ପ୍ରେମ ବିବାହର ଦୁଇ ବର୍ଷ ପରେ ନିର୍ଯାତନା ଅଭିଯୋଗ, ବାପ ଘରୁ ୫ ଲକ୍ଷ ଆଣ

ଯାଜପୁର: ଝିଅଟି କାନ୍ଦି କାନ୍ଦି କହୁଛି ମୁଁ ଆଉ ଶାଶୂଘର ଯିବିନି । ମୁଁ ସେ ଲୋକ ସହ ରହି ପାରିବିନି । ଟଙ୍କା ନଦେଲେ ସେ ମୋତେ ମାରିଦେବ । କହୁଛି ତୋତେ ରେଡ୍ ଲାଇଟ୍ ଏରିଆରେ ୫ ହଜାର ଟଙ୍କାରେ ବିକି ଦେବି । ମୋତେ ବହୁତ ଥର ମାରିବାକୁ ଚେଷ୍ଟା କରିଛି, ବାହାଘରର ଦୁଇ ମାସ ପରେ ମଦ ପିଇ ମୋତେ ମାରଧର କରି ଆସୁଥିଲା । ତକିଆ ପକେଇ ମାଡ଼ି ବସେ । ଗୋଇଠା ବିଧା ମାରି ଦେଖନ୍ତୁ ମୋର କୋଉ ଭଳି ଅବସ୍ଥା କରିଛି । ସେଥିରେ ସେ ମୋତେ କହୁଛି ତୋଠୁ ଭଲ ଝିଅ ମିଳିବେ ତୁ ପଳା ଏଠୁ, ତୋ ବାପଘରୁ ୫ ଲକ୍ଷ ଆଣିଲେ ଏଠିକି ଆସିବୁ । ସେମିତିକା ଲୋକ ପାଖରେ ମୁଁ ରହିଲେ ମରିଯିବି । ମୋତେ ନ୍ୟାୟ ଦରକାର ।
ହଁ ଆଜ୍ଞା, ଅଭିଯୋଗ ଅନୁଯାୟୀ ମଦୁଆ ସ୍ବାମୀ କୁଆଡ଼େ ସ୍ତ୍ରୀକୁ ମାରି ଲହୁ ଲୁହାଣ କରିଛି । ସ୍ବାମୀ ନାଁରେ ଅଭିଯୋଗ ନେଇ ଛୋଟେଇ ଛୋଟେଇ ଆସି ଥାନାରେ ନ୍ୟାୟ ମାଗୁଛି ସ୍ତ୍ରୀ । ସେପଟେ ଝିଅର ଏ ଅବସ୍ଥା ଦେଖି ମାଆ ବି ସହି ପାରୁନି । ଥାନା ଆଗରେ କାନ୍ଦି କାନ୍ଦି ଲୁଗା କାନିରେ ପୋଛି ଦେଉଛି ଲୁହ । ଆଉ ଝିଅକୁ ନ୍ୟାୟ ଦେବା ପାଇଁ ନେହୁରା ହେଉଛନ୍ତି । ଆପଣ କୁହନ୍ତୁ ବାହା ହେଲା ଝିଅର ଏମିତି ଅବସ୍ଥା ଦେଖି କୋଉ ମାଆ କଣ ସମ୍ଭାଳି ହୋଇ ରହିପାରିବ? ଏଇ ଶୁଣୁ ନାହାଁନ୍ତି କ୍ୟାମେରା ସାମ୍ନାରେ ଝିଅଟିର ମା’ କଣ କହୁଛନ୍ତି…
ତେବେ ପୁରା ଘଟଣା କଣ ଆସନ୍ତୁ ଜାଣିବା । ଯୌତୁକ ଦାବି କରି ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ କରିଛନ୍ତି ଏହି ମହିଳା । ଯାଜପୁର ଜିଲ୍ଲା ଦଶରଥପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଦଶରଥପୁର ଥାନା ଅନ୍ତର୍ଗତ ହସନପୁର ଗାଁର ପ୍ରକାଶ କୁମାର ରଥ । ସେ ଖୋସାଲପୁର ଗାଁର ମିନି ରାନୀ ରଣାଙ୍କୁ ଦୁଇ ବର୍ଷ ତଳେ ପ୍ରେମ ବିବାହ କରିଥିଲେ l ହେଲେ ମିନିଙ୍କ କହିବା ଅନୁଯାୟୀ ଦୁଇ ବର୍ଷ ଭିତରେ ପ୍ରେମ କୁଆଡ଼େ ଉଭେଇ ଗଲା ଆଉ ଆରମ୍ଭ ହୋଇଗଲା ନିର୍ଯାତନା । ସ୍ବାମୀ ଯୌତୁକ ଦାବି କରି ମିନି ରାଣୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ l ଗତ ୬ ତାରିଖ ଦିନ ସନ୍ଧ୍ୟା ସମୟରେ ପ୍ରକାଶ ଧମକ ଦେଲେ କାର୍ EMI ଦେବି ତୋ ବାପଘରୁ ୫ ଲକ୍ଷ ଟଙ୍କା ଆଣେ । ଏଭଳି କହିବା ସହ ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ମିନି ।
ଏପରିକି ୫ ଲକ୍ଷ ଟଙ୍କା ନ ଆଣିଲେ ଜୀବନରୁ ମାରି ଦେବେ ବୋଲି ପ୍ରକାଶଙ୍କ ସହ ପରିବାର ଲୋକେ ଧମକ ଦେବା ସହିତ ଆକ୍ରମଣ କରିଥିଲେ l ଫଳରେ ମିନି ଭୟରେ ଧାନ ବିଲରେ ପଶି ଲୁଚିକି ଘରକୁ ପଳାଇ ଆସିଥିଲେ l ପରିବାର ଲୋକେ ତାଙ୍କୁ ଦଶରଥପୁର ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ । ଆଜି ଦଶରଥପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମିନି l ପୋଲିସ ଘଟଣାର ତଦନ୍ତ ଚଳାଇଛି ।