ରାଜଧାନୀ ବସ୍ତିରେ ଦିଦିଙ୍କ ଦାଦାଗିରି, ଅତ୍ୟାଚାରରେ ଅତିଷ୍ଠ ଭଗବତୀ ବସ୍ତି ବାସିନ୍ଦା

ଭୁବନେଶ୍ବର (କେନ୍ୟୁଜ୍) : ଦିଦିଙ୍କ ଦାଦାଗିରି । ତାହାପୁଣି କୌଣସି ଗାଁ କି କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ । ଖୋଦ୍ ରାଜଧାନୀ ଭୁବନେଶ୍ବରରେ । ଖାରବେଳ ନଗର ଥାନା ଅଧୀନସ୍ଥ ୟୁନିଟ-୯ର ଭଗବତୀ ବସ୍ତିରେ ଚାଲିଛି ଏଭଳି ଏକଛତ୍ରବାଦ ଶାସନ। ବସ୍ତିବାସିନ୍ଦା ଅତିଷ୍ଠ ହୋଇପଡିଛନ୍ତି ସ୍ଥାନୀୟ ଅଙ୍ଗନବାଡି ଦିଦି ଓ ତାଙ୍କ ସ୍ୱାମୀ ତଥା ପରିବାରର ଅତ୍ଯାଚାରରେ । ଆଉ ସେମାନଙ୍କ କଥା ପୋଲିସ୍ ଶୁଣୁ ନଥିବା ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା ।
ଛତୁଆ ଓ ଔଷଧ ଯାଉଛି କୁଆଡ଼େ ?
ସୂଚନା ଅନୁଯାୟୀ, ଭଗବତୀ ବସ୍ତିରେ ସେଠାକାର ଛୋଟପିଲାଙ୍କୁ ନେଇ ଚାଲେ ଅଙ୍ଗନବାଡି । ପିଲାଙ୍କ ପାଇଁ ଆସୁଥିବା ଛତୁଆ ଏବଂ ଅନ୍ଯାନ୍ଯ ଖାଦ୍ୟ ପଦାର୍ଥକୁ ଅଙ୍ଗନବାଡ଼ି ଚଳାଉଥିବା ଦିଦି ଆରତୀ ମହାପାତ୍ର ପିଲାଙ୍କୁ ନଦେଇ ବିକ୍ରି କରି ଦେଉଥିବା ଅଭିଯୋଗ ହେଉଛି । ଏମିତିକି ଏଥିରୁ ବଳି ପଡ଼ିଲେ ଏଣେତେଣେ ଫୋପାଡ଼ି ଦିଅନ୍ତି । ଅଙ୍ଗନବାଡିରେ ପଢୁଥିବା ପିଲା କିମ୍ବା ସେମାନଙ୍କ ଅଭିଭାବମାନେ ଯଦି ଏକଥା ପଚାରନ୍ତି ତେବେ ଓଲଟା ସରକାରଙ୍କ ଉପରକୁ ଦୋଷ ଠେଲି ବଦନାମ କରୁଛନ୍ତି । କହୁଛନ୍ତି, କୁଆଡେ ସରକାର ଭଲ ଛତୁଆ ଦେଉନାହାନ୍ତି । ବିଜେପି ସରକାର ଆସୁ ଭଲ ଛତୁଆ ଓ ଅଣ୍ଡା ଦେବେ । ଏହା ବ୍ଯତୀତ ବସ୍ତି ମହିଳାଙ୍କ ପାଇଁ ଆସୁଥିବା ପରିବାର ନିୟୋଜନ ଔଷଧକୁ ମଧ୍ୟ ଦେଉନଥିବା ଅଭିଯୋଗ ହୋଇଛି ।
