୩୫ ବର୍ଷ ପରେ ଏକାଠି ହେଲେ ସମସ୍ତ ସହପାଠୀ, ପିଲା ଦିନର ସ୍ମୃତିକୁ ମନେ ପକାଇ ହେଲେ ଭାବବିହ୍ବଳ

ଭଞ୍ଜନଗର: ଏକ ନିଆରା ବନ୍ଧୁତା । ଅତିକ୍ରାନ୍ତ ବୟସରେ ଅତୀତକୁ ମନେ ପକାଉଛନ୍ତି ବନ୍ଧୁମାନେ । ଦୀର୍ଘ ୩୫ ବର୍ଷ ପରେ ନିଜ ନିଜ ପରିବାରକୁ ନେଇ ଏକାଠି ହେଲେ ସମସ୍ତ ସହପାଠୀ । ଗଂଜାମ ଜିଲ୍ଲା ବାଲିପଦର ନିକଟସ୍ଥ ମା’ କଙ୍କଣଦେବୀଙ୍କ ପୀଠରେ ଦେଖିବାକୁ ମିଳିଛି ଏଭଳି ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ।

ଏମାନଙ୍କ  ଖୁସି କହିଲେ ନସରେ । ଏଠି ନା’ ଥିଲେ କେହି ଅତିଥି, ନା’ ଥିଲେ ନିମନ୍ତ୍ରିତ ବ୍ୟକ୍ତି । ସମସ୍ତେ ଥିଲେ, ଜଣେ ଜଣେ ପୁରୁଣା ବନ୍ଧୁ ଏବଂ ବାନ୍ଧବୀ । ଜଣେ ଆଉ ଜଣକୁ ସମ୍ବର୍ଦ୍ଧିତ କରୁଥିଲେ । ଫୁଲ ଏବଂ ଉପଢୌକନ ଦେଇ ଶୁଭେଚ୍ଛା ଜଣାଉଥିଲେ । କିଏ ଦିଲ୍ଲୀରୁ ଆସିଥିଲା ତ କିଏ ମୁମ୍ବାଇରୁ । ପୁଣି କେହିକେହି ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସି ଏକଠି ହୋଇଥିଲେ । ଏ ଦୃଶ୍ୟ  ହେଉଛି ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ବିଜୟଲକ୍ଷ୍ମୀ ଶରଣପୁର ସରକାରୀ ଉଚ୍ଚ ବିଦ୍ୟାଳୟର, ୧୯୯୧ ବ୍ୟାଚ୍ ର ଦଶମ ଶ୍ରେଣୀ  ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ । ଦୀର୍ଘ ୩୫ ବର୍ଷ ପରେ ନିକଟସ୍ଥ ବାଲିପଦର – ଭେଟନଈ ସ୍ଥିତ ମା’ କଙ୍କଣଦେବୀଙ୍କ ପୀଠରେ ସପରିବାରେ  ଏକାଠି ହୋଇଥିଲେ ସମସ୍ତେ ।

ଦଶମ ପାଠପଢା ସରିବା ପରେ ଅଧିକାଂଶ ନିଜନିଜ ଉଚ୍ଚ ଶିକ୍ଷା ପାଇଁ କିଏ କେଉଁଠିକୁ ଚାଲିଗଲେ । ସେବେଠାରୁ ପ୍ରାୟତଃ ପରସ୍ପର ମଧ୍ୟରେ ଦେଖା ସାକ୍ଷାତ ହୋଇ ପାରିନଥିଲା । ପରେପରେ ପାଠପଢ଼ା ସାରି, ନିଜର ଜୀବିକା ନିର୍ବାହରେ ବ୍ୟସ୍ତ ରହିଲେ । ଚାକିରୀ, ବ୍ୟବସାୟ ଏବଂ ପରିବାର ଜଞ୍ଜାଳ ଭିତରେ ପରସ୍ପର ମଧ୍ୟରେ ଦେଖାସାକ୍ଷାତ ହୋଇ ପାରୁନଥିଲା । ଶେଷରେ ସମସ୍ତେ ଏକାଠି ହୋଇ ନିଜନିଜ ପରିବାରର ସଦସ୍ୟଙ୍କୁ ନେଇ ବନ୍ଧୁ ମିଳନ ଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।

ଦୀର୍ଘବର୍ଷ ପରେ ଏକାଠି ହୋଇ ଅତୀତ ଏବଂ ପିଲା ଦିନର ସ୍ମୃତିକୁ ଦୋହରାଇବାକୁ ଭୁଲିନଥିଲେ ଏମାନେ । ଅତୀତ କେମିତି ଥିଲା ଏବଂ ଆଗକୁ କେମିତି ମଜବୁତ ରଖିବାକୁ ହେବ । ପାଠପଢା, ଶିକ୍ଷକଙ୍କ ପ୍ରତି ଭକ୍ତିଭାବ, ନିଜନିଜ ଭିତରେ ରହିଥିବା ସ୍ନେହ ଏବଂ କିଛି ଅଭୁଲା ସ୍ମୃତିକୁ ନେଇ ଭାବ ବିହ୍ବଳ ହୋଇପଡ଼ିଥିଲେ ସମସ୍ତେ ।

ଜୀବନରେ ବନ୍ଧୁ ତ ଅନେକ ମିଳିବେ ।  ହେଲେ ଜଣେ ସଚ୍ଚା-ବନ୍ଧୁ ମିଳିବା, କଷ୍ଟକର ହୋଇଥାଏ । ସାରା ଜୀବନ ପାଇଁ ବନ୍ଧୁ ହୋଇ ରହିବା ଏବଂ ଜଣେ ଅନ୍ୟ ଜଣକ ପାଇଁ ସାହାରା ହୋଇ ଠିଆ ହେବାଭଳି ମାନସିକତା ଏଠି ଦେଖିବାକୁ ମିଳିଥିଲା । ଯାହାକି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

Also Read: ବ୍ରହ୍ମଗିରିରେ ବିସ୍ଫୋରଣ : ଜଣେ ଗୁରୁତର, ଜଣେ ଆହତ