ମହାପ୍ରୟାଣ ଗାଡି ଡ୍ରାଇଭରଙ୍କ ନାମରେ ସାଂଘାତିକ ଅଭିଯୋଗ, ସିଡିଏମଓଙ୍କ ତଦନ୍ତ ପ୍ରକ୍ରିୟା ଆରମ୍ଭ

ବରଗଡ଼: ହସ୍ପିଟାଲରେ ମୃତ୍ୟୁ ହେଉଥିବା ରୋଗୀଙ୍କ ମୃତଦେହକୁ ଆମ୍ବୁଲାନ୍ସ ଗାଡ଼ିରେ ବୋହିନେବାକୁ ରାଜ୍ୟ ସରକାରଙ୍କ ମହାପ୍ରୟାଣ ଯୋଜନା ରହିଛି । ଏହି ଯୋଜନାରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରତ୍ୟେକ ଜିଲ୍ଲାର ମୁଖ୍ୟ ଚିକିତ୍ସାଲୟକୁ ମହାପ୍ରୟାଣ ଗାଡ଼ି ସହିତ ୨୪ ଘଣ୍ଟା ସେବା ପ୍ରଦାନ ନିମିତ୍ତ ୪ ରୁ ୫ ଗୋଟି ଡ୍ରାଇଭର ନିଯୁକ୍ତି କରିଛନ୍ତି । ଲୋକେ ବିନା ମୂଲ୍ୟରେ ମୃତଦେହ ବାହକ ଗାଡ଼ି ବ୍ୟବହାର କରିପାରିବେ ବୋଲି ନିୟମ ମଧ୍ୟ ରହିଛି ମାତ୍ର ବରଗଡ଼ ଜିଲ୍ଲାରେ ଏହି ନିୟମର ବ୍ୟତିକ୍ରମ ଦେଖାଦେଇଛି ।
ମୃତଦେହ ନେଉଥିବା ମହାପ୍ରୟାଣ ଗାଡ଼ିର ଡ୍ରାଇଭରମାନେ ଲୋକଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଦାବି କରୁଥିବା ଅଭିଯୋଗ ହୋଇଛି । ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମୃତଦେହ ନେଇ ଘରେ ଛାଡିବା ପରେ ତିନି ହଜାର ଟଙ୍କା ଦେବାକୁ ଦାବି କରିବା ସହିତ ପଇସା ନନେବା ଯାଏଁ ମୃତକଙ୍କ ପରିବାର ଲୋକ ଘର ଛାଡ଼ିନଥିଲେ ଡ୍ରାଇଭର ଜଣକ ବୋଲି ଅଭିଯୋଗ ଆଣିଛନ୍ତି ଗାଇସିଲେଟ ବ୍ଲକ ବଡ଼ସାହାଜ ବାହାଲ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ସାହୁ । ଆଶ୍ଚର୍ଯ୍ୟର ବିଷୟ ଯେ ଏପରି ଅଭିଯୋଗ ଆସିଛି ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ମୁଖ୍ୟ କଳାକାର ତଥା ମହାପ୍ରୟାଣ ଗାଡ଼ିର ଡ୍ରାଇଭର ହୃଷିକେଶ ଭୋଇଙ୍କ ନାମରେ ।
ଧନୁଯାତ୍ରାରେ ଅଧର୍ମର ପରାଜୟ ଏବଂ ଧର୍ମର ଜୟ ବୋଲି ସମାଜକୁ ବାର୍ତ୍ତା ଦେଇଆସୁଥିବା କଂସ ମହାରାଜ ନିଜେ ବ୍ୟକ୍ତିଗତ ଜୀବନରେ ଏପରି ଘୃଣ୍ୟ ଓ ଅଧର୍ମ କାରବାରରେ ଲିପ୍ତ ରହିବା ଘଟଣା ବରଗଡ଼ବାସୀ ତଥା କଳାକାର ପ୍ରେମୀଙ୍କ ହୃଦୟକୁ ଆଘାତ ପହଞ୍ଚାଇଛି । ଦୀର୍ଘ ବର୍ଷ ଧରି କଂସ ଭୂମିକାରେ ଅଭିନୟ କରୁ କରୁ କଣ ସତରେ କଂସ ପାଲଟିଗଲେ କି ହୃଷିକେଶ ଭୋଇ?? ମଞ୍ଚ ଉପରେ ଖଳ ଚରିତ୍ରର ଅଭିନୟ ବ୍ୟତୀତ କ’ଣ ପ୍ରକୃତ ଜୀବନରେ ମଧ୍ୟ ଭରି ରହିଛି କି କଂସ ପ୍ରବୃତ୍ତି??
