ପ୍ରମୋସନ ପାଇଁ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ

ନୟାଗଡ : କଣ ଲାଞ୍ଚ ନଦେଲେ ପ୍ରମୋସନ୍ ବି ହୁଏନି ? ଏହା ସତ ନା ଖାଲି ଶୁଣାକଥା ? ତାହା ପୁଣି ସରକାରୀ ଅଫିସରେ ? ଏସବୁ ତଥ୍ୟ ନଥିବା ଅଭିଯୋଗ ନୁହେଁ ତ? ଏଭଳି କିଛି ଅଭିଯୋଗ ଆସିଛି ନୟାଗଡ ଜ଼ିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ । ଅଫିସର କିଛି ଅଧିକାରୀ ଭିନ୍ନ କୌଶଳରେ ଦୁର୍ନୀତିକୁ ଆପଣାଇ ନେଇଛନ୍ତି ବୋଲି କୁହାଯାଉଛି। ଲାଞ୍ଚ ନଦେଲେ କୌଣସି ଫାଇଲ କାର୍ଯ୍ୟକାରୀ ହେବ ନାହିଁ ବୋଲି ପରୋକ୍ଷରେ ଜଣାଇ ଦେଉଛନ୍ତି। ଆମେ ଏଭଳି କିଛି ଅଭିଯୋଗ ପାଇବା ପରେ ଯାଞ୍ଚ କରିଥିଲୁ ଅଭିଯୋଗକାରୀ ଏବଂ ଯାହା ବିରୋଧରେ ଅଭିଯୋଗ ହୋଇଛି ତାଙ୍କୁ ଭେଟିଥିଲୁ । ଘଟଣା ପଛରେ କଣ ରହିଛି ସତ ଆସନ୍ତୁ ଜାଣିବା । ଆଉ ଯଦି ଅଧିକାରୀଙ୍କର ହୃଦୟଙ୍ଗମ ହୁଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ।
ନୟାଗଡ ଜ଼ିଲ୍ଲାରେ ରହିଛି ୮ ଟି ବ୍ଲକ । ବ୍ଲକ ରେ ଥିବା ସମସ୍ତ ସ୍କୁଲ ନୟାଗଡ ଜ଼ିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଧୀନରେ କାର୍ଯ୍ୟ କରନ୍ତି। ଓଡଗାଁ ବ୍ଲକ ଜବାହର ଲାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟ କରନ୍ତି ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ରବି ମୁଦୁଲି । କୋରାପୁଟ ଜ଼ିଲ୍ଲା ଆଦିବାସୀ ଅଧୁଷିତ ଅଞ୍ଚଳର ଯୁବକ। ୪ର୍ଥ ଶ୍ରେଣୀ କର୍ମଚାରୀରୁ ତାଙ୍କର ସ୍କୁଲ କିରାଣୀକୁ ପ୍ରମୋସନ୍ ହୋଇଥିଲା । ତେବେ ତାଙ୍କର ଅଭିଯୋଗ ହେଉଛି କି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର କିଛି କର୍ମଚାରୀ ୩ ଲକ୍ଷ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଉ ପ୍ରଥମେ ସେ ୧ ଲକ୍ଷ ଟଙ୍କା ନେଲା ପରେ ଆଉ DP ଦର୍ଶାଇ କୁଆଡ଼େ ୫୦ ହଜାର ଟଙ୍କା ତାଙ୍କୁ ମଗା ଯାଇଥିଲା । ୨୦୨୪ ମସିହାରେ ଏଭଳି ପ୍ରମୋସନ ପାଇଁ ବିଜ୍ଞପ୍ତି ବାହାରିଥିଲା। ଚଞ୍ଚକତା କରି ରବି ନାମରେ ଏକ ଅପରାଧିକ ମାମଲା ଦର୍ଶାଇ DP ପ୍ରସ୍ତୁତ କରାଗଲା। ଯାହାଫଳରେ ସେ ପ୍ରମୋସନରୁ ବଞ୍ଚିତ ହେଲେ ବୋଲି ରବି ଅଭିଯୋଗ କରିଛନ୍ତି ।
