ଫୁଲବାଣୀ : ଆଜ୍ଞା ମୋର ପୁଅ ହେଇଥିଲା । ଜନ୍ମହେବା ପରେ କହିଲେ ପୁଅ ଦେହ ଭଲ ନାହିଁ ବ୍ରହ୍ମପୁର ମୁଖ୍ୟ ଶିଶୁ ବିଭାଗକୁ ସ୍ଥାନାନ୍ତର କରାଯିବ । ସେଥିରେ ଆମେ ଏକମତ ହେଲୁ । ଆଉ ପୁଅକୁ ନେଇ କାଳ ବିଳମ୍ବ ନକରି ଶିଶୁ ବିଭାଗକୁ ସ୍ଥାନାନ୍ତର କଲୁ । ହେଲେ ସେଠାରେ ଯାଇ ଦେଖିଲା ବେଳକୁ ମୋ ପୁଅ ବଦଳରେ ଥିଲା ଗୋଟେ ଝିଅ । ଏଭଳି କିଛି କହି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଏହି ପରିବାର ଲୋକେ ।
ଫୁଲବାଣୀ ମେଡ଼ିକାଲରେ ଛୁଆ ଅଦଳ ବଦଳର ଅଭିଯୋଗ । ଏହି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀର ମାତୃ ଶିଶୁ କେନ୍ଦ୍ରରେ । ସୂଚନା ମୁତାବକ ଗତ ୨୫ତାରିଖ ଶୁକ୍ରବାର ଦିନ ଫୁଲବାଣୀର କାଚେରା ସାହିର ଦୀପକ କଟୁଆଳଙ୍କ ପତ୍ନୀ ଲିଜା ମୁଖିଙ୍କର ଶିଶୁପୁତ୍ରଟିଏ ଜନ୍ମ ହୋଇଥିଲା । ଛୁଆ ଜନ୍ମ ହେବା ପରେ ତା ଦେହ ଅସୁସ୍ଥ ହୋଇଥିଲା । ଯାହାଫଳରେ ଏସଏନସିୟୁରେ ରଖିଥିଲେ । ଦେହ ଅତି ଗୁରୁତର ହେବା ଯୋଗୁଁ ବ୍ରହ୍ମପୁର ମୁଖ୍ୟ ଶିଶୁ ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା ।
ସକାଳ ସମୟରେ କାର୍ଯ୍ୟରେ ଥିବା ନର୍ସ ଶିଶୁ ପୁତ୍ର ବଦଳରେ ଗୋଟିଏ ଶିଶୁ କନ୍ୟାକୁ ସ୍ଥାନାନ୍ତର କରିଦେଇଥିଲେ । ତେବେ ବ୍ରହ୍ମପୁର ମେଡିକାଲରେ ପହଞ୍ଚିବା ପରେ ଡକ୍ଟର ପୁତ୍ର ଜାଗାରେ ଶିଶୁ କନ୍ୟାକୁ ଆଣିଥିବା କଥା ଜଣାଇବା ପରେ ଘଟଣା ପଦାକୁ ଆସିଥିଲା । ଏହା ଶୁଣିବା ପରେ ବାପା ଦୀପକ କଟୁଆଳଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଦୀପକ ତୁରନ୍ତ ଏହି ଘଟଣା ସମ୍ପର୍କରେ ଫୋନ ଯୋଗେ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ଫୁଲବାଣୀର ମାତୃ ଶିଶୁ କେନ୍ଦ୍ରରେ ପହଁଚି ଏହି ଘଟଣା ଜଣାଇବା ପରେ ଘଟଣାଟି ପ୍ରାଚାର ହୋଇଥିଲା ।
ଏହି ଖବର ଫୁଲବାଣୀର ମୁଖ୍ୟ ଚିକିତ୍ସାଳୟର ସ୍ୱାସ୍ଥ୍ୟ ଅଧିକାରୀ ଜାଣିବା ପରେ ଆସି ପରିବାର ଲୋକଙ୍କୁ ବୁଝା ସୁଝା କରିବା ସହ ଏଭଳି ଭୁଲ କିଭଳି ହେଲା ? କିଏ ଡିୟୁଟି ରେ ଥିଲେ ? ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ବଦଳ ହୋଇଥିବା ଛୁଆକୁ ତୁରନ୍ତ ଅଣାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।
ତେବେ ରାଜ୍ୟର ବିଭିନ୍ନ ମେଡିକାଲରୁ ବିଭିନ୍ନ ସମୟରେ ଛୁଆ ଚୋରି ଅଭିଯୋଗ ହେଉଥିବା ନଜିର ରହିଛି । ଖାଲି ଚୋରି ନୁହେଁ ଏଭଳି ଛୁଆ ଅଦଳ ବଦଳ ଘଟଣା ମଧ୍ୟ ସାମ୍ନାକୁ ଆସୁଛି । ଜାଣିଶୁଣି ହେଉ କି ଭୁଲ୍ ବଶତଃ ଏଭଳି ସମ୍ବେଦନଶୀଳ ଘଟଣା ବାରମ୍ବାର କାହିଁକି ଘଟୁଛି? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଥିବାବେଳେ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।