ରାଜ୍ୟବାସୀଙ୍କ ପାଇଁ ଖୁସି; ସବୁ ଭତ୍ତା ହେବ ୩ ହଜାର ଟଙ୍କା: ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ବୃଦ୍ଧି କରାଯିବ ଭତ୍ତା ରାଶି । ରାଜ୍ୟରେ ବିଭିନ୍ନ ବର୍ଗଙ୍କୁ ଦିଆଯାଉଥିବା ଭତ୍ତା ୩ ହଜାର ଟଙ୍କାକୁ ବୃଦ୍ଧି କରାଯିବ । ଏହି ଭତ୍ତା ରାଶି ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି ବୋଲି ଆଜି ସୂଚନା ଦେଇଛନ୍ତି ସାମାଜିକ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଭତ୍ତା ବୃଦ୍ଧି ପ୍ରସ୍ତୁତି ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି । ବଜେଟ କେତେ ଆସୁଛି ଦେଖିବୁ । ଅର୍ଥ ବିଭାଗର କ୍ଲିୟରାନ୍ସ ନେବା ପରେ ପରବର୍ତ୍ତୀ ସମୟରେ ଏହାକୁ କାର୍ଯ୍ୟକାରୀ କରିବୁ ବୋଲି ମନ୍ତ୍ରୀ କହିଛନ୍ତି । ଅର୍ଥ ବିଭାଗ ସହ ବିସ୍ତୃତ ଆଲୋଚନା ପରେ ଏହାକୁ କାର୍ଯ୍ୟକାରୀ କରାଯିବ ।
ରାଜ୍ୟରେ ପୂର୍ବତନ ବିଜେଡି ସରକାର ଜାତୀୟ ସାମାଜିକ ସୁରକ୍ଷାରୁ ବଞ୍ଚିତ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନା ଅଧିନରେ ଭତ୍ତା ପ୍ରଦାନ କରୁଥିଲେ । ଏହି ଯୋଜନାରେ ରାଜ୍ୟର ବିଭିନ୍ନ ବର୍ଗର ୫୬ ଲକ୍ଷ ୭୬ ହଜାର ୯୧୬ ଜଣଙ୍କୁ ଭତ୍ତା ଦିଆଯାଉଛି । ଗତ ଫେବୃଆରୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୦ ଟଙ୍କା ଭତ୍ତା ବୃଦ୍ଧି କରିଥିଲେ । ଏହାପରେ ହିତାଧିକାରୀମାନେ ସର୍ବନିମ୍ନ ଭତ୍ତା ରାଶି ୧୦୦୦ ଟଙ୍କା ପାଉଥିଲେ ।