ମାଲକାନଗିରି /କୋରାପୁଟ / ଗଞ୍ଜାମ : ବଙ୍ଗୋସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଥିବାବେଳେ ୧୦ ତାରିଖ ସକାଳ ଯାଏ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଏ ନେଇ ୬ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ପ୍ରବଳ ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ଆଜି ତିନି ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି । ଏହି ତିନି ଜିଲ୍ଲା ହେଉଛି ମାଲକାନଗିରି, ଗଂଜାମ ଓ କୋରାପୁଟ । ପରିସ୍ଥିତିକୁ ନଜରରେ ରଖି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ମାଲକାନଗିରି ଓ ଗଞ୍ଜାମ ଜିଲ୍ଲାର ସ୍କୁଲ ଛୁଟି ନେଇ ଗତକାଲି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଘୋଷଣା କରିଥିଲେ। ମାତ୍ର ପାଣିପାଗ ବିଭାଗ ପକ୍ଷରୁ ରେଡ ୱାର୍ଣ୍ଣିଂ ଜାରି କରାଯିବା ପରେ କୋରାପୁଟ ଜିଲ୍ଲାପାଳ ଆଜି ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି।
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ସମ୍ଭାବ୍ୟ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରିବା ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିଛି ଜିଲ୍ଲାରେ ଓଡ୍ରାଫ ଓ ଏନଡିଆରଏଫ ଟିମକୁ ଷ୍ଟାଣ୍ଡବାଏରେ ରଖାଯାଇଥିବା ଜଣାପଡ଼ିଛି । ମୋଟୁରେ ୧୮୦ ଲୋକ ଓ ପୋଟେରୁରେ ୮୦୦ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ଆଶ୍ରୟ ଦିଆଯାଇଛି । ବିଭିନ୍ନ ପୋଲ ଓ ରାସ୍ତା ଉପରୁ ଧୀରେ ଧୀରେ ପାଣି ଖସିବାରେ ଲାଗିଛି । ପାଙ୍ଗମ ଓ ଏମଭି-୭ ପୋଲରୁ ପାଣି ଖସିଛି । ପୋଟେରୁ ପୋଲ ଉପରେ ୪ ଫୁଟ ଉଚ୍ଚରେ ପାଣି ଚାଲିଛି । ମାଲକାନଗିରିରୁ ଆନ୍ଧ୍ର ଓତେଲଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ମୁଦୁଲିପଡ଼ା ଓ ଚିତ୍ରକୋଣ୍ଡାରେ ଭୂସ୍କଳନ ଘଟିଛି। ପ୍ରବଳ ବର୍ଷାରେ ସ୍ବାଭିମାନ ଅଞ୍ଚଳ ଜୋଡ଼ାମ୍ବ ପ୍ରାଥମିକ ଚିକିତ୍ସାଳୟରେ ପାଣି ପଶି ଔଷଧପତ୍ର ଓ ମେଡିକାଲ କାଗଜପତ୍ର ପାଣିରେ ଭାସିଛି । କୋଲାବ ନଦୀ ଫୁଲୁଥିବାରୁ କିଛି ତଳିଆ ଅଞ୍ଚଳରେ ପାଣି ପଶିଛି । ପ୍ରବଳ ବର୍ଷାରେ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ଭିତରେ ପଶିଛି ବନ୍ୟା ଜଳ । ଜଳ ବିଦ୍ୟୁତ ପ୍ରକଳ୍ପର ୨ ନମ୍ବର ୟୁନିଟ୍ ଭିତରେ ଜଳ ପ୍ରବେଶ କରିବାରୁ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି ।
ସେପଟେ କୋରାପୁଟ ଜିଲାର କୁରଲୁ ଓ ବିରି ନଦୀ ଫୁଲୁଛି। କିଛି ସ୍ଥାନରେ ଲଗାଣ ବର୍ଷାରେ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି। ଚିତ୍ରକୋଣ୍ଡା ମଧ୍ୟ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଉପର ମୁଣ୍ଡରେ ଥିବା ଆନ୍ଧ୍ର ପ୍ରଦେଶ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି। ବର୍ଷାଜଳ ପାତାଳି ଓ ମାଛକୁଣ୍ଡ ନଦୀ ଦେଇ ପ୍ରବାହିତ ହୋଇ ଜୋଲାପୁଟ ଜଳଭଣ୍ଡାରକୁ ଫୁଲେଇବାରେ ଲାଗିଛି। ଜଳଭଣ୍ଡାର ଜଳଧାରଣ କ୍ଷମତା ବିପଦସଙ୍କେତ ପାର କରିବା ପରେ ଜଳଭଣ୍ଡାର କର୍ତ୍ତୃପକ୍ଷ ୭ଗୋଟି ଫାଟକ ଖୋଲି ସେକେଣ୍ଡ ପିଛା ୪୫ ହଜାର କ୍ୟୁସେକ ଜଳ ନିଷ୍କାସନ କରୁଛନ୍ତି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଏଥିନେଇ ଜିଲାୱାରୀ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ଏସ୍ଆର୍ସି ଦେଓରଞ୍ଜନ କୁମାର ସିଂ। ପରିସ୍ଥିତିର ମୁକାବିଲା କରିବା ପାଇଁ ଓଡ୍ରାଫ ଓ ଏନଡିଆରଏଫ୍ ଟିମ୍ ମୁତୟନ କରାଯାଇଛି।