲି ଅଜିତ ପ୍ରତିଶ୍ରୁତି ଦେଇଛନ୍ତି ।
ଏ କୁନି ଝିଅର ସାହାରା କହିଲେ କେହି ନାହିଁ । ଦୁନିଆ ବିଷୟରେ ଜାଣିବା ପୂର୍ବରୁ ତା ବାପା ମା ତାକୁ ଅଧା ରାସ୍ତାରେ ଏମିତି ଛାଡ଼ି ଦେଇଗଲେ । ତେବେ କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ଝିଅଟିକୁ ସାହାଯ୍ୟ କଲେ ସେ ମଧ୍ୟ ଭବିଷ୍ୟରେ ଜଣେ ଭଲ ନାଗରିକ ହୋଇ ବାହାରି ପାରିବ ।