ଗଜପତି : ପ୍ୟାକଟେ ଅସଲି ସାର ନକଲି। ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ରେ ଘଟିଛି ଏହି ଘଟଣ । ଲୁଣରେ କେମିକାଲ୍ ରଙ୍ଗ ମାରି ନକଲି ପଟାସ୍ ସାର ପ୍ରସ୍ତୁତି କରି ବିକ୍ରି କରୁଥିଲେ । ଏପରି ଚଞ୍ଚକତା କରି ଚାଷୀଙ୍କୁ ଠକୁଥିଲେ ସାର ବ୍ୟବସାୟୀ । ସ୍ଥାନୀୟ ଚାଷୀ ଜାଣିବା ପରେ ପୋଲିସ୍ କୁ ଅଭିଯୋଗ କରିଥିଲେ। ଖବର ପାଇ ପ୍ରଶାସନ ପକ୍ଷରୁ କାଶୀନଗର ତହସିଲଦାର ଅଶୋକ କୁମାର ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ଉପସ୍ଥିତ ଅଧିକାରୀ ସାରର ପରୀକ୍ଷା ବେଳେ ଏହା ନକଲି ବୋଲି ଜାଣିବାକୁ ପାଇଥିଲେ । ପଟାସ୍ ସାର ବଦଳରେ ଏହା ରଙ୍ଗମରା ଲୁଣ ବୋଲି ଆଶଙ୍କା ହୋଇଥିଲା।
ଅନ୍ୟପଟେ ଗୋଟାଲୁଣରେ ପଟାସ୍ ଭଳି ରଙ୍ଗ ଦିଆଯାଇ ଏହି ନକଲି ସାରକୁ ଖାଣ୍ଡବା ପଞ୍ଚାୟତ ଆଦର୍ଶନଗରରେ ଚାଷୀଙ୍କୁ ବିକ୍ରି କରାଯାଇଛି। ଏହାସହ କାଶୀନଗର ବ୍ଲକ୍ର ସାରା, ବାଡ଼ିଗାଁ, ବୁଦୁରା ଓ ଖାଣ୍ଡବା ସମେତ ଅନ୍ୟ କିଛି ଗ୍ରାମାଞ୍ଚଳରେ ମଧ୍ୟ ଏହି ନକଲି ପଟାସ୍ ସାର ବିକ୍ରି ହୋଇଥିବା ସୂଚନା ମିଳିଛି। ସେଠାରୁ ସାର ସଂଗ୍ରହ କରିବା ପରେ ସନ୍ଦେହ ହେବାରୁ କୃଷି ଅଧିକାରୀଙ୍କ ସହଯୋଗ କ୍ରମେ ଏହାର ନମୁନା ରାଜ୍ୟ ପରୀକ୍ଷାଗାରକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ଏହା ନକଲି କି ଅସଲି ଜଣାପଡ଼ିବ। ନକଲି ହୋଇଥିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ତହସିଲଦାର କହିଛନ୍ତି।