ଭୁବନେଶ୍ବରରେ ସର୍ବଭାରତୀୟ ପୋଲିସ ଡିଜି-ଆଇଜି ସମ୍ମିଳନୀ, ଦ୍ବିତୀୟ ଦିନରେ ଅଧ୍ୟକ୍ଷତା କରୁଛନ୍ତି ପ୍ରଧାନମନ୍ତ୍ରୀ
ଭୁବନେଶ୍ବର : ଭୁବନେଶ୍ବରରେ ସର୍ବଭାରତୀୟ ପୋଲିସ ଡିଜି-ଆଇଜି ସମ୍ମିଳନୀରେ ଅଧ୍ୟକ୍ଷତା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମ୍ମିଳନୀର ୨ ଦିନରେ ଦେଶ ଆଭ୍ୟନ୍ତରୀଣ ସୁରକ୍ଷା ରଣନୀତି ନେଇ ବ୍ଲୁ ପ୍ରିଣ୍ଟ ଉପରେ ଆଲୋଚନା କରାଯାଉଛି । ଆତଙ୍କବାଦ, ନକ୍ସଲବାଦ ସମେତ କିଛି ସମ୍ବେଦନଶୀଳ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଶାହ, ଏନଏସଏ ଅଜିତ ଡୋଭାଲ କିଛି ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଲୋକସେବା ଭବନ କନଫରେନସ ହଲରେ ରୁଦ୍ଧଦ୍ବାର ବୈଠକ କରିଛନ୍ତି ।
୨୦୪୭ ବିକଶିତ ଭାରତ ପାଇଁ ଲକ୍ଷ୍ୟ ରହିଛି ବିଶ୍ବସ୍ତରୀୟ ପୋଲିସ ଫୋର୍ସ। ଅପରାଧିକ ମାମଲାରେ ଦଣ୍ଡା ନୁହେଁ, ଡାଟା ସହ ପୋଲିସ ତଦନ୍ତକୁ ବଢାଇବାକୁ ଗୁରୁତ୍ବ ଦେଇଛନ୍ତି ମୋଦି । ୩ଟି ନୂଆ ଅପରାଧ ଆଇନ କାର୍ଯ୍ୟକାରିତାର ସମୀକ୍ଷା କରାଯାଉଛି । ଏଥିରେ ଆଭିମୁଖ୍ଯ ସିଟିଜେନ ଫାଷ୍ଟ, ଡିଗନିଟି ଫାଷ୍ଟ ଓ ଜଷ୍ଟିସ ଫାଷ୍ଟ । ପୋଲିସ ଆଧୁନିକୀକରଣ ସହ ମହିଳାଙ୍କ ସୁରକ୍ଷାକୁ ରହିଛି ପ୍ରାଥମିକତା ।
ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ଯେପରି ମହିଳାମାନେ ସୁରକ୍ଷିତ ରହି କାମ କରିପାରିବେ ତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରୁଛନ୍ତି । ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ପୋଲିସର ବଡ଼ ଭୂମିକା ରହିଛି । ପୋଲିସ ଥାନା ଗୁଡ଼ିକ ସୋସିଆଲ ମିଡିଆରେ ଯୋଡ଼ିରହିବା ସହ ବିଭିନ୍ନ ସୂଚନା ପ୍ରଦାନ କରିବାରେ ମୋଦି ଗୁରୁତ୍ବାରୋପ କରିଆସୁଛନ୍ତି । ତେଣୁ ଏହି ସବୁ ପ୍ରସଙ୍ଗ ସମ୍ମିଳନୀରେ ସ୍ଥାନ ପାଇଛି ।