ବିବାହର ନାଁରେ ପ୍ରତାରଣା ଓ ଆର୍ଥିକ ଠକେଇ ଅଭିଯୋଗ, ତଦନ୍ତ କରୁଛି ପୋଲିସ

ଭୁବନେଶ୍ୱର : ବିବାହର ପ୍ରତିଶ୍ରୁତି ଦେଇ ପ୍ରେମ, ଶାରୀରିକ ସମ୍ପର୍କ ଓ ପରେ ପ୍ରତାରଣା । ରାଜଧାନୀରେ ଏଭଳି ସଙ୍ଗୀନ ଅଭିଯୋଗ ଆଣି ପାହାଳ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ଯୁବତୀ ।  ଅଭିଯୋଗ ଅନୁଯାୟୀ, ସର୍ବେଶ୍ୱର ମଲ୍ଲିକ ନାମକ ଜଣେ ଯୁବକ ପ୍ରଥମେ ଯୁବତୀଙ୍କୁ ଏକ ଆପାର୍ଟମେଣ୍ଟକୁ ନେଇ ତାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିଲେ ।  ପରେ ପ୍ରେମ ଓ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ଭୁବନେଶ୍ୱରର ଏକ ମନ୍ଦିରରେ ବିବାହ କରିଥିବା ଅଭିଯୋଗ ହୋଇଛି ।  ବିବାହ ପରେ ଯୁବତୀଙ୍କ ଦଲିଲପତ୍ର ବ୍ୟବହାର କରି ଏକାଧିକ ଋଣ ଉଠାଇଥିବା ଅଭିଯୋଗ ମଧ୍ୟ ହୋଇଛି ।  ତେବେ ପରବର୍ତ୍ତୀ ସମୟରେ ଯୁବତୀ ଜାଣିବାକୁ ପାଇଥିଲେ ଯେ, ସର୍ବେଶ୍ୱର ପୂର୍ବରୁ ବିବାହିତ ।  ଏନେଇ ପ୍ରଶ୍ନ କରିବାରୁ ତାଙ୍କୁ ମାଡ଼ ମାରି ଧମକ ଦେଇଥିବା ଲିଖିତ ଅଭିଯୋଗ କରାଯାଇଛି  ।  ଯୁବତୀଙ୍କ ଲିଖିତ ଅଭିଯୋଗକୁ ଆଧାର କରି ପାହାଳ ଥାନା ପୋଲିସ ମାମଲା ରୁଜୁ କରିଛି ।  ବିବାହର ନାଁରେ ପ୍ରତାରଣା, ଶାରୀରିକ ଶୋଷଣ ଓ ଆର୍ଥିକ ଠକେଇର ଏହି ସଙ୍ଗୀନ ଅଭିଯୋଗ ଆଧାରରେ ତଦନ୍ତ କରୁଛି ପୋଲିସ ।