ଏସବୁ ଘଟଣାକୁ ନେଇ ବସ୍ତିର ମହିଳାମାନେ ପ୍ରତିବାଦ ମଧ୍ଯ କରିଥିଲେ । ହେଲେ ପ୍ରତିବାଦକୁ ଖାତିର ନକରି ଆରମ୍ଭ ହୋଇଥିଲା ଦିଦିଙ୍କ ଆକ୍ସନ। ସ୍ୱାମୀ ସମିର ବାରିକ ମଦ ପିଇ ବସ୍ତିରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏନେଇ ବସ୍ତି ବାସିନ୍ଦା ଖାରବେଳ ନଗର ଥାନାର ଦ୍ୱାରସ୍ଥ ମଧ୍ଯ ହୋଇଥିଲେ । ହେଲେ କୌଣସି ଫରକ ପଡିଲା ନାହିଁ । ଯାହାଫଳରେ ତାଙ୍କର ସହାସ ବଢ଼ିବାରେ ଲାଗିଛି । ଅଙ୍ଗନବାଡି ଘର ଭିତରେ ପଶି ମଦ ପିଇବା, ଝିଅ ବହୂଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ଆଦି ଘଟଣା ଘଟୁଥିବା ବସ୍ତିର ଲୋକେ କହିଛନ୍ତି ।
ବସ୍ତି ଛାଡ଼ି ପଳାଉଛନ୍ତି ଲୋକେ
ଖାଲି ସେତିକି ନୁହେଁ, ବସ୍ତିରେ ରହୁଥିବା ଜଣେ ଦୃଷ୍ଟିହୀନ ଗର୍ଭବତୀ ମହିଳାଙ୍କୁ ସରକାରଙ୍କ ଠାରୁ ଆସୁଥିବା ଜନନୀ ଯୋଜନାରୁ ବଂଚିତ କରାଯାଇଥିଲା । ମହିଳା ଜଣକ ଅଭିଯୋଗ କରିବାରୁ ତାଙ୍କ ଦୃଷ୍ଟିହୀନ ସ୍ୱାମୀଙ୍କୁ ଅଙ୍ଗନବାଡି ଦିଦିଙ୍କ ସ୍ୱାମୀ ରାସ୍ତାରେ ଅଟକାଇ ଗାଡି ଚଢାଇ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ତେଣୁ ଏହି ଦୃଷ୍ଟିହୀନ ଦମ୍ପତି ବସ୍ତି ଛାଡି ଚାଲିଯିବା ପାଇଁ ବାଧ୍ୟ ହୋଇଥିଲେ ।
ଆଉ ମଧ୍ୟ ସେହି ବସ୍ତିରେ ଜଣେ ଝିଅକୁ ଅସଦାଚରଣ ସହିତ କମେଣ୍ଟ ମାରିବା ନେଇ ଖାରବେଳ ନଗର ଥାନାରେ ଏତଲା ଦିଆଯାଇଥିଲା । ଏହି ମାମଲାରେ ସ୍ୱାମୀ ମିହିର ବାରିକ ଓ ଦିଅର ସମୀର ବାରିକଙ୍କୁ ପୋଲିସ୍ ଅଟକ ରଖିଥିଲା । ପରେ କିନ୍ତୁ ସେମାନଙ୍କ ନାନାଦି ଅତ୍ୟାଚାର ଯୋଗୁଁ ସେହି ପରିବାର ମଧ୍ୟ ବସ୍ତି ଛାଡ଼ି ଅନ୍ୟତ୍ର ଚାଲି ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।
ପାନୀୟ ଜଳ ପାଇଁ ହନ୍ତସନ୍ତ
