ଭୁବନେଶ୍ବର (କେନ୍ୟୁଜ୍): ଓଡ଼ିଆ ସଂଗୀତର ମୁକୁଟ ବିହୀନ ସମ୍ରାଟ ଅକ୍ଷୟ ମହାନ୍ତିଙ୍କ ସ୍ମୃତିରେ ଅକ୍ଷୟ ସାହିତ୍ୟ ଓ ସଙ୍ଗୀତ ସମ୍ମାନ ଉତ୍ସବ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଛି । ୧୬ ବର୍ଷ ଧରି ଓଡ଼ିଶା ସିନେ କ୍ରିଟିକ୍ ଆସୋସିଏସନ ଏବଂ ସଂସ୍କୃତି ଓ ସଂସ୍କୃତି ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଏହି ଉତ୍ସବ ଆୟୋଜିତ ହୋଇ ଆସୁଛି । ଏହି ଉତ୍ସବରେ କାଦମ୍ବିନୀର ସମ୍ପାଦିକା ଡ. ଇତି ସାମନ୍ତ ଅତିଥି ଭାବରେ ଯୋଗ ଦେଇ ଓଡ଼ିଆ ସାହିତ୍ୟକୁ ଅକ୍ଷୟ ମହାନ୍ତିଙ୍କ ଅବଦାନ କଥା କହିଥିଲେ ।
ଓଡିଆ ସାହିତ୍ୟକୁ ଅକ୍ଷୟ ମହାନ୍ତି ସମୃଦ୍ଧ କରିଛନ୍ତି ବୋଲି ଡ. ଇତି ସାମନ୍ତ କହିଛନ୍ତି । ଉଭୟ ସଂଗୀତ ଏବଂ ସାହିତ୍ୟରେ ତାଙ୍କର ବେଶ ପାରଦର୍ଶିତା ଥିଲା ବୋଲି କ।ର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ସାହିତ୍ୟିକା ଡକ୍ଟର ଅର୍ଚ୍ଚନା ନାୟକ । ଉତ୍ସବରେ ବିଶିଷ୍ଟ ସାହିତ୍ୟକ ବିଜୟ ନାୟକଙ୍କୁ ଚଳିତ ବର୍ଷର ଅକ୍ଷୟ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଛି । ବିଜୟ ନାୟକଙ୍କ ଅନୁପସ୍ଥିତିରେ ତାଙ୍କ ପତ୍ନୀ ଏହି ସମ୍ମାନ ଗ୍ରହଣ କରିଥିଲେ ।
ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କୁ ଅକ୍ଷୟ ସଙ୍ଗୀତ ସମ୍ମାନ ପ୍ରଦାନ କରାଯାଇଛି । କ।ର୍ଯ୍ୟକ୍ରମରେ ମାଷ୍ଚର ରାକେଶ ବିଶ୍ୱାଳ ଭାଓଲିନରେ ‘ଭସା ମେଘ ମୁଁ ଯେ’ ସଙ୍ଗୀତ ପରିବେଷଣ କରି ମନ୍ତ୍ରମୁଗ୍ଧ କରିଥିଲେ । ରାକେଶ ବିଶ୍ୱାଳଙ୍କୁ ପ୍ରଯୋଜକ ଶ୍ରୀଧର ମାର୍ଥା ସମ୍ମାନିତ କରିଥିଲେ । ଏହି ଅବସରରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ସ୍ୱର୍ଗତ ଅମୀୟ ପଟ୍ଟନାୟକ ଓ ସଙ୍ଗୀତଜ୍ଞ ଚିତ୍ତ ଜେନାଙ୍କ ସ୍ମୃତିର ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।