ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ, ଘର ପଛପଟେ ଥିବା ଏକ ଗଛରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ

ଆନନ୍ଦପୁର : ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ । ଯୌତୁକ ପାଇଁ ଝଗଡା ହେବାରୁ ମାସେ ହେବ ଝିଅ ବାପଘରକୁ ଚାଲିଯାଇଥିଲା । ହେଲେ ୪ ଦିନ ତଳେ ଭଦ୍ରଲୋକଙ୍କ ଉପସ୍ଥିତରେ ଝିଅକୁ ଶାଶୁଘରେ ଛାଡି ଯାଇଥିଲେ ବାପଘର ଲୋକେ । ଆଉ ରାତିରେ ମିଳିଛି ଝିଅର ଝୁଲନ୍ତା ମୃତଦେହ । ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ନୂଆଗାଁ ଗ୍ରାମରେ ।

ସୋମବାର ରାତିରେ ଗାଁର ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ପତ୍ନୀ ଝିଲିର ଝୁଲନ୍ତା ମୃତଦେହ ଘର ପଛପଟେ ଥିବା ଏକ ଗଛରୁ ଉଦ୍ଧାର ହୋଇଛି । ଯାଜପୁର ଜିଲ୍ଲା ଟମକା ଥାନା ବାଦିବିଲି ଗାଁ ର ସୁଦର୍ଶନ ଜେନାଙ୍କ ଝିଅ ଝିଲି ସହ ୨ବର୍ଷ ତଳେ ନୂଆଗାଁର ଚୈତନ୍ୟ ରାଉତଙ୍କ ପୁଅ ପୂର୍ଣ୍ଣଚନ୍ଦ୍ରଙ୍କର ବିବାହ ହୋଇଥିଲା । ହେଲେ ବିବାହ ସମୟରେ ଦାବି ମୁତାବକ ଟଙ୍କା ଦେଇନଥିବାରୁ ଝିଅ ସହ ଶାଶୁଘର ଲୋକେ ଅତ୍ୟାଚାର କରିଆସୁଥିଲେ ।

ଶାଶୁଘର ଲୋକଙ୍କ ଆତ୍ମହତ୍ୟା କଥାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବାପଘର ଲୋକେ । ଯୌତୁକ ପାଇଁ ଝିଲିକୁ ମାରି ଆତ୍ମହତ୍ୟା ରୁପ ଦିଆଯାଇଥିବା ବାପଘର ତରଫରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଘଟଣା ପରେ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ଫେରାର ହେବା, ସନ୍ଦେହକୁ ଆହୁରି ଦୃଢିଭୁତ କରିଛି। ରାମଚନ୍ଦ୍ରପୁର ପୋଲିସ ମୃତଦେହ ଜବତ କରିଛି । ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.