ସମ୍ବଲପୁର: ସରକାରଙ୍କ ତରଫରୁ ରୋଗୀଙ୍କୁ ଯୋଗାଇ ଦିଆଯାଉଛି ମାଗଣା ଲେନ୍ସ । କିନ୍ତୁ ସରକାରୀ ଡାକ୍ତରଖାନାରେ ମନମୁଖି ଭାବେ କରୁଛନ୍ତି ବିକ୍ରି । ଆଖି ଅପରେସନ କରିବାକୁ ହେଲେ ଦେବାକୁ ପଡୁଛି ୫ ହଜାର ଟଙ୍କା lଏଭଳି ସାଂଘାତିକ ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଉତ୍ତମମାନର ଲେନ୍ସ ଲଗାଇବାକୁ ୫ ହଜାର ଟଙ୍କା ଦାବି କରିବା ଅଭିଯୋଗ ନେଇ ସିଡିଏମଓ ଓ ଜ଼ିଲ୍ଲାପାଳଙ୍କ ଠାରେ ଅଭିଯୋଗ କଲେ ରୋଗୀଙ୍କ ସମ୍ପର୍କୀୟ l
ଗତ ୧୪ ତାରିଖରେ ଭତରା ଅଞ୍ଚଳର ସତ୍ୟନାରାୟଣ ମିଶ୍ରଙ୍କ ମୋତିଆବିନ୍ଦୁ ଅପରେସନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ l ସେଠାରେ ଭଲ ଲେନ୍ସ ଲଗାଇବା ପାଇଁ କର୍ତ୍ତୃପକ୍ଷ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ lଏହି ଘଟଣାକୁ କେନ୍ଦ୍ର କରି ରୋଗୀଙ୍କ ସମ୍ପର୍କୀୟ ସୁଦିପ୍ତ କୁମାର ପଣ୍ଡା ଆଜି ଜିଲ୍ଲାପାଳ ଓ ସିଡିଏମ୍ଓଙ୍କୁ ଅଭିଯୋଗ କରିଛନ୍ତି I ରୋଗୀଙ୍କ ସମ୍ପର୍କୀୟ ୧୪ ତାରିଖ ସତ୍ୟନାରାୟଣଙ୍କୁ ମୋତିଆବିନ୍ଦୁ ଅପରେସନ ପାଇଁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ l ସେଠାରେ ଅପରେସନ କଲେ ବାହାରୁ ଲେନ୍ସ ଲଗାଇବାକୁ ୫ ହଜାର ଟଙ୍କା ପଡ଼ିବ ବୋଲି ଚକ୍ଷୁ ବିଭାଗର ଜଣେ ସହାୟକ କହିଥିଲେ l ପରେ ସୁଦିପ୍ତ ଟଙ୍କା ମଧ୍ୟ ଦେଇଥିଲେ ଅପରେସନ ପରେ ସେ ଦେଇଥିବା ଟଙ୍କାର ବିଲ୍ ମାଗିଥିଲେ l କେଉଁ ଲେନ୍ସ ଲାଗିଲା କେଉଁଠୁ କିଣାଗଲା ସେ ବିଷୟରେ ଜାଣିବାକୁ ଚାହିଁଥିଲେ। ହେଲେ କର୍ତ୍ତୃପକ୍ଷ ବିଲ୍ ଦେବାକୁ ମନା କରିଥିଲେ l ସରକାରୀ ଡାକ୍ତରଖାନାରେ କୌଣସି ବିଲ୍ ଦିଆଯାଇ ପାରିବନି ବୋଲି ରୋକଠୋକ ମନା କରିଥିଲେ ।
ଵିଲ ମାଗିବା ପରେ ଡାକ୍ତରଖାନାରେ ରୋଗୀ ସମ୍ପର୍କୀୟ ଓ ମେଡିକାଲ କର୍ମଚାରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା | ସିଡିଏମଓ ଓ ଏଡିଏମ୍ଓଙ୍କ ପାଖରେ ଅଭିଯୋଗ ପହଞ୍ଚିବା ପରେ କର୍ତ୍ତୃପକ୍ଷ ଟଙ୍କା ଫେରାଇ ଦେଇଥିଲେ I ହେଲେ ସରକାରୀ ଡାକ୍ତରଖାନାରେ କିପରି ଟଙ୍କା ନିଆଯାଉଥିଲା ଚର୍ଚ୍ଚାର ବିଷୟ ପାଲଟିଛି । ଚକ୍ଷୁ ବିଭାଗରେ ଅପରେସନ ବେଳେ ଲାଞ୍ଚ ନେଉଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ହୋଇଛି । ଏନେଇ ତଦନ୍ତ କରାଯିବ ବୋଲି ସିଡିଏମଓ କହିଛନ୍ତି । ସରକାରୀ ଡାକ୍ତରଖାନାରେ ଟଙ୍କା ନେବାର କୌଣସି ପ୍ରଶ୍ନ ଉଠୁନାହିଁ । ତେଣୁ ତଦନ୍ତ ପରେ ସଂଶ୍ଲିଷ୍ଟ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମ୍ଓ ସୁଜାତା ରାଣୀ ମିଶ୍ର କହିଛନ୍ତି ।
Also Read:ଅଫିସର ବେଶରେ ଆସିଲେ, ସଫେଇ ଆଳରେ ଲୁଟି ନେଲେ ମହିଳାଙ୍କ ସୁନା ଚେନ