ବସ୍ତି ବାସିନ୍ଦାଙ୍କ ପାଇଁ ୱାର୍ଲଡ ଭିଜନ୍ ତରଫରୁ ପାନୀୟ ଜଳର ବ୍ୟବସ୍ଥା ଲାଗି ଏକ ପ୍ରକଳ୍ପ କରାଯାଇଥିଲା । ଏହି ପ୍ରକଳ୍ପ ପାଇଁ ପ୍ରାରମ୍ଭରେ ପରିବାର ପିଛା କିଛି ଅର୍ଥ ନିଆଯାଇଥିଲା । କିନ୍ତୁ ବୋରିଂ ହୋଇ ପାଣି ବ୍ୟବହାର କରିବାର କିଛି ମାସ ପରେ ଏହି ପରିବାର ସେଠାରେ ପାଚେରୀ ପକାଇ ରାସ୍ତା ବନ୍ଦ କରି ଦେଇଛନ୍ତି । ଯାହାଫଳରେ ବସ୍ତିବାସିନ୍ଦା ଆଉ ପାଣି ପାଉ ନାହାନ୍ତି । ସେମାନେ ବାଧ୍ୟ ହୋଇ ଅନ୍ୟ ଜାଗାରୁ ପିଇବା ପାଣି ଆଣି ଚଳୁଛନ୍ତି । ଏମିତି ଅନେକ ପ୍ରକାର ଅତ୍ୟାଚାରର ସାମନା କରୁଛନ୍ତି ଭଗବତୀ ବସ୍ତି ବାସିନ୍ଦା । ହେଲେ ଏମାନଙ୍କ ଦୁର୍ଦ୍ଦଶା କଥା ଯେମିତି କେହି ଶୁଣିବାକୁ ନାହିଁ ।
ନ୍ୟାୟ ଦିଅନ୍ତୁ ପୋଲିସ୍ କମିଶନର୍
ଏସବୁ ଅଭିଯୋଗ ଖାରବେଳ ନଗର ଥାନା ପୋଲିସ ଶୁଣୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୁଏ ନାହିଁ । ଶେଷରେ ଅନ୍ୟ ଉପାୟ ନପାଇ ନ୍ଯାୟ ପାଇବା ଲାଗି ଭଗବତୀ ବସ୍ତିବାସିନ୍ଦା ପୋଲିସ୍ କମିଶନରଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ସେପଟେ ପୋଲିସର କହିବା କଥା, ଗତ ୯ ମାସ ଭିତରେ ଉଭୟ ପକ୍ଷରୁ ଦୁଇ ଦୁଇଟି ଲେଖାଏଁ ମାମଲା ରୁଜୁ ହୋଇଛି । ଦୁଇଗୋଷ୍ଠୀ ଭିତରେ ବିବାଦ ଥିବାରୁ ସେହି ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ପୋଲିସ୍ ନିୟମିତ ବସ୍ତିରେ ତଦାରଖ କରୁଛି । ସମାଧାନ ପାଇଁ ଆଲୋଚନା କରିବା ସହ ଘଟଣାର ତଦନ୍ତ ଚାଲିଛି ବୋଲି କହିଛି ।
ତେବେ ଅଭିଯୋଗ ହୋଇଥିବା ଅଙ୍ଗନବାଡ଼ି ଦିଦି ଓ ତାଙ୍କ ସ୍ବାମୀଙ୍କ ଠାରୁ ଯେତେବେଳେ ଆମେ ପ୍ରତିକ୍ରିୟା ନେବାକୁ ଚାହିଁଲୁ ତାଙ୍କର ଉତ୍ତର ଥିଲା, ତୁମେ ଯାହା କରିବା କଥା କର । ଏକଥା ସୂଚାଉଥିଲା ଅଭିଯୁକ୍ତଙ୍କ କ୍ଷମତା ଓ ସାହସକୁ । ଆଉ ଏକ ଆଶ୍ଚର୍ଯ୍ୟର କଥା ହେଉଛି ଏତେ ଦିନ ଧରି ବିବାଦ ଚାଲି ଆସୁଥିବା ବେଳେ ପୋଲିସ୍ ଅସଲ ଦୋଷୀକୁ ଧରୁ ନାହିଁ କାହିଁକି ଓ କାହିଁକି ସମସ୍ୟାର ସମାଧାନ କରୁ ନାହିଁ ? ଏବେ ସମସ୍ତଙ୍କ ମନରେ ଏଇ ପ୍ରଶ୍ନ ।