ଜବରଦଖଲ ଉଛେଦ ସମୟରେ ଅତିରିକ୍ତ ତହସିଲଦାର ଓ ଥାନା ଅଧିକାରୀଣୀଙ୍କୁ ଆକ୍ରମଣ ଅଭିଯୋଗ, ସ୍ଥଗିତ ରହିଲା ଉଚ୍ଛେଦ ପ୍ରକ୍ରିୟା
ଯାଜପୁର : ଏକ ଜବରଦଖଲ ଉଛେଦ କରିବାକୁ ଯାଇ ହଟହଟା ହେଲେ ଅତିରିକ୍ତ ତହସିଲଦାର ଓ ଥାନା ଅଧିକାରିଣୀ । ଉଛେଦ ସମୟରେ ଯାଜପୁର ତହସିଲର ଅତିରିକ୍ତ ତହସିଲଦାର ଅଜୟ ପଣ୍ଡା ଓ ବ୍ରହ୍ମବରଦା ଥାନା ଅଧିକାରୀଣୀ ଅଂଶୁମାଳା ଦାସଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ। ଏହି ଆକ୍ରମଣରେ ଦୁଇ ଅଧିକାରୀ ଆହତ ହୋଇ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି।
ସୂଚନା ମୁତାବକ, ବ୍ରହ୍ମବରଦା ଥାନା ରୁଦ୍ରପୁର ପଞ୍ଚାୟତ ବଡ଼ବାଗସାହି ଗ୍ରାମରେ ଆଜି କୋର୍ଟଙ୍କ ନିର୍ଦ୍ଦେଶ ବଳରେ ଏକ ସରକାରୀ ଜମି ଜବରଦଖଲ ଉଛେଦ କରିବାକୁ ଯାଇଥିବା ସମୟରେ ଘଟିଛି ଏହି ଅଘଟଣ। ଉଛେଦ ସମୟରେ କିଛି ମହିଳା କୋର୍ଟରେ ମାମଲା ଥିବା କହି ଯୁକ୍ତି ବାଢିବା ବଢିବା ଉଛେଦ ପ୍ରକ୍ରିୟାକୁ ବିରୋଧ କରିଥିଲେ।
ଘଟଣାସ୍ଥଳରେ ମାଜିଷ୍ଟ୍ରେଟ ଭାବେ ଦାୟିତ୍ୱରେ ଥିବା ଯାଜପୁରର ଅତିରିକ୍ତ ତହସିଲଦାର ଅଜୟ ପଣ୍ଡା ଓ ଥାନା ଅଧିକାରିଣୀ ଅଂଶୁମାଳା ଦାସ ବିରୋଧ କରୁଥିବା ମହିଳାଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ଉତ୍ୟକ୍ତ ମହିଳାମାନେ ଉଛେଦକୁ ବିରୋଧ କରିବା ସହ ପେଲାଠେଲା କରିଥିଲେ।
ଏଥିରେ ଥାନାଅଧିକାରୀଣି ତଳେ ପଡିଯାଇ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଅତିରିକ୍ତ ତହସିଲଦାରଙ୍କ ଛାତିରେ ଆଘାତ ଲାଗିଥିବା ଅଭିଯୋଗ ହୋଇଛି। ଏହା ପରେ ଉଛେଦ ପ୍ରକ୍ରିୟା ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି। ଘଟଣା ପରେ ଉପ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଥିବା ବେଳେ ଏନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ ତହସିଲଦାର।