ଅନ୍ତେବାସୀଙ୍କୁ ନିର୍ଯାତନା, ଅନ୍ବେଷା ହଷ୍ଟେଲ ଅଧୀକ୍ଷକଙ୍କ ନାଁ ରେ ଆସିଛି ସାଂଘାତିକ ଅଭିଯୋଗ

ପାରଳାଖେମୁଣ୍ଡି: ନିର୍ଯାତନାର ଶିକାର ହେଉଛନ୍ତି ଅନ୍ତେବାସୀ ।ଏପରି ସାଂଘାତିକ ଅଭିଯୋଗ ଆସିଛି ଅନ୍ବେଷା ହଷ୍ଟେଲ ନାଁ ରେ । ଆଦିବାସୀ ତଥା ଅନାଥ ପିଲାଙ୍କୁ ହଷ୍ଟେଲରେ ରହିବା ସୁବିଧା ଦେବା ସହ ସେଠାରେ ଶୈକ୍ଷିକ ବାତାବରଣ ମଧ୍ୟ ସୃଷ୍ଟି କରିବା ପାଇଁ ସରକାର ଅନ୍ବେଷା ହଷ୍ଟେଲର ପରିକଳ୍ପନା କରିଥିଲେ । ହେଲେ ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଏହି ହଷ୍ଟେଲର ଅନ୍ତେବାସୀମାନେ ନିଯୁକ୍ତ ଅଧୀକ୍ଷକଙ୍କ ଦ୍ବାରା ଅକଥନୀୟ ନିର୍ଯ୍ୟାତନାର ଶିକାର ହେଉଥିବା ଅଭିଯୋଗ ହୋଇଛି । ଅଧୀକ୍ଷକ ଛାତ୍ରଛାତ୍ରୀମାନଙ୍କୁ ନିର୍ଦ୍ଧୁମ ମାଡ ମାରିଥିବା ଅଭିଯୋଗ ହୋଇଛି ।
ଦୀର୍ଘ ଦିନ ହେଲା ଏଭଳି ଅତ୍ୟାଚାର ହେଉଥିଲେ ମଧ୍ୟ ଅନ୍ତେବାସୀମାନେ ଏସଂପର୍କରେ ଅଭିଯୋଗ କରିବା ପାଇଁ ସାହସ କରିପାରୁନଥିଲେ । କିନ୍ତୁ ଜଣେ ଛାତ୍ରୀ ଏସଂପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା । ସଂପୃକ୍ତ ଛାତ୍ରୀ ଅଧୀକ୍ଷକଙ୍କ ନିର୍ଯ୍ୟାତନା ଭୟରେ ହଷ୍ଟେଲ ଛାଡି ବର୍ତ୍ତମାନ ବାହାରେ ରହୁଛନ୍ତି । ସେଠାକୁ ଯିବାକୁ ଭୟ ଲାଗୁଛି ବୋଲି ସେ କହିଛନ୍ତି । ହଷ୍ଟେଲରୁ ବାରମ୍ବାର ଫୋନ ଆସୁଥିଲେ ମଧ୍ୟ ଝିଅ ଡରିଯାଇ ସେଠାକୁ ଯିବାକୁ ଚାହୁଁନାହିଁ, ତେଣୁ ଝିଅକୁ ହଷ୍ଟେଲ ଛାଡିପାରୁନୁ ବୋଲି ସଂପୃକ୍ତ ଛାତ୍ରୀଙ୍କ ମାଁ କହିଛନ୍ତି । କେବଳ ଛାତ୍ରଛାତ୍ରୀ ନୁହନ୍ତି ସେଠାରେ କାମ କରୁଥିବା ମହିଳା ମେଟ୍ରନକୁ ମଧ୍ୟ ସଂପୃକ୍ତ ଅଧୀକ୍ଷକ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ବରଂ ନିର୍ଯ୍ୟାତନାର ମାତ୍ରା ବଢିବାରେ ଲାଗିଥିଲେ । ଯାହାକୁ ସହିନପାରି ସେ ଚାକିରି ଛାଡି ପଳାଇଥିଲେ ବୋଲି କହିବା ସହ ଏଭଳି ଜଣେ ଲୋକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।
ଅନ୍ବେଷା ହଷ୍ଟେଲର ପ୍ରାୟ ୧ହଜାର ଅନ୍ତେବାସୀ ରହୁଥିବା ବେଳେ ସେଥି ମଧ୍ୟରୁ ପ୍ରାୟ ୫ଶହ ଛାତ୍ରୀ ରହିଛନ୍ତି । ଏତେ ସଂଖ୍ୟକ ପିଲାଙ୍କ ପାଇଁ ମାତ୍ର ଜଣେ ଅଧୀକ୍ଷକଙ୍କ ଦ୍ବାରା ଏହି ହଷ୍ଟେଲ ପରିଚାଳିତ ହେଉଛି । ଏପରିକି ଏତେ ସଂଖ୍ୟକ ଛାତ୍ରୀ ରହୁଥିଲେ ମଧ୍ୟ ଦୀର୍ଘ ବର୍ଷ ହେଲା ଜଣେ ହେଲେ ମହିଳା ଅଧୀକ୍ଷକ ନିଯୁକ୍ତ ନହେବା ବିଭାଗୀୟ ଅଧିକାରୀ ଖାମଖିଆଲି ମନୋଭାବକୁ ସ୍ପଷ୍ଟ କରୁଛି । ପୂର୍ବରୁ ଜଣେ ମହିଳା ମେଟ୍ରନ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଗୁରୁତ୍ବ ଦିଆଯାଇନଥିଲା । ଏବେ ଜଣେ ଛାତ୍ରୀ ଅଭିଯୋଗ କରିବା ପରେ କେବଳ ସଂପୃକ୍ତ ଅଧୀକ୍ଷକଙ୍କୁ ବଦଳି କରିଦେଇ ପ୍ରଶାସନ ତାର କାମ ସାରିଦେଇଛି । ଏହାକୁ ଆଦିବାସୀ ମହାସଂଘ ତୀବ୍ର ବିରୋଧ କରିବା ସହ ତୁରନ୍ତ ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଦିବାସୀ ମହାସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଜଣେ ଆଦିବାସୀ ଯୁବନେତା କହିଛନ୍ତି । ଏନେଇ ସଂପୃକ୍ତ ଅଧୀକ୍ଷକଙ୍କ ମତାମତ ମିଳିପାରିନଥିବା ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ କହିଛନ୍ତି ଯେ, ଅଭିଯୋଗ ଆସିବା ପରେ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତକୁ ନିରପେକ୍ଷ କରିବା ପାଇଁ ସଂପୃକ୍ତ ଅଧୀକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ତଦନ୍ତ ପରେ ଯିଏ ଦୋଷୀ ବୋଲି ଜଣାପଡିବ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।