୨୦୨୫ରେ ତାଙ୍କୁ ପ୍ରମୋସନ ପାଇଁ ଲାଞ୍ଚ ମାଗିବାରୁ ୧ ଲକ୍ଷ ଟଙ୍କା ଦେଇଥିଲେ ରବି। ଧାର ଉଧାର କରି ୧ ଲକ୍ଷ ଟଙ୍କା ଦେଇଥିବାରୁ ଅସୁସ୍ଥ ମାଆଙ୍କର ଚିକିତ୍ସାରେ ଅବହେଳା ହେଲା। ସେହି ଟଙ୍କା ଦେଇଥିବା ନେଇ ସେ ତତକାଳୀନ ନୟାଗଡ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଫୋନ ଯୋଗେ ଅଭିଯୋଗ କରିଥିଲେ। ମାଆ ପିଛା ଟଙ୍କା ଖର୍ଚ୍ଚ କରି ପାରିନଥିବାରୁ ମାଆଙ୍କର ମୃତ୍ୟୁ ହୋଇଛି ବୋଲି ମଧ୍ୟ ଅଭିଯୋଗ କରିଥିଲେ ରବି ।
ଇଏତ ଥିଲା ଗୋଟିଏ ଅଭିଯୋଗ । ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର କର୍ମଚାରୀଙ୍କ ନାମରେ ଏକାଧିକ ଅଭିଯୋଗ ରହିଛି। ମାଛିପଡ଼ା ସ୍କୁଲର ଖେଳ ଶିକ୍ଷକ ସନ୍ୟାସୀ ବେହେରା ମଧ୍ୟ ଜ଼ିଲ୍ଲା ଶିକ୍ଷାଅଧିକାରୀଙ୍କ ଅଫିସରେ କାର୍ଯ୍ୟ କରନ୍ତି। ସେ ଜ଼ିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରମୋସନ ପାଇବା ପାଇଁ ଯୋଗ୍ୟତା ହାସଲ କଲେ। ଅଭିଯୋଗ ହେଉଛି କି ଅଫିସର କିଛି କର୍ମଚାରୀ ଚଞ୍ଚକତା କରି ତାଙ୍କ ସ୍ଥାନରେ ଅନ୍ୟ ଜଣେ କର୍ମଚାରୀଙ୍କୁ ନିଯୁକ୍ତି ଦେଲେ। ଏନେଇ ସନ୍ନ୍ୟାସୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଉଚ୍ଚ ନ୍ୟାୟାଳୟଙ୍କ ଅର୍ଡର ଆଣିବା ପରେ ମଧ୍ୟ ତାଙ୍କ କଥା କେହି ଶୁଣୁ ନଥିବା ସେ କହିଛନ୍ତି। ଅଭିଯୋଗ କଲେ ମଧ୍ୟ କେହି କିଛି ପଦକ୍ଷେପ ନେଉ ନାହାନ୍ତି ବୋଲି କହିଛନ୍ତି ସ୍ଥାନୀୟ ସମାଜସେବୀ ।
ତେବେ ଏ ନେଇ ଆମେ ଯୋଗାଯୋଗ କରିଥିଲୁ ଜ଼ିଲ୍ଲା ଶିକ୍ଷାଅଧିକାରୀ କାର୍ଯ୍ୟାଳୟର କର୍ମଚାରୀଙ୍କୁ। ତେବେ ଅଫିସର ବରିଷ୍ଠ କିରାଣୀ କହିଛନ୍ତି କି ତାଙ୍କର ସଚ୍ଚୋଟ କାର୍ଯ୍ୟକଳାପକୁ କିଛି ଲୋକ ସହି ନପାରି ତାଙ୍କ ନାଁରେ ମିଥ୍ୟ ଅଭିଯୋଗ କରିଛନ୍ତି। ତେବେ ରବିଙ୍କ ଠାରୁ ୧ ଲକ୍ଷ ଟଙ୍କା ନିଆଯାଇଥିଲା ଓ ପୁଣି ସମସ୍ତ ଟଙ୍କା ଫେରାଇ ଦେଇଥିବା କହିଛନ୍ତି। ….ଅନ୍ୟପଟେ ଏ ନେଇ କୌଣସି ଲିଖିତ ଅଭିଯୋଗ ହୋଇ ନାହିଁ । ସେଥିଲାଗି ତତକାଳୀନ ଜ଼ିଲ୍ଲା ଶିକ୍ଷା ଅଧିକାରୀ କହିଥିଲେ କି ଯଦି କିଛି ଲିଖିତ ଅଭିଯୋଗ ଆସିବ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
Also Read:୧୨୦୦ କୋଟି ଠକେଇର ମାଷ୍ଟରମାଇଣ୍ଡ ଗିରଫ, କମ ସୁଧ ଦେବାକୁ ପ୍ରତିଶ୍ରୁତି ଦେଇ ୪୦୦ ଜଣଙ୍କୁ ଠକିଥିଲା