ଓମିକ୍ରନ ପାଇଁ ଆଲର୍ଟ: ରାଜଧାନୀରେ ୩ ଦିନ ବନ୍ଦ ରହିବ ସବୁ ଧର୍ମାନୁଷ୍ଠାନ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ୩ ଦିନ ବନ୍ଦ ରହିବ ସବୁ ଧର୍ମାନୁଷ୍ଠାନ । ଡିସେମ୍ବର ୩୧ ତାରିଖରୁ ଭୁବନେଶ୍ୱରରେ ମନ୍ଦିର, ଚର୍ଚ୍ଚ, ଗୁରୁଦ୍ୱାର, ମସଜିଦ୍‌ ଆଦି ସବୁ ଧର୍ମାନୁଷ୍ଠାନ ବନ୍ଦ ରହିବା ନେଇ ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଡିସେମ୍ବର ୩୧, ଜାନୁଆରୀ ୧ ଓ ଜାନୁଆରୀ ୨ ତାରିଖ ପାଇଁ ଜାରି ହୋଇଛି ନିର୍ଦ୍ଦେଶନାମା । କରୋନା ସଂକ୍ରମଣ ସହ ଓମିକ୍ରନ୍‌ କେସ୍‌ ବଢୁଛି । ଏଭଳି ସ୍ଥିତିରେ ନୂଆବର୍ଷରେ ଲୋକଙ୍କ ଭିଡ଼ ଆଶଙ୍କା କରାଯାଉଛି । ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ ।

ସେହିପରି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ ବି ୩୧ ତାରିଖରୁ ଜାନୁଆରୀ ୨ ତାରିଖ ଯାଏ ଦର୍ଶକଙ୍କ ପାଇଁ ବନ୍ଦ ରହିବ । ଜିରୋ ନାଇଟ୍‌ ସେଲିବ୍ରେସନ୍‌ ଉପରେ କମିଶନରେଟ ପୋଲିସ ଲଗାଇଛି କଟକଣା । କଟକରେ ମୋଟ୍‌ ୨୩ଟି ନାକା ପଏଣ୍ଟ ସହ ୧୨ ପ୍ଲାଟୁନ୍‌ ଫୋର୍ସ ମୁତୟନ ରହିବେ ।