ଧନୁଯାତ୍ରାରେ ଅଧର୍ମର ପରାଜୟ ଏବଂ ଧର୍ମର ଜୟ ବୋଲି ସମାଜକୁ ବାର୍ତ୍ତା ଦେଉଥିବା କଂସ ମହାରାଜ ନିଜେ ଅଧର୍ମ ଓ ପାପ କର୍ମ କରି ନିଜକୁ କଳିଯୁଗର କଂସ ବୋଲି ଭାବୁନାହାନ୍ତି ତ? ମହାପ୍ରୟାଣ ଗାଡ଼ି ସମ୍ପୂର୍ଣ୍ଣ ନିଃଶୁଳ୍କ ସେବାରେ ସରକାର ଯୋଗେଇଦେଉଥିବା ବେଳେ ମୃତକ ପରିବାର ଠାରୁ ଏପରି ଅର୍ଥ ଦାବି ସମ୍ପୂର୍ଣ୍ଣ ବେଆଇନ ଓ ଅପରାଧ ହୋଇଥିଲେ ମଧ୍ୟ ହୃଷିକେଶ ଭୋଇ ନିର୍ଭୟରେ ବେଆଇନ କାର୍ଯ୍ୟରେ ଲିପ୍ତ ରହୁଥିଲେ । ଏବେ ତାଙ୍କ ନାମରେ ଲିଖିତ ଅଭିଯୋଗ ଆସିବା ପରେ ଘଟଣାଟି ଲୋକଲୋଚନକ ଆସିଥିଲା ଓ ନିଜେ ହୃଷିକେଶ ଭୋଇ ମଧ୍ୟ ନିଜ ଭୁଲ ସ୍ୱୀକାର କରିଛନ୍ତି ।
ଏଠାରେ ପ୍ରଶ୍ନ ଉଠୁଛି ଯେ ହୃଷିକେଶ ଭୋଇ ସେହି ପରିବାର ଠାରୁ ୩୦୦୦ ଟଙ୍କା ଆଣିଥିବା ବେଳେ ୩୫୦୦ ଟଙ୍କା ଫେରାଇଲେ କାହିଁକି ?? ଯଦି ହୃଷିକେଶ ନିଜେ ଭୁଲ କରିଛନ୍ତି ଓ ନିଜ ଭୁଲକୁ ସେ ନିଜେ ସ୍ୱୀକାର କରିଛନ୍ତି ଓ ହୃଦୟରୁ କ୍ଷମା ପ୍ରାର୍ଥନା କରିଛନ୍ତି ତେବେ ଏପରି ଛଳନାତ୍ମକ ଅଭିନୟ କରି ଗରିବ ପରିବାର ଠାରୁ ସମାଧାନର ହାତଲେଖା ଆଣିଲେ କାହିଁକି ?? ମହାପ୍ରୟାଣ ଡ୍ରାଇଭର ହୃଷିକେଶ ଭୋଇଙ୍କ ନାମରେ ଏତେ ଗୁଡ଼ିଏ ପ୍ରମାଣ ହାତରେ ରହିବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏପରି ବେଆଇନ କାମ ବିରୋଧରେ କେତେ ତତ୍ପରତା ଦେଖାଉଛି ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।