ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ଜମୁଛି ଭକ୍ତଙ୍କ ଭିଡ଼, ମହାପ୍ରଭୁଙ୍କ ଦର୍ଶନ କରିବାକୁ ଲାଗୁଛି ୩ ଘଣ୍ଟା

ନୂଆବର୍ଷରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଜମୁଛି ଲକ୍ଷାଧିକ ଭକ୍ତଙ୍କ ଭିଡ଼ । ଲମ୍ବା ଧାଡ଼ିରେ ଛିଡା ହୋଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଅତି କମରେ ୩ ଘଣ୍ଟା ଲାଗୁଛି । ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।  ଶ୍ରଦ୍ଧାଳୁଙ୍କ ପାଇଁ ପର୍ଯ୍ୟପ୍ତ ପରିମାଣରେ ପାନୀୟ ଜଳ ବ୍ୟବସ୍ଥା ହୋଇଛି ।  ଶୃଙ୍ଖଳିତ ଦର୍ଶନ ସହିତ ସହରରେ ଟ୍ରାଫିକ ସୁପରିଚାଳନା, ଆଇନଶୃଙ୍ଖଳା ରକ୍ଷା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ ।  ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର ବ୍ଲାଙ୍କେଟ ସିକ୍ୟୁରିଟି ଏବଂ ସିସିଟିଭି କ୍ୟାମେରା ବଳୟରେ ରହିବ ।

ଡିସେମ୍ବର ୩୧ ଓ ଜାନୁଆରୀ ୧ ରେ କେବଳ ସିଂହଦ୍ଵାର ପଟେ ଭକ୍ତମାନେ ପ୍ରବେଶ କରିବା ସହ ଅନ୍ୟ ତିନି ଦ୍ବାରରେ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ୩୧ତାରିଖ ରାତିରେ ମାହାପ୍ରଭୁଙ୍କୁ ଅନିଦ୍ରା ରଖିବାକୁ ଯୋଜନା କରିଛି ।  ୩୧ ତାରିଖ ରାତିଠାରୁ ୧ ତାରିଖ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।